ଭୁବନେଶ୍ୱର, ୩୦ା୧୦ (ଓଡ଼ିଆ ପୁଅ) : ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ଏକ କମିଟି ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଏବଂ ଅର୍ଥ ସଚିବଙ୍କୁ ଭେଟି ସରକାରଙ୍କ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ସଂଘ ତରଫରୁ ଅନୁରୋଧ କରାଗଲା ଓ ସରକାରଙ୍କର ‘୫ଟି’ ଯୋଜନା ପ୍ରଣୟନ ପାଇଁ ସରକାରଙ୍କୁ ସାଧୁବାଦ ଜଣାଯାଇଥିଲା। କିନ୍ତୁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଗଲା କି ସରକାରଙ୍କ ମାଗଣା ଯୋଜନା ସହ ଅନ୍ୟାନ୍ୟ ସବୁପ୍ରକାରର ସରକାରୀ କାର୍ଯ୍ୟକୁ ସଫଳ ରୂପାୟନ କରୁଥିବା ମୋ ସରକାର ଓ ‘୫ଟି’ ଯୋଜନାକୁ ଦିନରାତି ଏକ କରି ସଫଳ ରୂପାୟନ କରୁଥିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭାରତର ସର୍ବଶ୍ରେଷ୍ଠ ପ୍ରଶାସକ ଏବଂ ମୁଖ୍ୟମନ୍ତ୍ରୀ ଭାବରେ ପରିଗଣିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜ୍ୟର ହଜାର ହଜାର ଠିକା କର୍ମଚାରୀମାନଙ୍କ ଜୀବିକା ଓ ଜୀବନକୁ ନର୍କକୁ ଠେଲିଦେଇ ଠିକା କର୍ମଚାରୀମାନେ ସାମାନ୍ୟ ଦିନ ମଜୁରୀଆଙ୍କ ଦରମାଠାରୁ କମ୍ ଦରମାରେ ଗୋତି ଖଟାଉଛନ୍ତି।
ନିକଟରେ ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ନିର୍ଦ୍ଦେଶ ଓ କେନ୍ଦ୍ର ସରକାରଙ୍କର ଦୁଇ ଦୁଇଟି ନିର୍ଦ୍ଦେଶନାମାକୁ ସରକାର କର୍ଣ୍ଣପାତ କରୁନାହାଁନ୍ତି। ସପ୍ତମ ବେତନରେ ପ୍ରଶାସନିକ ଅଧିକାରୀମାନେ ନିଜ ଦରମା ବହୁଗୁଣିତ କରିଥିବା ବେଳେ ଠିକା କର୍ମଚାରୀଙ୍କ କ୍ଷେତ୍ରରେ ସପ୍ତମ ବେତନ ଲାଗୁ ନ କରିବା ରାଜ୍ୟରେ ପ୍ରଶାସନିକ ଅରାଜକତାର ନଗ୍ନ ନମୂନା ଏବଂ ଉଚ୍ଚ ନୀଚ୍ଚ ଦରମା ବିଭେଦ ୨ ଲକ୍ଷରୁ ଅଧିକ।
ଆଜିର ପ୍ରତିନିଧି ମଣ୍ଡଳୀରେ ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି ଯୋଗଦେଇ ସରକାରଙ୍କ ଏହି ବର୍ଗର କର୍ମଚାରୀଙ୍କ ପ୍ରତି ଚରମ ଅବହେଳା ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଅସଂଗତ ଦରମାକୁ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହ କଥାବାର୍ତ୍ତା କରି ଠିକା କର୍ମଚାରୀମାନଙ୍କୁ ନ୍ୟାୟ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ। ସରକାରଙ୍କୁ ଏତିକି ଅନୁରୋଧ ଯଦି ସରକାର ‘ମୋ ସରକାର’ ଓ ‘୫ଟି’ ସଫଳ ରୂପାୟନ କରିବା ପାଇଁ ଚାହୁଁଛନ୍ତି, ତେବେ ଠିକା ପ୍ରଥା ଉଚ୍ଛେଦ ଏବଂ ସର୍ବନିମ୍ନ ମଜୁରୀ ତୁରନ୍ତ ଲାଗୁ କରନ୍ତୁ। ନହେଲେ ଭୋକିଲା ପେଟ କେବେହେଲେ ସାଧାରଣ ଲୋକମାନଙ୍କୁ ନ୍ୟାୟ ଦେଇପାରିବ ନାହିଁ।