Home ଅପରାଧ ରାଜ୍ୟରେ ଦୁଷ୍କର୍ମ ବୃଦ୍ଧି; ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ, ବିଜେଡିର କଟାକ୍ଷ: କିଏ ଠିକ୍, ଆଉ...

ରାଜ୍ୟରେ ଦୁଷ୍କର୍ମ ବୃଦ୍ଧି; ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ, ବିଜେଡିର କଟାକ୍ଷ: କିଏ ଠିକ୍, ଆଉ କିଏ ଭୁଲ୍?

813

ଭୁବନେଶ୍ୱର: ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଆଦି ଘଟଣାକୁ ନେଇ ସାରା ଦେଶରେ ଏବେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।ନିର୍ଭୟା କାଣ୍ଡ ପରେ ହାଇଦ୍ରାବାଦ ଘଟଣାକୁ ନେଇ ଦେଶରେ ଏକ ବଡ଼ ପ୍ରତିକ୍ରିୟା ଦେଖିବାକୁ ମିଳିଲା।ଏହାପରେ ୪ ଅଭିଯୁକ୍ତଙ୍କ ଏନକାଣ୍ଟର୍ ଘଟଣାଟିକୁ ଏକ ନୂଆ ରୂପ ଦେଲା।ଠିକ୍ ଏହି ସମୟରେ ଉତ୍ତରପ୍ରଦେଶ ଉନାଉରେ ଘଟିଲା ଆଉ ଏକ ଭୟଙ୍କର ଘଟଣା।ଗଣଦୁଷ୍କର୍ମ ଅଭିଯୁକ୍ତ ଜେଲରୁ ବେଲରେ ଆସି ପିଡ଼ି଼ତାଙ୍କୁ ଜିଅନ୍ତା ଜାଳିଦେଲେ।ଦୀର୍ଘ ୪୦ ଘଣ୍ଟା କାଳ ମୃତ୍ୟୁ ସହିତ ସଂଘର୍ଷ କରି ଶେଷରେ ପିଡ଼ି଼ତା ଆଖି ବୁଜିଲେ।ଏହିପରି ଘଟଣା ଏବେ ସାରା ଦେଶରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି।ଆଉ ଲୋକେ ହାଇଦ୍ରାବାଦ ଏନକାଉଣ୍ଟର ପରି ତ୍ୱରିତ ନ୍ୟାୟ ଚାହୁଁଛନ୍ତି।ଯାହା ବିଚାର ବିଭାଗ ପ୍ରତି ଚିନ୍ତାର କାରଣ।କେବଳ ଫାଷ୍ଟ ଟ୍ରାକ କୋର୍ଟରେ କାଗଜ କଲମରେ ତ୍ୱରିତ ନ୍ୟାୟ ନୁହେଁ, ତୁରନ୍ତ ଦଣ୍ଡବିଧାନ ଦାବି କରୁଛନ୍ତି ଲୋକେ।

ଓଡ଼ିଶାରେ ମଧ୍ୟ ଦୁଷ୍କର୍ମ ଜନିତ ଘଟଣାକୁ ନେଇ ମଧ୍ୟ ବିଭିନ୍ନ ସମୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି।ଏବେ ଓଡ଼ିଶାରେ କ୍ୟାପିଟାଲରେ ଚକୋଲେଟ୍ ଦେଇ ଶିଶୁ କନ୍ୟା ସହ ଦୁଷ୍କର୍ମ, କଟକରେ ମନ୍ଦିର ସାମ୍ନାରେ ଶିଶୁ କନ୍ୟା ସହ ଦୁଷ୍କର୍ମ, ଖଲ୍ଲିକୋଟରେ ୬ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ, ଖଇରାରେ ଧାନ କାଟିବାକୁ ଆସିଥିବା ନାବାଳିକା ସହ ଦୁଷ୍କର୍ମ, ବାଦାମ ପାହାଡ଼ରେ କ୍ରିକେଟ ପଡ଼ିଆରୁ ଉଠାଇ ନେଇ ଦୁଷ୍କର୍ମ ଆଉ କେତେ କ’ଣ ଘଟି ଚାଲିଛି।କୁନ୍ଦୁଲି, ବେବିନା, ଇତିଶ୍ରୀ ,ମାଧବୀଲତା ପରେ ଏଇ ନିକଟରେ ସ୍ମିତାରାଣୀ ବିଶ୍ୱାଳ ଘଟଣାକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।ଏବଂ ଏ’ସବୁ ଘଟଣାରେ ପ୍ରତିକ୍ରିୟା ଦେଖାଇବାରେ ବିଜେପି ମହିଳା ମୋର୍ଚ୍ଚା ଆଗରେ ଥିଲା।ଏବେ ପୁଣି ପୁରୀ ପୋଲିସ କ୍ୱାଟରେ ଦୁଷ୍କର୍ମ ଏବଂ ମୟୁରଭଞ୍ଜର ରାଇରଙ୍ଗପୁର ମହିଳା ଅଧ୍ୟାପିକାଙ୍କ ଘଟଣା ପରେ ପ୍ରତିକ୍ରିୟା ଦେଖାଇଛି ବିଜେପି ମହିଳା ମୋର୍ଚ୍ଚା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ପ୍ରଶ୍ନ ପଚାରିବା ଦାବିରେ ହଙ୍ଗାମା କରିଛି ବିଜେପି ମହିଳା ମୋର୍ଚ୍ଚା।ରାସ୍ତା ଉପରେ ବସିଛି, ପୋଲିସ ସହିତ ଧସ୍ତାଧସ୍ତି କରିଛି।ତେବେ ଏହାକୁ ନେଇ ବିଜେପିକୁ କଟାକ୍ଷ କରିଛି ବିଜେଡି।ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ଲେନିନ ମହାନ୍ତି, ଶ୍ରୀମୟୀ ମିଶ୍ର ଏବଂ ସୁଲତା ଦେଓ ଦୁଷ୍କର୍ମ ପରି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାରେ ବିଜେପି କେବଳ ଅଯଥା ରାଜନୀତି କରୁଛି ବୋଲି କହିଛନ୍ତି।ଦୁଷ୍କର୍ମ ଘଟଣାକୁ ନେଇ ଆଇନ ଠିକ୍ ବାଟରେ ଯାଉଛି ବୋଲି ଏମାନେ କହିଛନ୍ତି।ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ମଧ୍ୟ ସେହି ସମାନ କଥା କହିଛନ୍ତି।ତେବେ ଏ’ ନାଟକ କାହିଁକି କରୁଛି ବିଜେପି ମହିଳା ମୋର୍ଚ୍ଚା?କିଏ ଠିକ୍, ଆଉ କିଏ ଭୁଲ?

