Home ଜିଲ୍ଲା ପରିକ୍ରମା ୬ ମାସ ପୂର୍ବରୁ ନିର୍ମାଣ ହୋଇଥିବା ରାସ୍ତା ୬ ମାସ ଗଲାନାହିଁ , ନିମ୍ନମାନର କାର୍ଯ୍ୟ...

୬ ମାସ ପୂର୍ବରୁ ନିର୍ମାଣ ହୋଇଥିବା ରାସ୍ତା ୬ ମାସ ଗଲାନାହିଁ , ନିମ୍ନମାନର କାର୍ଯ୍ୟ ନେଇ ଗ୍ରାମବାସୀଙ୍କ ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି

49

ଭଦ୍ରକ,୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଗମନାଗମନର ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନାରେ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବିଭିନ୍ନ ରାସ୍ତା ନିର୍ମାଣରେ ବ୍ୟୟ କରୁଛନ୍ତି । ମାତ୍ର କେତେକ ଅସାଧୁ ସରକାରୀ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆସୁଥିବା ଅର୍ଥର ସଠିକ୍ ବିନିଯୋଗ ହୋଇନପାରି କେବଳ ହରିଲୁଟ୍ ହେଉଛି । ଯାହାଫଳରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଯୋଗୁଁ ମାତ୍ର ୬ ମାସ ପୂର୍ବରୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ରାସ୍ତା ୬ ମାସ ଗଲାନାହିଁ । ଏଭଳି ସ୍ଥିତିରେ ଏହି ରାସ୍ତାଟିର ଦୂରାବସ୍ଥା ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଯିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ୍ କୋଡବରୁଆଁ ପଂଚାୟତରେ । ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଦ୍ୱାରା ୩ କୋଟି ୪୮ ଲକ୍ଷ ୯୬ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ଭଦ୍ରକ ବ୍ଲକ୍ କୋଡବରୁଆଁ ପଂଚାୟତରେ ୬ କିମି ପର୍ଯ୍ୟନ୍ତ ସରଗଡିଆରୁ ଚନ୍ଦନପୁର ରାସ୍ତା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ସଂପୃକ୍ତ ଠିକାଦାର ଆରମ୍ଭରୁ ଯେଉଁ ନିମ୍ନମାନର କାର୍ଯ୍ୟ କଲେ, ତାହା ଦେଖି ଗ୍ରାମବାସୀମାନେ ତାହାକୁ ବନ୍ଦ ରଖିଥିଲେ । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ପରେ ମଧ୍ୟ ସଂପୃକ୍ତ ଠିକାଦାର ସଠିକ୍ କାର୍ଯ୍ୟ ନକରି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ମାଧ୍ୟମରେ ବ୍ୟାପକ ଅର୍ଥ ହରିଲୁଟ୍ କରିଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀମାନେ । ସେମାନଙ୍କ ଅଭିଯୋଗ ମୂଳେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ୭୦ ପ୍ରତିଶତ ଅର୍ଥ ବାଟମାରଣା ହୋଇଛି । ଯାହାଦ୍ୱାରା ପ୍ରାୟ ୪ କୋଟି ଟଙ୍କା ବିନିମୟରେ ହୋଇଥିବା ରାସ୍ତା କାର୍ଯ୍ୟ ୪ ମାସ ଭିତରେ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଏଭଳି ସ୍ଥିତିରେ ଏହି ରାସ୍ତା ଦେଇ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଓ ଦମକଳଟିଏ ଆସିବାକୁ ଡରୁଛନ୍ତି । ଏହି ସମସ୍ୟା ସଂପର୍କରେ ଗ୍ରାମବାସୀମାନେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ଠିକାଦାରଙ୍କୁ ସମସ୍ତ ବିଲ୍ ପ୍ରଦାନ କରାଯାଇଛି । ଫଳରେ ସ୍ଥାନୀୟ ଲୋକେ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିବା ପରେ ସେ ନୂତନ ଭାବେ ଆସିଥିବାର ଦର୍ଶାଇ ଯଥାଶୀଘ୍ର ଉଚିତ୍ ପଦକ୍ଷେପ ନେବେବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.