ବାଲିଗୁଡା,୬/୩ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ସତ୍ୟପୀର ମିଶ୍ର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ପୂର୍ବତନ ସାମାଜିକ ଶିକ୍ଷା ସଙ୍ଗଠକ (ଏସ୍ଇଓ) ନବକେଶି ଦେଶୀନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରଛନ୍ତି।
କ.ନୂଆଗାଁ ବ୍ଲକ ଅଞ୍ଚଳରେ ପଦ୍ମଚରଣ ସାହୁ ନାମକ ଜଣେ ବ୍ୟକ୍ତି ବିଦ୍ୟାଳୟଗୁଡିକର ମଧ୍ୟାହ୍ନଭୋଜନ ପାଇଁ ଅଣ୍ଡା ଯୋଗାଉଥିଲେ। ସେ ବାବଦକୁ ସରକାରଙ୍କ ଠାରୁ ପଦ୍ମଚରଣ ୭୪ ହଜାର ୯୦ ଟଙ୍କା ପାଇବାର ଥିଲା। ଏହି ଟଙ୍କାର ବିଲ୍କରିଦେବା ପାଇଁ ଦାୟିତ୍ୱରେ ଥିବା ନବକେଶି ଦେଶୀନାୟକ ଙ୍କୁ ସେ ଅନୁରୋଧ କରିଥିଲେ। ଏଥିପାଇଁ ଦେଶୀନାୟକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ତେବେ ୮ ହଜାର ଟଙ୍କା ଦେବାକୁ କଥା ଛିଡିଥିଲା। ପଦ୍ମଚରଣ ଏ ନେଇ ୨୦୧୪ ଜୁଲାଇ ୨୨ରେ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କ୍ରମେ ନଂ.୩୨/୧୪ରେ ମାମଲା ରୁଜୁ ହୋଇଥିଲା। ୨୩ ତାରିଖରେ ପଦ୍ମଚରଣ ଲାଞ୍ଚ ଟଙ୍କା ଦେଶୀନାୟକଙ୍କୁ ତାଙ୍କ ଅଫିସରେ ଦେବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀ ସେଠାରେ ପହଞ୍ଚି ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ।