Home ଜିଲ୍ଲା ପରିକ୍ରମା ଆଖୁଆପଦାରେ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ବୈତରଣୀ, ବାତ୍ୟାଶ୍ରୟ ବା ପକ୍‌କା ଘରେ ଆଶ୍ରୟ ନେବାକୁ ଜନସାଧାରଣଙ୍କୁ...

ଆଖୁଆପଦାରେ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ବୈତରଣୀ, ବାତ୍ୟାଶ୍ରୟ ବା ପକ୍‌କା ଘରେ ଆଶ୍ରୟ ନେବାକୁ ଜନସାଧାରଣଙ୍କୁ ନିବେଦନ

11

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଙ୍ଗଳବାର ରାତି ରୁ କେନ୍ଦୁଝର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀର ବନ୍ୟାଜଳ ବୃଦ୍ଧି ପାଇଛି । ଆଖୁଆପଦା ଠାରେ ବର୍ତ୍ତମାନ ବୈତରଣୀର ବନ୍ୟାଜଳ ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ୍‌ର ତଳିଆ ଅଞ୍ଚଳ ପାଇଁ ବନ୍ୟା ଜନିତ ବିପଦ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ସୂଚନାଯୋଗ୍ୟକି ଆଖୁଆପଦା ଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳ ଆଜି ବୁଧବାର ସଂଧ୍ୟା ୫ ଘଟିକା ସୁଦ୍ଧା ୧୯.୨୭ ଉଚ୍ଚତାରେ ଜଳ ପ୍ରବାହିତ ହେଉଅଛି । ଆଜି ବୁଧବାର ରାତ୍ର ୮ଟା ରୁ ୯ଟା ମଧ୍ୟରେ ଏହି ବନ୍ୟାଜଳ ଆଖୁଆପଦାରେ ୨୦.୫ ମିଟର ଛୁଇଁବା ଆକଳନ କରାଯାଇଛି ଏବଂ ବନ୍ୟାଜଳ ରାତ୍ର ୨ଟା ସୁଦ୍ଧା ଧାମନଗର ପହଞ୍ôଚବ । ଏହାର ମୁକାବିଲା ପାଇଁ ଜିଲ୍ଲା ଓ ସଂପୃକ୍ତ ବ୍ଲକ୍ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ତଳିଆ ଅଞ୍ଚଳରେ ଚାଳ ଛପର, ମାଟି ଘରେ ଥିବା ଲୋକମାନେ ଯଥା ପୂର୍ବରୁ ନିରାପଦ ସ୍ଥାନ ବାତ୍ୟାଶ୍ରୟ, ପକ୍‌କା ଘର ଆଦିକୁ ପଳାଇ ଯାଇ ଆଶ୍ରୟ ନେବାକୁ ଜିଲ୍ଲା ପ୍ରଶାସନ ତରଫରୁ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ୍‌ର ଜନସାଧାରଣଙ୍କୁ ନିବେଦନ କରାଯାଇଛି । ପ୍ରଶାସନ ଦ୍ୱାରା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ ପ୍ରକ୍ରିୟାରେ ଲୋକ ପ୍ରଶାସନକୁ ସହଯୋଗ କରିବା ପାଇଁ ମଧ୍ୟ ଜିଲ୍ଲାପାଳ ଆନ୍ତରିକତାର ସହିତ ଲୋକଙ୍କୁ ବିନତି କରିଛନ୍ତି । ସୂଚନାଯୋଗ୍ୟକି ଏଥିପାଇଁ ୧ଟି ଏନ୍‌.ଡ଼ି.ଆର୍‌.ଏଫ୍ ଓ ୧ଟି ଓ.ଡ଼ି.ଆର୍‌.ଏଫ୍ ଦଳ ସଂପୃକ୍ତ ଅଞ୍ଚଳ ପାଇଁ ମୂତୟନ କରାଯାଇଛି । ୩୦ ସଦସ୍ୟ ବିଶିଷ୍ଟ ଏନ୍‌.ଡ଼ି.ଆର.ଏଫ୍‌. ଟିମ୍ ଧାମନଗରରେ ଉପସ୍ଥିତ ଅଛନ୍ତି । ଆଖୁଆପଦା ଆନିକଟ ନିକଟରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ତେବେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.