Home Coronavirus Outbreak ଭସ୍ମାସୁର ସାବଧାନ

ଭସ୍ମାସୁର ସାବଧାନ

392

ଦେବବ୍ରତ ଦେବତା

ଶତାବ୍ଦିର ଆତଙ୍କ କରୋନା। କୋଭିଡ-୧୯। କରୋନାର ଅଦୃଶ୍ୟ ଅଡ଼ୁଆ ସୁତାର ଖିଅ ଧରିପାରୁନାହାନ୍ତି ବୈଜ୍ଞାନିକ, ଚିକିତ୍ସକ, ଜନନାୟକ। ସମଗ୍ର ବିଶ୍ୱ ଆଶଙ୍କାଗ୍ରସ୍ଥ, ଆତଙ୍କିତ। ବିଶ୍ୱଯୁଦ୍ଧର ବିଭିଷିକା ଠାରୁ ଆହୁରି ଭୟଙ୍କର ଏ କରୋନା। ରକ୍ତ ବିର୍ଜ୍ୟର ରକ୍ତ ଛିଟା ଭୂପତିତ ହେଲେ ସହସ୍ର ସହସ୍ର ରକ୍ତ ବିର୍ଜ୍ୟ ସିନା ଜନ୍ମ ନେଉଥିଲେ। ହେଲେ କରୋନାର ଅଦୃଶ୍ୟ ସ୍ପର୍ଶରେ ସହସ୍ର ସହସ୍ର ମଣିଷ ଆଜି ମୃତ୍ୟୁର ସମିପବର୍ତ୍ତୀ। ଉପଚାର, ମହୋଷଧିର ପ୍ରୟୋଗ ସତ୍ତ୍ୱେ ବ୍ୟାପିଚାଲଛି କରୋନା। ଚିନ୍‌ର ଓହ୍ୱାନ ସହର ଏହାର ଉଦ୍ଭବସ୍ଥଳୀ। ଏହାର ଶେଷ କେବେ ସମୟ ହିଁ କହିବ।

ଜନତା କର୍ଫୁ (ମାର୍ଚ୍ଚ୨୨), ଲକ୍ ଡ଼ାଉନ(ମାର୍ଚ୍ଚ୨୫ରୁ ଏପ୍ରିଲ୍‌୧୪), ସଟ୍ ଡ଼ାଉନ୍ ବା ଆକୁ ବତା ସାଜିଥିଲେ ହେଁ ଅନ୍ୟ ଦେଶ ତୁଳନାରେ ଭାତରକୁ ସଂକ୍ରମଣ ଦାଉରୁ ଆପତତଃ ସେତେଟା କ୍ଷତି ପହଂଚେଇ ପାରିନି।

ସଙ୍ଘରୋଧ, ମୁଖମଣ୍ଡଳ ଆଚ୍ଛାଦନ, ସାମାଜିକ ଦୂରତା ରକ୍ଷା, ଯାନବାହାନ ନିୟନ୍ତ୍ରଣ, ଅଧିକ କୋଭିଡ-୧୯ ପରୀକ୍ଷାଗାର ଓ ଚିକିତ୍ସାଳୟ ଯୁଦ୍ଧକାଳୀନ ଭିତିରେ ନିର୍ମାଣ ଇତ୍ୟାଦି ଦେଶ ଓ ରାଜ୍ୟର ଡ଼ାକରାରେ ଜନସାଧାରଣଙ୍କର ସହଯୋଗ ଏକ ଆଶ୍ୱସ୍ଥି।

ତଥାପି ମଣିଷ ଚେତୁନାହିଁ। ନିଜେ ନିଜକୁ ସୁରକ୍ଷା ବଳୟରେ ରଖିବାହିଁ କରୋନା ସଂକ୍ରମଣରୁ ରକ୍ଷା ପାଇବା। ଅର୍ଥନୀତି ଭୁଷୁଡି ପଡ଼ିଛି। ମାନବ ସମ୍ବଳ ଦୁର୍ବଳ ହୋଇଛି। ତଥା କଥିତ ଶ୍ରେଷ୍ଠ ବୋଲାଉଥିବା ରାଷ୍ଟ୍ର ସମୁହ ତ୍ରାହି ତ୍ରାହି ଡ଼ାକ ଛାଡ଼ୁଛନ୍ତି। କ୍ରମଶଃ ଖାଦ୍ୟ ସଙ୍କଟ, ଗମନାଗମନ ସଙ୍କଟ, ଆମଦାନୀ ରପ୍ତାନୀ ସଂକଟ ଓ ଆର୍ଥିକ ଅନଗ୍ରସର ଖଟିଖିଆ, ଦିନମଜୁରିଆ, ଶ୍ରମିକମାନଙ୍କ ସମସ୍ୟା ବଢି ବଢି ଚାଲିଛି।

ଦୃଢ ମନୋବଳ, ରାଷ୍ଟ୍ର ଓ ରାଜ୍ୟ ଡ଼ାକରାକୁ ସମ୍ମାନ ଓ ନିଜେ ସଂଜମତା ଅବଲମ୍ବନ ପୂର୍ବକ ଯଥା ସମ୍ଭବ ସାମାଜିକ ଦୂରତା ବଜାୟ ରଖିଲେ ହୁଏତ କରୋନାର କରାଳ ଛାୟା କ୍ରମଶଃ ଅପସରି ଯିବ।

ତେବେ ଏ ବିପତି ଆମକୁ ଶିଖାଇଲା କଣ?

