Home ଓଡ଼ିଶା କୋଭିଡ-୧୯ ଦ୍ୱାରା ପ୍ରଭାବିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ପୁନର୍ବାର କାରବାର ଆରମ୍ଭ କରିବା ପାଇଁ ‘ଶିଶୁଋଣ’ :...

କୋଭିଡ-୧୯ ଦ୍ୱାରା ପ୍ରଭାବିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ପୁନର୍ବାର କାରବାର ଆରମ୍ଭ କରିବା ପାଇଁ ‘ଶିଶୁଋଣ’ : ୨ ପ୍ରତିଶତ ସୁଧ ରିଆତି

288

‘ଶିଶୁଋଣ’ ହିତାଧିକାରୀଙ୍କ ପାଇଁ ୨ ପ୍ରତିଶତ ସୁଧ ରିଆତି

– ଉପଯୁକ୍ତ ସମୟରେ ଋଣ ପରିଶୋଧ କଲେ ୧୨ ମାସ ପାଇଁ ରିହାତି ସୁବିଧା ମିଳିବ: ନିୟମିତ ପରିଶୋଧକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଉଦ୍ୟମ

– କୋଭିଡ-୧୯ ଦ୍ୱାରା ପ୍ରଭାବିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ପୁନର୍ବାର କାରବାର ଆରମ୍ଭ କରିବା ପାଇଁ ଏହା ସହାୟକ ହେବ

ନୂଆ ଦିଲ୍ଲୀ – ୨୪-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ‘ଶିଶୁ ଋଣ’ ଆକାଉଌକ୍ଷଗ୍ଧ;ଧାରୀଙ୍କୁ ନିୟମିତ କିସ୍ତି ପ୍ରଦାନ କ୍ଷେତ୍ରରେ ୧୨ ମାସ ପାଇଁ ୨ ଶତାଂଶ ହାରରେ ଋଣ ରିଆତି ଦେବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତି ଅନୁସାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ‘ଶିଶୁ ଋଣ’ କାର୍ଯ୍ୟକମରେ ଯେଉଁମାନେ ଋଣ ନେଇଛନ୍ତି ଓ ପୁନର୍ବାର ଋଣ ନେବାକୁ ଆଗ୍ରହୀ ସେମାନେ ଯଦି ଠିକ ସମୟରେ ତାହା ପରିଶୋଧ କରିବେ ତେବେ ସେମାନଙ୍କୁ ଏକ ବର୍ଷପାଇଁ ୨ ଶତାଂଶ କମ ହାରରେ ସୁଧ ଦେବାକୁ ପଡିବ।

ସରକାରୀ ନିଷ୍ପତି ଅନୁସାରେ ଯେଉଁମାନଙ୍କର ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଋଣ ବକେୟା ଥିବ ଏବଂ ସେମାନେ ରିଜର୍ଭବ୍ୟାଙ୍କର ନିର୍ଦେଶାବଳୀ ଅନୁସାରେ ସେହି ତାରିଖ ସୁଦ୍ଧା ଏନପିଏ ଶ୍ରେଣୀଭୁକ୍ତ ହୋଇନଥିବେ ସେମାନେ ଏହି ‘ଶିଶୁ ଋଣ’ ପାଇପାରିବେ।

ସେହିଭଳି ଯେଉଁ ଋଣକାରୀଙ୍କ କିସ୍ତି ବକେୟା ଥିବ ସେମାନଙ୍କ ଆକାଉଂଟ ଯେତେ ମାସ ପାଇଁ ଏନପିଏ ଶ୍ରେଣୀଭୁକ୍ତ ହୋଇନଥିବ ସେମାନଙ୍କୁ ଏହି ସୁଧ ରିଆତି ମିଳିବ ଏବଂ ସେମାନଙ୍କ ଖାତା ପୁନର୍ବାର ସଚଳ ସଂପତିଭାବେ ବିବେଚିତ ହେବ। ଯେଉଁମାନେ ନିୟମିତ ଋଣ ପରିଶୋଧ କରିବାକୁ ଆଗ୍ରହୀ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।

