Home ଓଡ଼ିଶା ୫-ଟି ରୂପାନ୍ତରିତ ପଢ଼ିଆରୀ ବିଦ୍ୟାପୀଠରେ ନିମ୍ନମାନର କାମ ଅନୁଧ୍ୟାନ କଲା ପ୍ରଦେଶ କଂଗ୍ରେସ

୫-ଟି ରୂପାନ୍ତରିତ ପଢ଼ିଆରୀ ବିଦ୍ୟାପୀଠରେ ନିମ୍ନମାନର କାମ ଅନୁଧ୍ୟାନ କଲା ପ୍ରଦେଶ କଂଗ୍ରେସ

49

ପୁରୀ ୨-୮ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦା ପଞ୍ଚାୟତ ଠାରେ ଥିବା ୫-ଟି ରୂପାନ୍ତରିତ ପଢ଼ିଆରୀ ବିଦ୍ୟାପୀଠରେ ନିମ୍ନମାନର କାମ ଯୋଗୁ ଛାତରୁ ସିଲିଂ ଖସି ଜଣେ ଶିକ୍ଷୟିତ୍ରୀ ଓ ଦୁଇ ଶିକ୍ଷକ ଆହତ ହୋଇଥିଲେ। ଏହି ଘଟଣା ପରେ ପଢ଼ିଆରୀ ବିଦ୍ୟାପୀଠରେ ସମ୍ପୂର୍ଣ୍ଣ ନିମ୍ନମାନର କାର୍ଯ୍ୟ ହୋଇଥିବାର ଅଭିଯୋଗ ହୋଇଥିଲା, ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଏବଂ ନିମ୍ନମାନର କାର୍ଯ୍ୟପାଇଁ ସମ୍ପୃକ୍ତ ବ୍ୟକ୍ତି ଓ ବ୍ଳକ ପ୍ରଶାସନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ବିଦ୍ୟାପୀଠର ସ୍ଥାୟୀ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଦୃଢ଼ ଦାବି କରାଯାଇଥିଲା। ତେଣୁ ଆଜି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କମିଟିର ଏକ ଟିମ୍ ସ୍ଥିତି ଅନୁଧ୍ୟାନ କରିଥିଲେ।

ସ୍ଥିତି ଅନୁଧ୍ୟାନ କରିସାରିବା ପରେ କାକଟପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ କହିଛନ୍ତି ଯେ – ୫-ଟି ରୂପାନ୍ତରିତ ମାଧ୍ୟମରେ ବିଦ୍ୟାଳୟକୁ ଯେଉଁ ଅର୍ଥ ପ୍ରଦାନ କରାଯାଇଥିଲା ସେଥିରେ ଉକ୍ତ ବିଦ୍ୟାଳୟର ଭିତ୍ତିଭୂମି ଓ ମୌଳିକ ଆବଶ୍ୟକତା ଦୂର କରାଯାଇ ପାରିନାହିଁ।

ଉକ୍ତ ବିଦ୍ୟାଳୟରେ ୪ଟି ନୂତନ ଶ୍ରେଣୀ ଗୃହର ଆବଶ୍ୟକତା ଥିଲେ ମଧ୍ୟ ଏହା ନ କରାଯାଇ ପୁରୁଣା ବିଲ୍ଡିଙ୍ଗି ରେ କେବଳ ଚୂନ ମାରି ଟଙ୍କା ହରିଲୁଟ କରାଯାଇଛି। ତାହା ପୁଣି ବିଜୁ ଜନତା ଦଳର ସ୍ଥାନୀୟ କର୍ମୀ, ନେତା ଏବଂ ବ୍ଲକ ପ୍ରଶାସନର ମିଲିତ ଉଦ୍ୟମରେ, ଏହା ପୁଣି ବିନା ଟେଣ୍ଡରେ। ଆଜି ମଧ୍ୟ ସ୍ଥିତି ଅନୁଧ୍ୟାନ ସମୟରେ ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ଦେଖା ହେଇଥିବା ଫାଟ ସୁଚାଇ ଦେଉଥିଲା ଯେ ଏଠାରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ସୁରକ୍ଷିତ ନୁହନ୍ତି।

ବିଦ୍ୟାଳୟରେ ଥିବା ଇ -ଲାଇବ୍ରେରୀ ରେ ଇଣ୍ଟରନେଟ ସେବା ଉପଲବ୍ଧ ନାହିଁ। କମ୍ପ୍ୟୁଟର ଶିଖାଇବା ଶିକ୍ଷକ ଉପଲବ୍ଧ ନାହାନ୍ତି। ସାରା ଓଡ଼ିଶାରେ ୫-ଟି ବିଦ୍ୟାଳୟ ରୂପାନ୍ତରିତ ନାମରେ ଓଡ଼ିଶାବସୀଙ୍କ ଶହ ଶହ କୋଟି ଟଙ୍କା ଲୁଟ୍ କରାଯାଇ ଦଳୀୟ କର୍ମୀଙ୍କୁ ଲାଭ ଦେଇ ନିର୍ବାଚନ ଲଢ଼ିବା ପାଇଁ ଦଳୟୀ ପାଣ୍ଠି ସଂଗ୍ରହ କରୁଛି ସରକାରୀ ଦଳ।

ଏହା ବିରୁଦ୍ଧରେ ପଦକ୍ଷେପ ନେବାପାଇଁ ଆଗମୀ ଦିନରେ କଂଗ୍ରେସ ଦଳ ବିଭିନ୍ନ କାର୍ଯ୍ୟପନ୍ଥା ସ୍ଥିର କରିବା ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଧ୍ୟାନ କମିଟିର ସଦସ୍ୟ ପୂର୍ବତନ ସାଂସଦ ନକୁଳ ନାୟକ, ଉପସଭାପତି ବିଶ୍ବ ଭୂଷଣ ଦାସ, ସାଧାରଣ ସମ୍ପାଦିକା ରଶ୍ମୀ ମହାପାତ୍ର, କୃଷକ ସେଲ ସଭାପତି ଅମିୟ ପଟ୍ଟନାୟକ, ଅସ୍ତରଙ୍ଗ ବ୍ଲକ ସଭାପତି ସୁକନ୍ତ ମହାନ୍ତି, କାକଟପୁର ବ୍ଲକ ସଭାପତି ଅବଦୂତ ସ୍ୱାଇଁ ଏବଂ ଯୁବ କଂଗ୍ରେସ ସାଧାରଣ ସଂପାଦକ ନଳିନୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତି ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.