ନୟାଗଡ଼, ୨୫ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ କରୋନା ତା’ର କାୟା ବିସ୍ତାର କରି ଚାଲିଛି। ନୟାଗଡ଼ ପୌରାଚଂଳରେ କରୋନା ମାତିଥିବାବେଳେ ସୁନାବ୍ୟବସାୟୀ ଓ ତାଙ୍କ ପରିବାରଙ୍କ ଲିଙ୍କ ଯୋଗୁଁ ସହରବାସୀ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ଆଂଚଳିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସେମିତି ଲୋକମାନଙ୍କ ମନରେ ଭୟ ସଂଚାର କରିନଥିବାବେଳେ ସହର କରୋନା ସଂକ୍ରମିତଙ୍କ ଯୋଗୁଁ ସହରବାସୀଙ୍କ ଏକପ୍ରକାର ନିଦ ହଜିଯାଇଛି। ଏହାକୁ ନେଇ ଜିଲା ପ୍ରଶାସନର ମଧ୍ୟ ଚିନ୍ତା ବଢିଯାଇଛି। ନୟାଗଡ଼ ଜିଲାରେ ଗୁରୁବାର ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୮ରେ ପହଚିଂଥିବାବେଳେ ସେଥିମଧ୍ୟରୁ ଗତ ୧୯ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ସୁନାବ୍ୟବସାୟୀ ଓ ତାଙ୍କ ପରିବାରଙ୍କ ଲିଙ୍କ ଯୋଗୁଁ ୧୧ ଜଣ କେବଳ ପୌରାଚଂଳରେ କରୋନା ସଂକ୍ରମଣରେ ପିଡ଼ିତ ହୋଇଛନ୍ତି। ଏହି ସଂଖ୍ୟା ଆଗକୁ ଆହୁରି ବଢିବା ମଧ୍ୟ ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ଗତକାଲି ସୁନାବ୍ୟବସାୟୀ ଲିଙ୍କ ଯୋଗୁଁ କଇଁଥିଗାଡ଼ିଆ ପଂଚାୟତର ଜାମୁସାହି ଏବଂ ନୟାଗଡ଼ ମ୍ୟୁନିସିପାଲିଟିର ଯଦୁମଣିନଗର ଓ ଦେବୋତ୍ତର କଲୋନୀ ଉପରେ ଜିଲାପାଳ ତୀକ୍ଷଣ ନଜର ରଖିଛନ୍ତି। ଜାମୁସାହିର ଯେଉଁ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି ସେ ବ୍ୟକ୍ତି ସୁନାବ୍ୟବସାୟୀଙ୍କ ସୁନା ଦୋକାନର କର୍ମଚାରୀ ବୋଲି ଜଣାପଡ଼ିଛି। ଏହିପରିପ୍ରେକ୍ଷିରେ ଜିଲାପାଳ ଡ-ପୋମା ଟୁଡୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ୩ଟି ସ୍ଥାନ ଉପରେ କଡ଼ା ନଜର ରଖାଯିବା ସହ କଇଁଥିଗାଡ଼ିଆକୁ କଂଟେନ୍ମେଂଟ ଓ ନୟାଗଡ଼ ସହରର ଯଦୁମଣିନଗରକୁ ଅଧିକ କଟକଣା କରାଯାଇଛି ବୋଲି ସୂଚନା ଦେଇଛନ୍ତି। ଏପରିକି ଏହି ଅଂଚଳକୁ ପ୍ରଶାସନ ପକ୍ଷରୁ ବିଶୋଧନ କରାଯିବା ସହ ରାପିଡ୍ ସ୍ୱାବ ପରୀକ୍ଷା କରାଯିବ ବୋଲି ଜିଲାପାଳ କହିଛନ୍ତି। ଅନ୍ୟପକ୍ଷରେ ଗତକାଲି ଠାରୁ ନୟାଗଡ଼ ଜିଲାରେ ଦୋକାନ ବଜାର ସକାଳ ୬ଟାରୁ ଅପରାହ୍ନ ୧ଯାଏ ଖୋଲା ରଖାଯିବା ସହ ଯେଉଁମାନେ ଏହାକୁ ଅମାନ୍ୟ କରିବେ ତାଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠ।।ନ ଗ୍ରହଣ କରାଯିବ ବୋଲି ଘୋଷଣା କରିବା ପରେ ଗୁରୁବାର ୧ଟା ପରେ ସହର ଶୂନଶାନ ହୋଇଥିବା ଦେଖିବାକୁ ମିଳିଛି। ଏହି ସାମ୍ବାଦିକ ସମ୍ମଳନୀରେ ଜିଲାପାଳଙ୍କ ସମେତ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ, ଉପଜିଲାପାଳ ଲଗ୍ନଜିତ ରାଉତ, ଡିଏଫଓ ଧନରାଜ୍ ଏଚ ଡି ଓ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ-ପ୍ରମୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ଜିଲାପାଳ ଅଧିକ ଗୁରୁତ୍ୱ ଦେଇଥିଲେ।