Home Coronavirus Outbreak ୯୩୪ ଛୁଇଁଲା ବାଲେଶ୍ୱର ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା

୯୩୪ ଛୁଇଁଲା ବାଲେଶ୍ୱର ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା

147

ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସବୁ ବର୍ଗର ଲୋକଙ୍କ ଚିନ୍ତା ବଢ଼ାଇଚାଲିଛି। ଗୁରୁବାରଦିନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୩୫ହଜାର ଟପିଛି। ଅନୁରୂପ ଭାବେ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୩ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ହଜାର ୩୭୮ରେ ପହଞ୍ଚିଛି। ତେବେ ଅଦ୍ୟାବଧି ୧୮, ୯୩୯ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୧, ୨୩୪ଜଣ ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ଗୁରୁବାରଦିନ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ଅଦ୍ୟାବଧି କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୧୬୯ରେ ପହଞ୍ଚିଛି। ସେହିଭଳି ବାଲେଶ୍ୱରରେ ମଧ୍ୟ ଗତ କିଛିଦିନ ଧରି କ୍ରମାଗତ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩୪ରେ ପହଞ୍ଚିଛି। ଅଦ୍ୟାବଧି ୬୯୯ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୨୨୯ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ଅନ୍ୟପକ୍ଷରେ ଗୁରୁବାରଦିନ ନୂଆ ଭାବେ ଚିହ୍ନଟ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ୫ ଜଣ ଥିବାବେଳେ ଅନ୍ୟ ୧୫ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଫେରନ୍ତା ସିମୁଳିଆ ବ୍ଲକ ରଣ୍ଟା ଅଞ୍ଚଳର ୫୮ ବର୍ଷର ପୁରୁଷ ଓ ପୂର୍ବ ପଜିଟିଭ୍‌ଙ୍କ ଦ୍ୱାରା ସଂକ୍ରମିତ ପରମେଶ୍ୱରପୁର ଅଞ୍ଚଳର ୪୦ ବର୍ଷର ଯୁବକ ଏବଂ ବସ୍ତା ବ୍ଲକ ଆମ୍ବକୁଡ଼ୁଚି ଅଞ୍ଚଳର ୪୦ ବର୍ଷ ଯୁବକ ଅଛନ୍ତି। ସେହିପରି ଅନ୍ୟରୋଗର ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ଯାଇଥିବା ସଦର ବ୍ଲକର ୬୨ ବର୍ଷର ପୁରୁଷ ଓ ଯମୁନାଜଳ ଅଞ୍ଚଳର ୨୨ ବର୍ଷର ଯୁବତୀଙ୍କଠାରେ କରୋନା ପଜିଟିଭ୍ ବାହାରିଛି। ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ୧୫ ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୩ ଜଣ କରୋନା ଯୋଦ୍ଧା ରହିବାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ସମସ୍ତ ସ୍ଥାନୀୟ ସଂକ୍ରମିତ ପୂର୍ବ କରୋନା ପିଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି। ଯାହା ବି ହେଉ ଗତ କିଛିଦିନ ଧରି ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଅଗଷ୍ଟ ମାସରେ ସ୍ଥିତି ଆହୁରି ସଙ୍ଗୀନ ହେବା ନେଇ ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ଜନସାଧାରଣ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ସହ କୋଭିଡ୍ ନିୟମ ପାଳନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.