Home ଜିଲ୍ଲା ପରିକ୍ରମା ରେଳ ବିଭାଗ ପକ୍ଷରୁ ଉଚ୍ଛେଦ ନୋଟିସ୍ : ଆଶଙ୍କାରେ ୫୦ ଭୂମିହୀନ ପରିବାର

ରେଳ ବିଭାଗ ପକ୍ଷରୁ ଉଚ୍ଛେଦ ନୋଟିସ୍ : ଆଶଙ୍କାରେ ୫୦ ଭୂମିହୀନ ପରିବାର

39

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ଅଂଚଳର ୨ ନଂ ୱାର୍ଡ । ଭୌଗୋଳିକ ଦୃଷ୍ଟିକୋଣରୁ ଏହି ୱାର୍ଡ ପୌରପାଳିକା ଅଧୀନରେ ରହିଥିଲେ ମଧ୍ୟ ୬୦ ଭାଗରୁ ଅଧିକ ଅଂଚଳ ହେଉଛି ରେଳବାଇ ସଂପତ୍ତି । ଯେଉଁଠାରେ ଦୀର୍ଘବର୍ଷ ଧରି ୫୦ ରୁ ଉର୍ଦ୍ଧ୍ୱ ଭୂମିହୀନ ପରିବାର ବସବାସ କରି ଆସୁଛନ୍ତି, କିନ୍ତୁ ଇତିମଧ୍ୟରେ ସେମାନଙ୍କୁ ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାଗା ଛାଡିବାକୁ ନୋଟିସ୍ ଜାରି ହୋଇସାରିଛି । ଫଳରେ ଏହି ୫୦ ପରିବାର ୨ ଶହରୁ ଅଧିକ ଲୋକ ଏବେ ନାନା ଆଶା ଓ ଆଶଙ୍କା ମଧ୍ୟରେ କାଳ କାଟୁଛନ୍ତି । ନୋଟିସ୍ ଜାରି ହେବାର ପ୍ରଥମାବସ୍ଥାରେ ଭଦ୍ରକ ପୌରପାଳିକା ଅଧୀନସ୍ଥ ବରାଳପୋଖରୀ ଅଂଚଳର ଏ ସମସ୍ତ ପରିବାର ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନାରେ ସେମାନଙ୍କୁ ବାସ ଉପଯୋଗୀ ଜମି ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ନିବେଦନ କରିଥିଲେ । ସ୍ଥାୟୀ ଜମି ପଟ୍ଟା ନଥିବା କାରଣରୁ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସୁଫଳରୁ ସେମାନେ ବଂଚିତ ହୋଇ ଚାଲିଥିବା ଅଭିଯୋଗ କରିଥିଲେ । କାରଣ ସ୍ଥାୟୀ ଜମି ନଥିବାରୁ ସେମାନେ ଦୀର୍ଘ ୫୦ ବର୍ଷ ହେଲା ରେଳବାଇ ଜମିରେ କୁଡିଆ ମାରି ରହି ଆସୁଛନ୍ତି । ନା ଅଛି ସେମାନଙ୍କ ନିକଟରେ ଟଙ୍କା ନା ଅଛି ପଟ୍ଟା, ତେବେ ସେମାନଙ୍କ ନିକଟରେ ଆଧାର କାର୍ଡ, ଭୋଟ ପରିଚୟ ପତ୍ର, ରାସନ୍ କାର୍ଡ ଥିଲେ ମଧ୍ୟ ବାସସ୍ଥାନ ପ୍ରମାଣପତ୍ର ପାଇବାରୁ ସେମାନେ ଏବେ ବଂଚିତ । ଫଳରେ ପାଠ ପଢିବା ଠାରୁ ଆରମ୍ଭ କରି ଆବାସ ଯୋଜନା ଓ ଅନ୍ୟ କେତେକ ସରକାରୀ ଯୋଜନାରୁ ଏହି ଭୂମିହୀନ ପରିବାର ବଂଚିତ । ତେଣୁ ରେଳ କର୍ତ୍ତୃପକ୍ଷଙ୍କ ନୋଟିସ୍ ପରେ ସେମାନେ କୁଆଟେ ଯିବେ ଓ କେଉଁଠି ରହିବେ, ତାହାକୁ ନେଇ ସେମାନଙ୍କ ଚିନ୍ତା ବଢିଛି । ଏ ଦିଗରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଏହି ପରିବାରର ସଦସ୍ୟ ବିଧାୟକ ସଂଜୀବ ମଲ୍ଲିକଙ୍କୁ ପୂର୍ବରୁ ସାକ୍ଷାତ୍ କରି ସେମାନଙ୍କ ଦୁଃଖ ଜଣାଇଥିଲେ । ବିଧାୟକ ମଧ୍ୟ ବସୁନ୍ଧରା ଯୋଜନାରେ ସେମାନଙ୍କୁ ଘରଡିହ ପଟ୍ଟା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେଣୁ ତୁରନ୍ତ ସେମାନଙ୍କୁ ଘରଡିହ ପଟ୍ଟା ଯୋଗାଇ ଦେବାକୁ ସଂପୃକ୍ତ ଭୂମିହୀନ ପରିବାରଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.