Home ଓଡ଼ିଶା ଅପରାଧୀଙ୍କୁ ଅପରାଧ କରିବାକୁ ପୂରା ସ୍ୱାଧୀନତା ଦେଉଛନ୍ତି ରାଜ୍ୟସରକାର : ମହିଳାମୋର୍ଚ୍ଚା

ଅପରାଧୀଙ୍କୁ ଅପରାଧ କରିବାକୁ ପୂରା ସ୍ୱାଧୀନତା ଦେଉଛନ୍ତି ରାଜ୍ୟସରକାର : ମହିଳାମୋର୍ଚ୍ଚା

213

କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତର ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ଆତ୍ମହତ୍ୟା ରିପୋର୍ଟ ଦର୍ଶାଇବା ପ୍ରସଙ୍ଗ 

ଭୁବନେଶ୍ୱର, ୨୭/୦୭ (ଓଡ଼ିଆ ପୁଅ) : ବିଜେଡି ଶାସନରେ ଆଦିବାସୀ ମହିଳା ହୋଇ ଜନ୍ମହେବା ଅଭିଶାପ ପାଲଟିଛି। ଏଠି ଶାସକ ଦଳ ନେତାଙ୍କ ଇଙ୍ଗିତରେ ସରକାରୀ ଅଧିକାରୀମାନେ କିଛି ବି ବେନିୟମ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ଜୁଲାଇ୨୦ ତାରିଖରେ କିଛି ଦୃର୍ବୁତ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତ ବାଗଚୁଆଁ ଗାଁର ଜଣେ ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ କରି ହତ୍ୟା କରି ପରେ ତାଙ୍କୁ ଏକ ତେନ୍ତୁଳି ଗଛରେ ଓହଲାଇ ଦେଇଥିଲେ। ମୃତା ନାବାଳିକାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ଥିବା ସହ ତାର ଆଭ୍ୟନ୍ତରୀଣ ଅଙ୍ଗରୁ ରକ୍ତ ବାହରୁଥିବାର ଦୃଶ୍ୟ ସ୍ଥାନୀୟ ବାସିନ୍ଦାଙ୍କ ସମେତ ପୋଲିସ ଦେଖିବାକୁ ପାଇଥିଲା। ଏହା ସତ୍ୱେ ଶାସକ ଦଳ ଓ ପୋଲିସର ଚାପରେ ଡାକ୍ତର ବାବୁ ଶବବ୍ୟବଚ୍ଛେଦ ରିପୋର୍ଟରେ ଏହି ଘଟଣାକୁ ଆତ୍ମହତ୍ୟା ଦର୍ଶାଇଲେ। ଏହା ହେଉଛି ନବୀନ ବାବୁଙ୍କ ଶାସନରେ ମା’ ମାନଙ୍କୁ ସମ୍ମାନ ଦେବାର ଜ୍ୱଳନ୍ତ ଉଦାହରଣ ବୋଲି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି।

କରୋନା ମହାମାରୀ ସମୟରେ ରାଜ୍ୟରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଅସଦାଚାରଣ ବଢିବାରେ ଲାଗିଛି। କୋରାପୁଟ ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଶାସକ ଦଳ, ପୋଲିସ, ଜିଲ୍ଲା ପ୍ରଶାସନ ଏବଂ ସରକାରୀ ଡାକ୍ତରଙ୍କ ଭିତିରି ବୁଝାମଣାରେ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି। ଯଦି ନାବାଳିକା ଜଣକ ଆତ୍ମହତ୍ୟା କରିବାର ଥିଲା ତେବେ ସେ କାହିଁକି ନିଜ ଡ୍ରେସ ଚିରି, ନିଜକୁ କ୍ଷତ ବିକ୍ଷତ କରି ଆତ୍ମହତ୍ୟା କରିବ । ସବୁଠୁ ବଡ କଥା ହେଉଛି ତା’ର ଡ୍ରେସରେ ଗୁଗୁଚିଆ ଲାଗିଥିଲା ଏବଂ ଆତ୍ମହତ୍ୟା କରିବା ରଶିର ଗଣ୍ଠି ତା’ର ବିପରୀତ ଦିଗରେ ଥିଲା। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଥିଲା କି କିଛି ଦୃର୍ବୁତ ନାବାଳିକା ଜଣଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଗଛରେ ଓହଲାଇ ଥିଲେ। ପୂର୍ବରୁ କୁନ୍ଦୁଲୀ ପୀଡିତା ଜଣକ ନିଜ ସହ ଦୁଷ୍କର୍ମ ହେବା ଘଟଣା କହିବା ପରେ ବି ପୋଲିସ ଏହାକୁ ନଶୁଣି ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରି କିଛି ନହୋଇଥିବା ବୋଲି ଦର୍ଶାଇଥିଲା। ଠିକ୍ ସେହିପରି ସମାନ ଢଙ୍ଗରେ ପୋଲିସ ଏବଂ ଡାକ୍ତର ଏଭଳି ଅଭାବନୀୟ ଘଟଣାକୁ ଚପେଇ ଦେବା ପାଇଁ ଏକ ମିଛ ରିପୋର୍ଟ ପ୍ରସ୍ତୁତ କରି ଅପରାଧୀମାନଙ୍କୁ ଅପରାଧ କରିବା ପାଇଁ ପୂରା ସ୍ୱାଧୀନତା ଦେଇଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

