Home ଜିଲ୍ଲା ପରିକ୍ରମା ୩ ଦିବ୍ୟାଙ୍ଗ ଛୁଆଁଙ୍କୁ ନେଇ ବଳିପଡୁଛି ବାପା-ମା’ଙ୍କ ଦୁଃଖ, ଚିକିତ୍ସାରେ ଅର୍ଥ ସାଜୁଛି ବାଧକ

୩ ଦିବ୍ୟାଙ୍ଗ ଛୁଆଁଙ୍କୁ ନେଇ ବଳିପଡୁଛି ବାପା-ମା’ଙ୍କ ଦୁଃଖ, ଚିକିତ୍ସାରେ ଅର୍ଥ ସାଜୁଛି ବାଧକ

43

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଥିଲା, ଯାହା ଦେଖଣାହାରୀଙ୍କ ହୃଦୟକୁ ଦ୍ରବୀଭୂତ କରିଥିଲା । ସନ୍ତାନଟିଏ ଜନ୍ମ ହେବାର ବର୍ଷେ ପରେ ହାତଗୋଡ ଗୁଡିକ ସରୁ ହୋଇ ବିକଳାଙ୍ଗ ପାଲଟି ଯାଉଛନ୍ତି ପିଲାମାନେ । ଏମିତି ୩ ଦିବ୍ୟାଙ୍ଗ ଛୁଆଙ୍କର ଚିକିତ୍ସାରେ ପରଘରେ ମୂଲ ଲାଗି ଉପାର୍ଜନ କରୁଥିବା ଅର୍ଥ ବାଧକ ସାଜିଛି ସେମାନଙ୍କ କ୍ଷେତ୍ରରେ । ଭଦ୍ରକ ଜିଲାର ତିହିଡି ବ୍ଲକ୍ ଗୋବିନ୍ଦପୁର ପଂଚାୟତର ଓରାଳିବିନ୍ଧା ଗ୍ରାମନିବାସୀ ସନ୍ତୋଷ କୁମାର ବଳ ଅତ୍ୟନ୍ତ ଦରିଦ୍ର ଅଟନ୍ତି । ପତ୍ନୀ ଓ ୨ଟି ପୁଅ ଓ ଝିଅକୁ ନେଇ ତାଙ୍କର ପରିବାର । କିନ୍ତୁ ତାଙ୍କର ୩ଟି ଯାକ ସନ୍ତାନ ଭିନ୍ନକ୍ଷମ ଅଟନ୍ତି । ଏ ସଂପର୍କରେ ପିତା ସନ୍ତୋଷ ଯାହା କହନ୍ତି “କେଉଁ ଜନ୍ମରେ କି ପାପ କରିଥିଲୁ ଯେ ଆମେ ପତି-ପତ୍ନୀ ଏ ଜନ୍ମରେ ଏଭଳି ପାହାଡ ଭଳି ଦୁଃଖକୁ ମୁଣ୍ଡେଇ ଚାଲିଛୁ” । ତାଙ୍କ କହିବା ଅନୁସାରେ ବଡ ପୁଅ ଶୁଭଙ୍କରକୁ ଏବେ ୧୬ ବର୍ଷ, ମଝିଆ ଝିଅକୁ ୧୨ ବର୍ଷ ଓ ସାନପୁଅକୁ ୭ ବର୍ଷ । କିନ୍ତୁ ୩ଟି ଯାକ ସନ୍ତାନ ଶତ ପ୍ରତିଶତ ଭିନ୍ନକ୍ଷମ । ସେ ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଜ ସନ୍ତାନ ମାନଙ୍କୁ ଆଣି ଚିକିତ୍ସା କରାଇବା ଅବସରରେ ଏ ପ୍ରତିନିଧିଙ୍କୁ ଯେଉଁ ସୂଚନା ଦେଇଥିଲା, ସେମାନଙ୍କର ପ୍ରତ୍ୟେକ ସନ୍ତାନ ଜନ୍ମ ପରେ ପରେ ତାଙ୍କର ଗୋଡ ଓ ହାତ ପୋଲିଓ ଭଳି ସରୁ ହୋଇଯାଇ ଅପଙ୍ଗ ହୋଇଯାନ୍ତି ।

ଏମାନଙ୍କର ଚିକିତ୍ସା ପାଇଁ ସେ ବହୁ ଚେଷ୍ଟା କରିଥିଲେ ବି ଗରିବ ପଣିଆ ଯୋଗୁଁ ସେମାନଙ୍କୁ ସୁସ୍ଥ କରିପାରିନାହାଁନ୍ତି । ତେବେ ପରଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରିବା ଦୁସାଧ୍ୟ ହୋଇପଡୁଥିବାବେଳେ ୩ଟି ସନ୍ତାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଙ୍କ ପାଖକୁ ଯାଇ ଉଚ୍ଚମାନର ଚିକିତ୍ସା କ୍ଷେତ୍ରରେ ଅର୍ଥ ନଥିବାରୁ ସେମାନେ ଫେରାଇ ଦେଇଛନ୍ତି । ଶେଷରେ ଫିଜିଓଥେରାପି ଭଳି ଚିକିତ୍ସା ଏକମାତ୍ର ସମ୍ବଳ ବୋଲି ଭାବି ତାହା ମଧ୍ୟ ଅର୍ଥ ଅଭାବରୁ କରିପାରୁନାହାଁନ୍ତି । ତାଙ୍କର ଏଭଳି ଅବସ୍ଥା ଦେଖି କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ସେ କରିଥିବା ସାଧାରଣ ପାନ ଦୋକାନ ଟିଏ ଏବେ ଅର୍ଥ ଅଭାବରୁ ବନ୍ଦ ହେବାକୁ ବସିଲାଣି । ନିଜ ଭାଇମାନେ ଭିନ୍ନ ହେବା ପରେ ଏକ ଏକର ଜମିର ଚାଷରୁ ଚାଉଳ ମଧ୍ୟ ସେମାନଙ୍କ ଭାଗରେ ପଡୁନାହିଁ । ଦୁଇ ପିଲାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁଥିବାବେଳେ ସାନପୁଅର ତାହା ଏପର୍ଯ୍ୟନ୍ତ ହୋଇପାରୁନାହିଁ । ପୂର୍ବରୁ ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଆର୍ଥିକ ସହାୟତା ପାଇପାରିନାହାଁନ୍ତି । ଏଣୁ ଏଭଳି ଅଭାବନୀୟ ପରିସ୍ଥିତିରୁ ମୁକୁଳିବା ପାଇଁ ସେ ସରକାରଙ୍କ ସହାୟତା ଲୋଡିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.