Home ଜିଲ୍ଲା ପରିକ୍ରମା ପସ ମେସିନ୍ ବ୍ୟବହାରକୁ ରିଟେଲରଙ୍କ ନାପସନ୍ଦ ; ଖାଉଟିଙ୍କୁ କୋଭିଡ୍ ସଂକ୍ରମଣ ଭୟ

ପସ ମେସିନ୍ ବ୍ୟବହାରକୁ ରିଟେଲରଙ୍କ ନାପସନ୍ଦ ; ଖାଉଟିଙ୍କୁ କୋଭିଡ୍ ସଂକ୍ରମଣ ଭୟ

123

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ କୋଭିଡ୍ ସଂକ୍ରମଣ ବିସ୍ଫୋରଣ ମୁହାଁ ହୋଇପଡୁଥିବାବେଳେ ଯୋଗାଣ ନିଗମ ସେଥିକୁ ଖାତିର ନକରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପସ୍ ମେସିନ୍ ବ୍ୟବହାରକୁ ବାଧ୍ୟତାମୂଳକ ଘୋଷଣା କରିଛନ୍ତି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାତୀୟକରଣ ବ୍ୟାଙ୍କ ଗୁଡିକ ଏଟିଏମ୍‌, ପାସ୍ ବୁକ୍ ଏବଂ ସମସ୍ତ ପ୍ରକାର ସ୍ମାର୍ଟକାର୍ଡରେ ନେଣଦେଣକୁ ଅସ୍ଥାୟୀ ରୂପେ ବନ୍ଦ କରିଦେଇଥିବା ବେଳେ ଯୋଗାଣ ନିଗମ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପସ୍ ମେସିନ୍‌କୁ ବାଧ୍ୟତାମୂଳକ ଘୋଷଣା କରିବା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ନିୟୋଜିତ ଲକ୍ଷ ଲକ୍ଷ ରିଟେଲରଙ୍କୁ ଚିନ୍ତାରେ ପକାଇ ଦେଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପସ୍ ମେସିନ୍ ବ୍ୟବହାର ଫଳରେ କୋଭିଡ୍ ସଂକ୍ରମଣ ବଢିବା ଆଶଙ୍କା କରି ଗତ କିଛିମାସ ତଳେ ରାଜ୍ୟ ସରକାର ରିଟେଲରଙ୍କୁ ସାମାଜିକ ଦୂରତା ରକ୍ଷାକରି ବିନା ପସ୍ ମେସିନ୍‌ରେ ରାସନ୍ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବ୍ୟବସ୍ଥାରେ ଅପ୍ରେଲ, ମଇ ଏବଂ ଜୁନ୍ ୩ ମାସର ରାସନ୍ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଥିଲା । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ୩ ମାସର ରାସନ୍ ସହିତ କେନ୍ଦ୍ର ସରକାର ଘୋଷଣା କରିଥିବା ୫ ମାସର ମାଗଣା ଚାଉଳ ଏବଂ ଡାଲି ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ଜିଲା ଯୋଗାଣ ନିଗମ ରିଟେଲରଙ୍କୁ ବିନା ପସ୍ ମେସିନ୍‌ରେ ରାସନ୍ ବଣ୍ଟନ କରିବାକୁ ବାରଣ କରିଛନ୍ତି । ଯାହାକୁ ନେଇ ଏବେ ଜିଲାବ୍ୟାପୀ ରିଟେଲରଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜିଲା କୋଭିଡ୍ ସଂକ୍ରମଣ ୨୪୬ ରେ ପହଞ୍ôଚଥିବାବେଳେ ଆଗକୁ ତାହା ବିସ୍ଫୋରକ ପରିସ୍ଥିତି ଆଡକୁ ମୁହାଁଇଛି ।

 

 

ଏଭଳି ସମୟରେ ସରକାର ତଥା ଜିଲା ପ୍ରଶାସନ କୋଭିଡ୍ ମୁକାବିଲା ନେଇ ଅଧିକ ସତର୍କ ଏବଂ ସଚେତନ ହେବା ବଦଳରେ ପସ୍ ମେସିନ୍ ବ୍ୟବହାର କରି କୋଭିଡ୍‌କୁ ଆମନ୍ତ୍ରଣ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ରିଟେଲର ମାନେ ଅଭିଯୋଗ କରିଛନ୍ତି । ଗତକାଲି ଭଦ୍ରକ ପୌରାଞ୍ଚଳରେ ଥିବା ୩୦ ରୁ ଉର୍ଦ୍ଧ୍ୱ ରିଟେଲର ବିଧାୟକ ସଂଜୀବ ମଲ୍ଲିକଙ୍କୁ ଭେଟି କୋଭିଡ୍ ସଂକ୍ରମଣ ସମୟରେ ଯୋଗାଣ ନିଗମ ଜାରି କରିଥିବା ପସ୍ ମେସିନ୍ ବ୍ୟବହାର ଜନିତ କଟକଣା ହଟାଇ ନେବାକୁ ଦାବିପତ୍ର ଦେଇଛନ୍ତି । ଜିଲା ପ୍ରଶାସନ ଘଟଣାର ଗମ୍ଭୀରତାକୁଦୃଷ୍ଟିରେ ରଖି କରୋନା ବିପତ୍ତି ନ ଟଳିବା ଯାଏ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପସ୍ ମେସିନ୍ ବ୍ୟବହାରକୁ ଅସ୍ଥାୟୀ ଭାବେ ରଦ୍ଦ କରିବାକୁ ଦାବି କରିଛନ୍ତି । ଜିଲାରେ ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୫୧୬ ଜଣ ରିଟେଲର ରହିଥିବାବେଳେ ଭଦ୍ରକ ପୌରପାଳିକାରେ ୩୧ ଜଣ ପ୍ରାଇଭେଟ୍ ରିଟେଲର ରହିଛନ୍ତି । ଯେଉଁମାନଙ୍କ ଜରିଆରେ ଜିଲାରେ ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ମାସିକ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.