ଦେଖିବାକୁ ଗଲେ ପୁରୀ ପୋଲିସ କ୍ୱାଟର ଦୁଷ୍କର୍ମ ଅଭିଯୋଗ ଏବଂ ମୟୁରଭଞ୍ଜର ରାଇରଙ୍ଗପୁର ମହିଳା ଅଧ୍ୟାପିକାଙ୍କ ଘଟଣା ପରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି ମହିଳା ମୋର୍ଚ୍ଚା।ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ପ୍ରଶ୍ନ ପଚାରିବା ଦାବିରେ ଏପରି ହଙ୍ଗାମା କରିଥିଲା।ହଙ୍ଗାମା ମଧ୍ୟ ମାତ୍ରାଧିକ ହୋଇଥିଲା।ଏହାକୁ ନେଇ ବିଜେଡି ପକ୍ଷରୁ ଶ୍ରୀମୟୀ ମିଶ୍ର, ସୁଲତା ଦେଓ ଏବଂ ଲେନିନ ମହାନ୍ତି ବିଜେପି ଅଯଥା ରାଜନୀତି କରୁଛି ବୋଲି କଟାକ୍ଷ କରିଥିଲେ।ଆଉ ପିଡ଼ି଼ତା ନାରୀଙ୍କ ପାଇଁ ଖୁବ ଚିନ୍ତିତ, ଖୁବ ସମ୍ବେଦନଶୀଳ ଭାବରେ ନିଜକୁ ଦର୍ଶାଇ ବିଜେପି ବିକ୍ଷୋଭକାରୀଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀମୟୀ।ତେବେ, ପରେ ଏହାକୁ କାଉଣ୍ଟର କରିଥିଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା।ଏବଂ ଏହାକୁ ନେଇ ଖୋଲା ବିତର୍କ ପାଇଁ ହୁଙ୍କାର ଦେଲେ ପ୍ରଭାତୀ।ପ୍ରଭାତୀ ପରିଡ଼ା ତାଙ୍କ ଫେସବୁକ ଆକାଉଣ୍ଟରେ ଲେଖିଥିଲେ, “ଆଇନକୁ ଆପଣମାନେ ନିଜ ଦଳୀୟ ବାଟରେ ନେଉଛନ୍ତି।ଏଥିରେ ବୋଧେ ଆପଣମାନେ ଖୁସି।ସ୍ମିତାରାଣୀ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଇ ଖୁସି ଅଛନ୍ତି।ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ, ଆଲୋଚନା କଲେ କ୍ଷତି କଣ?ରାଜନୀତି କ’ଣ କେବଳ ଆପଣଙ୍କ ଅଧିକାର?ମହିଳା ସୁରକ୍ଷା ପାଇଁ ଓପନ ଡିବେଟ (ଖୋଲା ବିତର୍କ)ହେଉ।ଜଣାପଡିବ କିଏ ରାଜନୀତି କରୁଛନ୍ତି।ଆପଣଙ୍କ ପାଖେ ସମୟ ଥିଲେ ଛାୟା ମୁଖ୍ୟମନ୍ତ୍ରୀଙ୍କୁ ପଚାରି କହିବେ”।ଶ୍ରୀମୟୀ ମିଶ୍ରଙ୍କ ଏକ ଭିଡିଓ ବାଇଟ୍ ସହ ପ୍ରଭାତୀ ଏପରି ଚ୍ୟାଲେଞ୍ଜ କରି ପୋଷ୍ଟ କରିଛନ୍ତି।କିନ୍ତୁ, ଶ୍ରୀମୟୀ ମିଶ୍ର କିମ୍ବା ଅନ୍ୟ କୌଣସି ବିଜେଡି ନେତା/ନେତ୍ରୀ ପ୍ରଭାତୀଙ୍କ ଚ୍ୟାଲେଞ୍ଜ ଗ୍ରହଣ କରି ନାହାଁନ୍ତି କି, ଏହାର ଉତ୍ତର ଦେଇ ନାହାଁନ୍ତି।