Home ଓଡ଼ିଶା ଜାମିଆ ଫାଇରିଙ୍ଗକୁ ନେଇ ରାଜନୀତି ଉଷ୍ମ: ମାହୌଲ ଖରାପ କରୁଛି ବିଜେପି : ସଞ୍ଜୟ...

ଜାମିଆ ଫାଇରିଙ୍ଗକୁ ନେଇ ରାଜନୀତି ଉଷ୍ମ: ମାହୌଲ ଖରାପ କରୁଛି ବିଜେପି : ସଞ୍ଜୟ ସିଂ; ବିପଦରେ ଗଣତନ୍ତ୍ର -ନିରଞ୍ଜନ

298

ନୂଆଦିଲ୍ଲୀ ୩୦-୧ (ଓଡ଼ିଆ ପୁଅ) ଦକ୍ଷିଣ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରମାନେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରୁଥିବାବେଳେ ଜଣେ ଯୁବକ ହଠାତ ସେଠାରେ ପହଞ୍ଚି ଗୁଳିମାଡ଼ କରିବାରୁ ଜଣେ ଛାତ୍ର ଆହତ ହୋଇଛନ୍ତି। ଆହତ ହୋଇଥିବା ଛାତ୍ର ସଦ୍ଦାବର ବାହୁରେ ଗୁଳି ବାଜିଛି ଏବଂ ତାଙ୍କୁ ପ୍ରଥମେ ହୋଲି ଫ୍ୟାମିଲି ହସ୍ପିଟାଲ ଜାମିଆ ନଗର ଏବଂ ପରେ ଏମ୍ସକୁ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି।

ଛାତ୍ରମାନେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଜନ୍ତରମନ୍ତର ପର୍ଯ୍ୟନ୍ତ ମାର୍ଚ୍ଚ କରୁଥିବାବେଳେ ଏହି ଘଟଣା ଘଟିଥିଲା। ଏନେଇ ଛାତ୍ରମାନେ କହିଛନ୍ତି ଯେ, ଆକ୍ରମଣକାରୀ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା ମାତ୍ର ପୋଲିସ ଏସବୁକୁ ଚୁପଚାପ ହୋଇ ଦେଖୁଥିଲା।

ସୂଚନାଯୋଗ୍ୟଯେ, ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହି ଗୁଳିମାଡ଼ ଘଟଣା ବିଜେପି ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଦିଲ୍ଲୀ ନିର୍ବାଚନରେ ଦିଆଯାଇଥିବା ଉତ୍ତେଜନାମୂଳକ ଭାଷଣ ଏବଂ ଏହା ପରେ ଏକ ନାରା “ଦେଶ କୀ ଗରଦାରୋଂ କୋ” … “ଗୋଲି ମାରୋ ..କୋ” ପରେ ହିଁ ଘଟିଛି। ଅର୍ଥାତ୍ ଦିଲ୍ଲୀର ଏକ ନିର୍ବାଚନୀ ସଭାରେ ବିଜେପି ନେତା ତଥା ମନ୍ତ୍ରୀ ଅନୁରାଗ ଠାକୁର ଦେଶଦ୍ରୋହୀଙ୍କୁ କ’ଣ କରାଯିବା ଦରକାର ପଚାରିଥିବାବେଳେ ସେଠାରେ ଉପସ୍ଥିତ ଥିବା ଜନତା କହିଥିଲେ … ଙ୍କୁ ଗୁଳି ମରାଯିବା ଦରକାର। ଏହାକୁ ନେଇ ବିବାଦ ବଢ଼ିଥିଲା। ଏହା ପରେ ନିର୍ବାଚନ କମିଶନ ଅନୁରାଗଙ୍କୁ ୯୬ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାରରୁ ବାସନ୍ଦ କରିଛନ୍ତି। ତାଙ୍କୁ ପ୍ରଚାର କରିବା ପାଇଁ ମନା କରାଯିବା ପରେ ବିଜେପି କହିଥିଲା ତାରକା ପ୍ରଚାର ତାଲିକାରୁ ବାଦ ପଡ଼ିଲେ ମଧ୍ୟ ଅନୁରାଗ ଠାକୁର ପ୍ରଚାର କରିବେ। ଜାମିଆ ଗୁଳିକାଣ୍ଡ ଘଟଣା ପରେ ଏହି ବିବାଦ ଅଧିକ ବଢ଼ିବା ଆଶଙ୍କା କରାଯାଉଛି।

