Home ଜିଲ୍ଲା ପରିକ୍ରମା ୪ ବର୍ଷ ବିତିଲା, ୨ କିଲୋମିଟର ରାସ୍ତା ନିର୍ମାଣ ସରୁନାହିଁ , ଦୋବଲ- ଇଟୁଆ ମୁଖ୍ୟମନ୍ତ୍ରୀ...

୪ ବର୍ଷ ବିତିଲା, ୨ କିଲୋମିଟର ରାସ୍ତା ନିର୍ମାଣ ସରୁନାହିଁ , ଦୋବଲ- ଇଟୁଆ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ମନ୍ଥରତା ଓ ନିମ୍ନମାନର ଅଭିଯୋଗ

29

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମାଞ୍ଚଳରେ ରାସ୍ତାଘାଟ ଉନ୍ନତମାନର କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା ନାମରେ ଯୋଜନା କରାଯାଇ ରାସ୍ତାଘାଟର ପ୍ରଶସ୍ତିକରଣ ଓ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବାବେଳେ ଅଧିକାଂଶ ସ୍ଥାନରେ ଏହି ଯୋଜନାର ଅର୍ଥ ବାଟମାରଣା କରାଯାଇ କାର୍ଯ୍ୟ ମଧ୍ୟ ନିମ୍ନମାନର କରାଯାଉଛି । ଏପରି ଏକ ରାସ୍ତା କାର୍ଯ୍ୟ ଧାମନଗର ବ୍ଲକ ଦୋବଲ- ଇଟୁଆ ରାସ୍ତାରେ ଘଟିଛି । ଘଟଣାରୁ ପ୍ରକାଶଯେ ଦୋବଲ- ଇଟୁଆ ଗ୍ରାମକୁ ଏକ ରାସ୍ତା ଦୀର୍ଘଦିନ ହେବ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଥିବାବେଳେ ରାଜ୍ୟ ସରକାର ଉକ୍ତ ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପ୍ରାୟ ୪ବର୍ଷ ହେବ ରାସ୍ତା କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ଦୁଇ କିଲୋମିଟର ହେବ ଏହି ରାସ୍ତାଟି ଆଜିଯାଏ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ଉକ୍ତ ରାସ୍ତା ଉପରେ ପ୍ରାୟ ୧ହଜାର ଲୋକ ନିର୍ଭର କରୁଥିବାବେଳେ ବନ୍ୟା ସମୟରେ ଉକ୍ତ ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ବୁଡ଼ିଯିବାରୁ ଦୋବଲ- ଇଟୁଆ ଗ୍ରାମ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥାଏ । ଏହିରାସ୍ତା ନିର୍ମାଣ କିଛି ଅଂଶ କରାଯାଇ ପ୍ରାୟ ୨ବର୍ଷ ହେବ ସମ୍ପୃକ୍ତ ଠିକାଦାର ଫେରାର ହୋଇଯାଇଥିବାବେଳେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ପୁଣି ରାସ୍ତାକାମ ଆରମ୍ଭ ହୋଇଥିଲା । ଅପରପକ୍ଷେ କିଛିଦିନ ରାସ୍ତା କାର୍ଯ୍ୟ କରି ଠିକାଦାର ପୁଣି ଫେରାର ହୋଇଯାଇଥିଲେ ।

ରାସ୍ତାର ପ୍ରାୟ ଅଧିକାଂଶ ସ୍ଥାନରେ ପିଚୁ ଉଠିବା ଆରମ୍ଭ କରିଥିଲେ ହେଁ ଏଣେ ରାସ୍ତାକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଏହି ରାସ୍ତା ନିର୍ମାଣ ପାଇଁ ୫୮ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ପରବର୍ତ୍ତି ସମୟରେ ପୁଣି ଟଙ୍କା ମଧ୍ୟ ମଞ୍ଜୁର ହୋଇଛି । ମାତ୍ର ଠିକାଦାର ନିମ୍ନମାନର ଚିପ୍ସ, ପିଚୁ ଇତ୍ୟାଦି ଦେଇ କାର୍ଯ୍ୟ କରୁଥିବାରୁ ସ୍ଥାନୀୟ ଅଂଚଳର ଗ୍ରାମବାସୀମାନେ ବିରୋଧ କରିଥିଲେ । ଆଜି ଦୋବଲ ହାଇସ୍କୁଲ ସନ୍ନିକଟ ଉକ୍ତ ରାସ୍ତା କାର୍ଯ୍ୟ ଠିକାଦାର ଆରମ୍ଭ କରିଥିବାବେଳେ ପୋଲ ନିକଟରେ ଗାର୍ଡ଼ ୱାଲ ନକରି ପ୍ରଥମେ କଂକ୍ରିଟ କରିବା ପାଇଁ ଉଦ୍ୟମ କରିଥିଲେ । ଏନେଇ ଗ୍ରାମବାସୀ ମାନେ ବିରୋଧ କରିବା ସହିତ ନିମ୍ନମାନର ମେଣ୍ଟାଲ ଦିଆଯାଉଥିବାର ଅଭିଯୋଗ କରିଥିଲେ । ଏହାକୁ ନେଇ ସମ୍ପୃକ୍ତ ଠିକାଦାର ଓ ଗ୍ରାମବାସୀଙ୍କ ମଧ୍ୟରେ ଠେଲା ପେଲା ଓ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଖବରପାଇ ବିଭାଗୀୟ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସାହୁ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ କାମ ଠିକ୍ ଭାବରେ କରାଯିବ ଏଥିରେ କୌଣସି ଦୁର୍ନିତୀ ଓ ନିମ୍ନମାନର ହେବାର ପ୍ରଶ୍ଚ ଉଠୁନାହିଁ ବୋଲି ଶ୍ରୀ ସାହୁ ପ୍ରତିଶୃତି ଦେଇଥିଲେ । ପ୍ରକାଶ ଥାଉକି ଦୀର୍ଘଦିନ ଧରି ଏହି ରାସ୍ତାଟି ଅର୍ଦ୍ଧନିର୍ମିତ ଅବସ୍ତାରେ ପଡ଼ିରହିଥିବାରୁ ଲୋକମାନେ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ତୁରନ୍ତ କାର୍ଯ୍ୟ ସାରିବା ପାଇଁ ମଧ୍ୟ ଗ୍ରାମବାସୀମାନେ ଦାବି କରିଥିଲେ । ପ୍ରକାଶ ଥାଉକି ଦୀର୍ଘ ୪ବର୍ଷ ହେବ ଏହି ରାସ୍ତାକାର୍ଯ୍ୟ ଆରମ୍ଭ ହେଉଥିଲେ ମଧ୍ୟ ରାସ୍ତାର କୌଣସି ସୂଚନା ଫଳକ ମରାନଯିବା ଠିକାଦାରଙ୍କର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.