ତେବେ କିଏ ଠିକ୍, କିଏ ଭୁଲ? ବିଜେପି ମହିଳା ମୋର୍ଚ୍ଚା ମାତ୍ରାଧିକ ପ୍ରଦର୍ଶନ କରି ଅଯଥା ରାଜନୀତି କରୁଛି, ନାଁ ବିଜେଡିର ମହିଳା ନେତ୍ରୀମାନେ ଜଣେ ନାରୀ ହୋଇ ମଧ୍ୟ ନାରୀ ନିର୍ଯାତନା ଘଟଣାକୁ ଗୁରୁତ୍ୱର ଭାବରେ ନ’ନେଇ କେବଳ ନିଜ ସରକାର ଠିକ୍ ବୋଲି ଦର୍ଶାଇବାକୁ, ଛାମୁଙ୍କୁ ଖୁସି କରାଇବାକୁ ଏବଂ ଛାୟା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲିଖିତ ମନ୍ତବ୍ୟକୁ ଘୋଷି ସାମ୍ବାଦିକ ସମ୍ମିଳନୀରେ ଆସି କହୁଛନ୍ତି।ତେବେ, ଆସିଫା ଘଟଣାରେ ବିଜେଡିର କ୍ୟାଣ୍ଡେଲ ମାର୍ଚ୍ଚ କ’ଣ ଅଯଥା ରାଜନୀତି ଥିଲା?ହୁଏତ ପୁରୀ ଦୁଷ୍କର୍ମ ଘଟଣା ପଛର ରହସ୍ୟ ଭିନ୍ନ କିଛି ଥାଇପାରେ।ହୁଏତ ପିଡ଼ି଼ତାର ଅଭିଯୋଗ ଭିତରେ ଭିନ୍ନ କିଛି ତଥ୍ୟ ଆସିପାରେ।ତାହା ତ’ ତଦନ୍ତ ପରେ ଜଣାପଡ଼ିବ।କିନ୍ତୁ କଥା ହେଲା, ଯାହା ବି ହେଲା ପୋଲିସ କ୍ୱାଟର ପରିସରରେ!ଆଉ ତଦନ୍ତ କରିବ ସେହି ପୋଲିସ!ମୟୁରଭଞ୍ଜର ରାଇରଙ୍ଗପୁର ମହିଳା ଅଧ୍ୟାପିକାଙ୍କ ଘଟଣାରେ ଦାୟିତ୍ୱରେ ଅବହେଳା ପାଇଁ ସସ୍ପେଣ୍ଡ ହେଲେ ଜଣେ ପୋଲିସ ଅଫିସର।ସେହି କଥା ତ’ କହୁଛି ବିଜେପି ମହିଳା ମୋର୍ଚ୍ଚା।କୁନ୍ଦୁଲି, ବେବିନା, ଇତିଶ୍ରୀ, ସ୍ମିତାରାଣୀ ଆଦି ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଛି ବିଜେପି।କେଉଁଠି ଘଟଣାରେ ସରକାରୀ ଦଳ ନେତାଙ୍କ ସଂପୃକ୍ତି ତ’ କେଉଁଠି ପୋଲିସର ସଂପୃକ୍ତି।କେଉଁଠି ଘଟଣା ଘଟୁଛି ସରକାରୀ ଦଳ ନେତାଙ୍କ ଉଆସରେ ତ’ କେଉଁଠି ଘଟଣା ଘଟୁଛି ପୋଲିସ କ୍ୱାଟରରେ।ତେଣୁ ବାସ୍ତବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବା ସିବିଆଇ ତଦନ୍ତ ଦାବିରେ ଭୁଲ ରହିଲା ବା କେଉଁଠି?ଆଉ କ’ଣ ବିରାଡ଼ି କେଳେଇବ ମାଛ?ଆଉ ବିଲୁଆ କରିବ ବିଚାର?/ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.