ବନ୍ଧୁକ ଧରି ଡରାଇବା ସହ ଯୁବକଜଣଙ୍କ ଉତ୍ତରପ୍ରଦେଶ ଜିଓ୍ବାର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି ଏବଂ ସେ ଜଣେ ନା ବାଳକ ବୋଲି କୁହାଯାଉଛି। ଜାମିଆ ଆକ୍ରମଣକାରୀ, “ରାମଭକ୍ତ ଗୋପାଳ”, ନାମରେ ଏକ ଫେସବୁକ୍ ଆକାଉଣ୍ଟ ଖୋଲିଥିଲା। ଫାୟାରିଂ ପୂର୍ବରୁ ସେ ଫେସବୁକ ଲାଇଭ କରିଥିଲା। ଅବଶ୍ୟ ଏହି ଆକାଉଣ୍ଟକୁ ବ୍ଲକ କରାଯାଇଛି ଏବଂ ଏହି ଭିଡ଼ିଓକୁ ମଧ୍ୟ ବ୍ଲକ କରାଯାଇଛି। ଗୁଳି ମାଡ଼ କରିବା ବେଳେ “କିଏ ଚାହୁଁଛି ଆଜାଦୀ ଓ ମୁଁ ତା’କୁ ଆଜାଦୀ ଦେବି ବୋଲି ସ୍ଲୋଗାନ ଦେଇଥିଲା।” ଏଥିସହ ଗୁଳିମାଡ଼ କରିବା ପରେ ସେ ବେଧଡ଼କ ରାସ୍ତାରେ ବନ୍ଧୁକ ଧରି ବୁଲିଥିଲା। ଏହି ଫେସବୁକ ଲାଇଭରେ ସେ ଆନ୍ଦୋଳନ ସ୍ଥଳରେ ବୁଲିବା ସହ ଏଣେତେଣ ଦେଖି ନିଜର ଟାର୍ଗେଟ ସେଟ କରୁଥିବା ଦେଖିବାକୁ ମିଳିଥିଲା ଏବଂ ଏହାପରେ ହିଁ ସେ ନିଜ ପାଖରେ ରଖିଥିବା ବନ୍ଧୁକ ଦ୍ୱାରା ଆକ୍ରମଣ କରିଥିଲା। ଏହି ଲାଇଭ ଭିଡିଓ ବ୍ୟତୀତ ସେ ଏକାଧିକ ପୋଷ୍ଟ ମଧ୍ୟ ଫେସବୁକରେ କରିଥିଲା। ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ପଚରା ଉଚରା କରିବା ପରେ ପୋଲିସ୍ ତା’ବିରୁଦ୍ଧରେ ମାମଲା ରୁଜୁ କରିଛି।

ଗୁଳି ମାଡ଼ କରିବା ପୂର୍ବରୁ କିଏ ଚାହୁଁଛି ଆଜାଦୀ ବୋଲି ପ୍ରଶ୍ନ କରିଥିବା ଯୁବକ, ଶାହୀନ ବାଗ ଆନ୍ଦୋଳନକାରୀଙ୍କୁ ମଧ୍ୟ ଫେସବୁକରେ ଧମକ ଦେଇଥିଲା। ସେ ଏଥିରେ ଲେଖିଥିଲା ଯେ ଶାହୀନ ବାଗର ଖେଳ ଖତମ। ତୃତୀୟ ପୋଷ୍ଟରେ ଏଠାରେ କୌଣସି ହିନ୍ଦୁ ମିଡିଆ ନାହାନ୍ତି ବୋଲି ଲେଖିଥିଲା। ଏହା ବ୍ୟତୀତ ଅନେକ ସେ ଅନେକ ବିବାଦୀୟ ପୋଷ୍ଟ କରିଥିଲା।

ସୂଚନାଯୋଗ୍ୟଯେ, ଦିଲ୍ଲୀର ଶାହୀନ ବାଗରେ ଦୀର୍ଘ ଦିନ ହେବ ସିଏଏ ବିରୋଧରେ ଆନ୍ଦୋଳନ ଚାଲିଛି। ଏହାକୁ ନେଇ ରାଜନୈତିକ ତର୍କ ବିତର୍କ ଏବଂ ନେତା ମାନଙ୍କ ମଧ୍ୟରେ ବାକଯୁଦ୍ଧ ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଆଜି ରାମଭକ୍ତର ଗୁଳି ମାଡ଼ ଘଟଣାରେ ରାଜନୈତିକ ଉଷ୍ମତା ବଢ଼ିଯାଇଛି।

