ଭୁବନେଶ୍ୱର ଏମ୍ସରେ ବାଜପେୟୀଙ୍କ ପ୍ରତିମୂର୍ତି ଲୋକାର୍ପଣ ସହ ବିଭିନ୍ନ ରୋଗୀ ସୁବିଧାର ଶିଳାନ୍ୟାସ-ଉଦଘାଟନ କାର୍ଯ୍ୟକ୍ରମ
ଭୁବନେଶ୍ୱର, ଡିସେମ୍ବର ୨୫ (ଓଡ଼ିଆ ପୁଅ) – ଓଡିଶା ପାଇଁ ଭୁବନେଶ୍ୱର ଏମ୍ସ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଥିଲା ବୋଲି ବୁଧବାର ଭୁବନେଶ୍ୱର ଏମ୍ସ ମେଡିକାଲ ପରିସରରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ ମୂର୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ କରକମଳରେ ଲୋକାର୍ପଣ ଏବଂ ମେଡିକାଲରେ ବିଭିନ୍ନ ରୋଗୀ ସୁବିଧାର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏମ୍ସରେ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ ମୂର୍ତି ସ୍ଥାପିତ କରିଥିବାରୁ ଏମ୍ସ ଭୁବନେଶ୍ୱର ଓ ମହାନଦୀ କୋଇଲା କମ୍ପାନୀକୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ୨ ବର୍ଷ ତଳେ ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲେ।
ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଏମ୍ସରେ ୪୦ଟି ବିଭାଗ ଖୋଲାଯାଇଛି। ଓଡିଶାକୁ ଉତମ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଭାରତ ସରକାର ପ୍ରତିବଦ୍ଧ। ଆଗାମୀ ଦିନରେ ଏମ୍ସ ରାଜ୍ୟ ଓଡିଶା ଏବଂ ପଡୋଶୀ ରାଜ୍ୟର ସ୍ୱାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରିବ ବୋଲି ସେ କହିଛନ୍ତି।
ସାମ୍ବାଦିକଙ୍କ ପୃଥକ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଏପର୍ଯ୍ୟନ୍ତ ଭାରତ ଆୟୁଷ୍ମାନ ଯୋଜନା ଲାଗୁ ହେଲାନାହିଁ।
ଗରିବ ଲୋକଙ୍କ ବଡ ବଡ ରୋଗ ଯଥା ହୃଦ ରୋଗ, ଟ୍ୟୁମର, କ୍ୟାନସର ପାଇଁ ଖର୍ଚ୍ଚର ଆବଶ୍ୟକତାର ଅଛି। ଭାରତ ସରକାର ଗରିବଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚର ବ୍ୟବସ୍ଥା କରିଛନ୍ତି। ମାତ୍ର ଓଡିଶା ସରକାର ଏପର୍ଯ୍ୟନ୍ତ ତାକୁ ଗ୍ରହଣ କରିନାହାନ୍ତି ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଆୟଷ୍ମାନ ଯୋଜନା ଲାଗୁ କରିବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରି ଆସୁଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ପୁଣି ଥରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ସାର୍ବଜନୀନ ଭାବେ ସରକାରଙ୍କୁ ଅନୁରୋଧ କରିଛନ୍ତି। ସମସ୍ତେ ଏକାଠୀ ହୋଇ ଓଡିଶାର ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଦେବାର ଆବଶ୍ୟକତା ରହଛି। ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନାରେ ଓଡିଶା ସାମିଲ ହେବ, ଏହା ଆମର ଅପେକ୍ଷା ବୋଲି ସେ କହିଛନ୍ତି।
ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଦ୍ୱାରା ଏମ୍ସ ମେଡିକାଲର ମୋଡୁଲାର ଅପରେସନ ଥିଏଟର, ଆଇସିୟୁ କମ୍ପେକ୍ସର ଶିଳାନ୍ୟାସ ଓ କାଥ୍ ଲ୍ୟାବ, ଡିଏଫଆରର ଉଦଘାଟିତ ହୋଇଥିଲା।