ଏହି ଯୋଜନାରେ ପ୍ରାୟ ୧୫୪୨ କୋଟି ଟଙ୍କା କେନ୍ଦ୍ର ସରକାର ଋଣ ଆକାରରେ ଯୋଗାଇଦେବେ।

ପୃଷ୍ଠଭୂମି

ଆତ୍ମନିର୍ଭର ଭାରତ ଅଭିଯାନ ଯୋଜନାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ସରକାର ଯେଉଁସବୁ ପ୍ରୋତ୍ସାହନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ତାହାର ଏକ ଅଂଶବିଶେଷ। ଏଥିରେ ଅତି ଛୋଟ ଛୋଟ ଉଦ୍ୟୋଗକୁ ଶିଶୁବର୍ଗରେ ରଖାଯାଇ ସେଗୁଡିକୁ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି। ଏହି ଶିଶୁବର୍ଗର ଉଦ୍ୟୋଗଗୁଡିକୁ ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ପାଇଁ ସର୍ବାଧିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି। ଏହି ଋଣ ‘ଶିଶୁଋଣ’ଭାବରେ ନାମିତ। ମୁଦ୍ରା ଲିମିଟେଡ ସହିତ ପଞ୍ଜୀକୃତ ହୋଇଥିବା ବିଭିନ୍ନ ଅନୁସୂଚିତ ବ୍ୟାବସାୟୀକ ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ ବିତୀୟ କମ୍ପାନୀ ଓ ମାଇକ୍ରୋ ଫାଇନାନସିଆଲ ଅନୁଷ୍ଠାନମାନେ ଏହି ମୁଦ୍ରା ଋଣ ଦେବାକୁ ଅଧିକୃତ। ସେମାନଙ୍କ ଜରିଆରେ ସଂପୃକ୍ତ ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରିବାର ନିୟମ ରହିଛି। ଶିଶୁ ମୁଦ୍ରା ଋଣ ଯୋଜନାରେ ଅର୍ଥ ନେଇ ବେପାର ବଣିଜ କରୁଥିବା ଅତି କ୍ଷୁଦ୍ର ଓ କ୍ଷୁଦ୍ର ଉଦ୍ୟୋଗଗୁଡିକ କରୋନା ମହାମାରୀ ସ୍ଥିତି ଯୋଗୁଁ ଗୁରୁତରଭାବେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କର କାରବାର ସବୁ ବନ୍ଦ ହୋଇଯାଇଛି। ଏସବୁ ବେପାରୀ ଅଳ୍ପ ଲାଭ କରୁଥିବାରୁ ପାଖରେ ଯଥେଷ୍ଟ ଜମା ବା ପୁଞ୍ଜି ନାହିଁ। ଏକପକ୍ଷରେ ସେମାନେ ବଂଚିବାକୁ ସଂଘର୍ଷ କରୁଥିବାବେଳେ ଅନ୍ୟପଟରେ ଋଣ ସୁଝିବାକୁ ହାତରେ ଧନ ନାହିଁ। ତେଣୁ ଅନେକ ଋଣୀ କିସ୍ତି ଦେଇପାରିନାହାନ୍ତି। ଏହା ଫଳରେ ସେମାନେ ଆଉ ଥରେ ବ୍ୟାଙ୍କରୁ ଋଣ ପାଇବା ସମ୍ଭାବନା ନାହିଁ। ଏଭଳି ସ୍ଥିତିରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଶିଶୁ ବର୍ଗରେ ୯.୭୩ କୋଟି ଋଣ ଆକାଉଂଟ ରହିଛି। ଏହିସବୁ ଖାତାଧାରୀଙ୍କ ଉପରେ ୧.୬୨ ଲକ୍ଷ କୋଟି ଟଙ୍କାର ଅନାଦାୟ ଋଣ ରହିଛି।

କାର୍ଯ୍ୟକାରୀ କରିବାର ରଣନୀତି

ଭାରତୀୟ କ୍ଷୁଦ୍ର ଉଦ୍ୟୋଗ ବିକାଶ ବ୍ୟାଙ୍କ ବା ସିଡ୍‍ବି ଏହି ଋଣ ନୀତିକୁ କାର୍ଯ୍ୟକାରୀ କରିବ। ୧୨ ମାସ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। ଯେଉଁ ଋଣକାରୀ ରିଜର୍ଭ ବ୍ୟାଙ୍କ କୋଭିଡ ପ୍ୟାକେଜ ଅନୁସାରେ ସେମାନଙ୍କ ଋଣପ୍ରଦାନକାରୀ ସଂସ୍ଥାଦ୍ୱାରା ସ୍ଥଗନାଦେଶ (ମୋରାଟୋରିୟମ) ପାଇଛନ୍ତି ସେମାନେ ତାଙ୍କର ଏହି ମୋରାଟୋରିୟମ କାଳ ଶେଷ ହେବା ପରେ ଏହି ୨ ଶତାଂଶ ରିଆତିର ସୁବିଧା ପାଇପାରିବେ। ଅର୍ଥାତ ସେମାନଙ୍କ ପାଇଁ ୨୦୨୦ ସେପ୍ଟେମ୍ବର ପହିଲାରୁ ୨୦୨୧ ଅଗଷ୍ଟ ୩୧ ଯାଏଁ ଏହି ଯୋଜନା ଲାଗୁହେବ। ଅନ୍ୟ ଋଣକାରୀଙ୍କ ପାଇଁ ଏହା ଚଳିତ ଜୁନ ପହିଲାରୁ ଆସନ୍ତା ବର୍ଷ ମେ ୩୧ ଯାଏଁ ଏହା ଉନ୍ମୁକ୍ତ ରହିବ।

ପ୍ରମୁଖ ପ୍ରଭାବ

ସାଂପ୍ରତିକ କୋଭିଡ ସଂକଟଦ୍ୱାରା ବେପାର ବଣିଜ କରି ଗୁଜୁରାଣ ମେଂଟାଉଥିବା ଛୋଟ ଛୋଟ ଉଦ୍ୟୋଗୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କ ଥଇଥାନ ଓ ରୋଜଗାର ବ୍ୟବସ୍ଥା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ସେମାନଙ୍କ ପୂର୍ବ ଋଣବୋଝ ହାଲୁକା କରିବା ସହ ବେପାର ଚଳାଇବା ପାଇଁ ପୁନର୍ବାର ଋଣ ଦେବାକୁ ଏହା ଉଦ୍ଦିଷ୍ଟ। ଏହାଦ୍ୱାରା ଏସବୁ ଉଦ୍ୟୋଗ ପୁନର୍ବାର ଚାଲୁହେବ ଏବଂ କର୍ମଚାରୀ ଛଟେଇ ବା ଆର୍ଥିକ ସଂକଟରୁ ରକ୍ଷା ପାଇବେ।

ଏହି ଯୋଜନା ଦ୍ୱାରା ସଂପୃକ୍ତ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହେବା ସହ ଅର୍ଥନୀତି ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ। ଭବିଷ୍ୟତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଅର୍ଥନୀତିକୁ ସୁଧାରିବାରେ ଏହା ସହାୟକ ହୋଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.