ଜାମିଆ ଫାଇରିଙ୍ଗକୁ ନେଇକରି ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦୀନ ଓବୈସୀ ଟ୍ୱିଟ କରି ପ୍ରକାଶ କରିଛନ୍ତି, ”ଏହି ଘଟଣା ଆଜି ଘଟିଛି ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କର ହତ୍ୟାକାରୀ ଗୋଡସେଙ୍କୁ ମନେ ପକାଉଥିଲୁ। ଯେତେବେଳେ ଛାତ୍ରମାନେ ଏହାକୁ ନେଇ ଏକ ମାର୍ଚ୍ଚ କରୁଥିଲେ ସେତେବେଳେ ଏଭଳି ହରତକ ଆମକୁ ଡରାଇ ପାରିବ ନାହିଁ। ପ୍ରଦର୍ଶନ ଜାରୀ ରହିବ। ତା’ ସହିତ ସେ ଦିଲ୍ଲୀ ପୋଲିସ୍ ଉପରେ ବର୍ଷିଛନ୍ତି। ଓବୈଶୀ ଟ୍ୱିଟ୍ କରି ପଚାରିଛନ୍ତିଯେ, “ପୀଡ଼ିତଙ୍କୁ ବ୍ୟାରିକେଟ୍ ଉପରେ କାହିଁକି ଚଢ଼ିବାକୁ ପଡ଼ିଲା।” ସୂଚନାଯୋଗ୍ୟଯେ, ଗୁଳି ଯାହାଙ୍କୁ ବାଜିଥିଲା ତାଙ୍କୁ ହସ୍ପିଟାଲ ଯିବା ପାଇଁ ବ୍ୟାରିକେଟ୍ ଉପରେ ଚଢ଼ିଯିବାକୁ ପଡ଼ିଥିଲା।

ବାମପନ୍ଥୀ ନେତା ଡି ରାଜା କହିଛନ୍ତିଯେ, ବିଜେପି ନେତା ଅନୁରାଗ ଠାକୁରଙ୍କର ସେହି ଟିପ୍ପଣୀ ପାଇଁ ତାଙ୍କୁ ଗିରଫ କରାଯିବା ଆବଶ୍ୟକ। ବିଜେପି ନେତାମାନଙ୍କ ଦ୍ୱାରା ଦିଆଯାଉଥିବା ଉତ୍ତେଜନାମୂଳକ ଭାଷଣର ଏହା ସିଧା ପରିଣାମ।

ଆପ ନେତା ସଂଜୟ ସିଂହ କହିଛନ୍ତି – ମାହୌଲ ବିଗାଡ଼ୁଛି ବିଜେପି। ସେ କହିଛନ୍ତି ଜାମିଆରେ ଯେଉଁ ଘଟଣା ଘଟିଛି ଏଥିରୁ ସ୍ପଷ୍ଟ ହୋଇଛିଯେ, ଗୃହ ମନ୍ତ୍ରୀ ଅମିତ ଶାହ ବନିବା ପରେ ଆଇନ୍ ବ୍ୟବସ୍ଥା ଖରାପ ହୋଇଛି। ବିଜେପି ଏକ ସୁନିୟୋଜିତ ଷଡ଼ଯନ୍ତ୍ର ଅନୁଯାୟୀ ହାରିବା ଡରରେ ମାହୌଲ ବିଗାଡ଼ିବାକୁ ଚେଷ୍ଟା କରୁଛି। ପୂର୍ବରୁ ନେତାମାନେ ଓଲଟାପୋଲଟା କଥା କହୁଛନ୍ତି, ଅରବିନ୍ଦ କେଜରୀୱାଲଙ୍କୁ ଆତଙ୍କବାଦୀ କହୁଛନ୍ତି। ହାରିବା ଡରରେ ଦିଲ୍ଲୀର ମାହୌଲ ଖରାପ କରିବାରେ ଲାଗିଛନ୍ତି।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତିଯେ, ବିଜେପି ହାତରେ, ବିପଦରେ ଗଣତନ୍ତ୍ର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.