କୋଟପାଡର ବିଧାୟିକା ତଥା ହସ୍ତତନ୍ତ୍ର ବିଭାଗର ମନ୍ତ୍ରୀ ପଦ୍ମିନୀ ଦିଆନ ଜଣେ ମହିଳା ହୋଇ ମଧ୍ୟ ନିଜ ଅଂଚଳରେ ଘଟିଥିବା ଏପରି ଏକ ଅମାନବୀୟ ଘଟଣାରେ ନା ମୁହଁ ଖୋଲିଲେ ନା ମୃତା ପରିବାର ଲୋକଙ୍କୁୁ ସମବେଦନା ଦେବାକୁ ପହଂଚିଥିଲେ। ଦଳୀୟ କାର୍ଯ୍ୟକ୍ରମ ପାଇଁ ଶାସକ ଦଳର ନେତାମାନେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଉଡାଜାହାଜରେ ବୁଲୁଥିବାବେଳେ ମୃତା ଆଦିବାସୀ ନାବାଳିକା ପରିବାରକୁ କୌଣସି ଜନପ୍ରତିନିଧୀ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ମହିଳା କମିଶନ ଅଧ୍ୟକ୍ଷା କିମ୍ବା ସଦସ୍ୟା ନଭେଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାରୀ ଶବବ୍ୟବଚ୍ଛେଦ ରିପୋର୍ଟ ଏବଂ ମହିଳା ମୋର୍ଚ୍ଚା ୭ଜଣିଆ ପ୍ରତିନିଧୀ ଦଳର ତଦନ୍ତ ରିପୋର୍ଟ ହିଁ ଦର୍ଶାଉଛି କି ରାଜ୍ୟସରକାର ଆଦିବାସୀ ମହିଳାଙ୍କ ପ୍ରତି ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି।

କୋରାପୁଟ ନବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ବିନା କୈଣସି ଚାପେରେ ପୋଲିସ ନିରପେକ୍ଷ ଭାବେ ତଦନ୍ତ କରି ସଠିକ୍ ଓ ନିର୍ଭୁଲ ଶବବ୍ୟବଚ୍ଛେଦ ରିପୋର୍ଟକୁ ସାର୍ବଜନୀନନ କରୁ। ଏ ଘଟଣାରେ ସଂପୃକ୍ତ ଥିବା ଅପରାଧୀଙ୍କୁ ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଜିଲ୍ଲା ପ୍ରଶାସନ ପୀଡିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଅନ୍ତୁ। ଆଗାମୀ ଦିନରେ ପୀଡିତାକୁ ନ୍ୟାୟ ନମିଳିଲେ ମହିଳାମୋର୍ଚ୍ଚା ପକ୍ଷରୁ ଏସ-ପି ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

ଆଦିବାସୀ ମହିଳାଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାରେ ସବୁ ଥାନାରେ ମହିଳା ଓ ଶିଶୁ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଉ ଏବଂ ମହିଳା ସୁରକ୍ଷା ଦିଗରେ ଯଦି ମୁଖ୍ୟମନ୍ତ୍ରୀ ସମ୍ବେଦନହୀନ ରହିବେ ତେବେ ଆଗକୁ ମହିଳା ମୋର୍ଚ୍ଚର୍ା ପକ୍ଷରୁ ତୀବ୍ର ଆନ୍ଦୋଳନ ହେବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.