“ସର୍ବେ ହୋଇବେ ଉର୍ଦ୍ଧ୍ୱମୁଖ, ଡ଼ାକିବେ ନାରାୟଣ ରଖ” ନ୍ୟାୟରେ ଏକ ଅଦୃଶ୍ୟ ଶକ୍ତିର ଏ ମହା ପରୀକ୍ଷା। ପ୍ରକୃତିକୁ ଦାସ ସଜାଇ, ବିକଳାଙ୍ଗ ବିଖଣ୍ଡିତ କରି ସ୍ୱାର୍ଥ ସର୍ବସ୍ୱ ମଣିଷ ନିଜର ଅହଙ୍କାର, ଗର୍ବର ତୁଚ୍ଛତା ଶିକ୍ଷା କରିବ ଏହି ବିପତିରୁ। ଭସ୍ମାସୁର ସାଜି ନିଜର ମୃତ୍ୟୁକୁ ନିଜେ ଆମନ୍ତ୍ରଣ କରିବ। କରୋନା ଆମକୁ ଶିଖାଉଛି ଭୋଗ ପରିବର୍ତ୍ତେ ତ୍ୟାଗ। ହିଂସା ପରିବର୍ତ୍ତେ ସଂବେଦନା, ସହାନୁଭୁତି, ଆତ୍ମସଂଜମତାର ମନ୍ତ୍ର, ଏକାନ୍ତବାସର ଗୁରୁତ୍ୱ, ପାରିବାରିକ ଏକତ୍ୱ ବୋଧ, ସ୍ନେହ, ପ୍ରେମ, ଅନୁରାଗ, ସଂପ୍ରିତି ଓ ସହନଶୀଳତା ମାନବୀୟ ସଦ୍‌ଗୁଣ। ଦାମ୍ଭିକ ଏକଦିଗଦର୍ଶୀ, ସାମ୍ରାଜ୍ୟ ଲିପ୍ସୁ ଶୋଷଣକାରୀ ରାଷ୍ଟ୍ରମାନଙ୍କୁ ଚେତାବନୀ। ଆଧ୍ୟାତ୍ମିକ ବଳରେ ବଳୀୟାନ ହେବାକୁ ଆହ୍ୱାନ। ମିତବ୍ୟୟିତାରୁ ବ୍ୟୟ ସାରଣୀ ପ୍ରସ୍ତୁତି। ସର୍ବୋପରି ଅସହାୟ ବୋଧ ମଧ୍ୟରେ ଜୀବନକୁ ଚିହ୍ନି ପାରିବା ପରି ଶକ୍ତି। ବିଶ୍ୱର ରାଷ୍ଟ୍ର ସମୁହ ପାରିପାଶ୍ୱିର୍କ ବୁଝାମଣା ଦ୍ୱାରା ଏକ ଦିଗଦର୍ଶିତା, ସ୍ୱାର୍ଥପରତା ଓ ଔଦ୍ଧତ୍ୟକୁ ବର୍ଜନ ପୂର୍ବକ ‘ବସୁଦେବ କୁଟୁମ୍ବକ’ ଭାବନାରେ ଉଦ୍ଭୁଦ ହେବାର ଆହ୍ୱାନ। ଆସନ୍ତୁ…. ସମସ୍ତେ ପରସ୍ପର ଠାରୁ ଶାରିରିକ ଦୂରତା ବଜାୟ ରଖି ମାନସିକ ସ୍ନେହ, ପ୍ରେମ, କରୁଣାର ନିବିଡ଼ତାରେ କରୋନାକୁ ହଟାଇବା, ହରାଇବା ଓ ଇଶ୍ୱରଙ୍କ ସୁନ୍ଦର ସୃଷ୍ଟିକୁ ସୁରକ୍ଷା ଦେବା ସହ ଜଗତର ଶ୍ରେଷ୍ଟ ଜୀବ ମାନବର ଅକାଳ ମୃତ୍ୟୁର ପ୍ରତିରୋଧ କରିପାରିବା। କରୋନା ହଟିବ ହିଁ ହଟିବ। (ଲେଖକଙ୍କର ନିଜସ୍ୱ ମତ)

ସଂପାଦକ

‘ସାଧନାର ସ୍ୱରୂପ’
ଖରମଙ୍ଗି, ଚଣ୍ଡିଖୋଲ, ଯାଜପୁର

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.