Home Top News ୩ୟ ମହଲାରେ ବନ୍ଧା ସ୍ୱାଭିମାନ

୩ୟ ମହଲାରେ ବନ୍ଧା ସ୍ୱାଭିମାନ

48

ବିରୋଧି ଦଳର ମୁଖିଆଙ୍କୁ କଳେବଳେ କୌଶଳେ କରାୟତ କର ଏବଂ କ୍ଷମତାକୁ ଉପଭୋଗ କର। ଦୀର୍ଘ ବର୍ଷ ଧରି କ୍ଷମତାରେ ରହି ଆସୁଥିବା ବିଜୁ ଜନତା ଦଳର ଏହା ଏକ ଅନ୍ୟତମ ରାଜନୈତିକ ଫର୍ମୁଲା। ଏହି ଫର୍ମୁଲାକୁ ପ୍ରଥମେ ଫ୍ରୟୋଗ କରିଥିଲେ ପ୍ୟାରୀମୋହନ ମହାପାତ୍ର। ସଫଳ ମଧ୍ୟ ହୋଇଥିଲେ। ଏହି ଉପାୟକୁ ଆଜି ପର୍ଯ୍ୟନ୍ତ ବିଜେଡି ପ୍ରୟୋଗ କରି ଚାଲିଛି ଏବଂ ଗୋଟିଏ ପରେ ଗୋଟିଏ ନିର୍ବାଚନୀ ବୈତରଣୀ ଅନାୟସରେ ପାର କରି ଚାଲିଛି। ଜାନକୀ ବଲ୍ଲଭ ପଟ୍ଟନାୟକ, ଉଲାକା ରାମଚନ୍ଦ୍ର, କାମାକ୍ଷା ପ୍ରସାଦ ସିଂଦେଓ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ପ୍ରମୁଖ ନେତାମାନେ ଭିନ୍ନ ଭିନ୍ନ ସମୟରେ ବିରୋଧି ଦଳର ମୁଖିଆ ପାଲଟି ଥିଲେ। ବିଜେଡି ଶାସନ କାଳରେ ଏହି ନେତାମାନେ ବ୍ୟକ୍ତିଗତ ସ୍ତରରେ ଏତେ ବଶୀଭୁତ ହୋଇଥିଲେ ଯେ ଦଳ, ରାଜ୍ୟର ସ୍ୱାର୍ଥ ସବୁ ଚୁଲିକି ଯାଉ ବଦଳରେ ନିଜର ଓ ପରିବାରର ଫାଇଦା ହେଉ। ଏକଦା ଜାନକୀ ବଲ୍ଲଭ ପଟ୍ଟନାୟକ ବିରୋଧି ଦଳର ନେତା ଥିଲେ। ସେହି ସମୟରେ ବରୀର ବିଧାୟକ ତଥା ମନ୍ତ୍ରୀ ଥିବା ଦେବାଶିଷ ନାୟକ ବିଜେଡିର ଆଗ ଧାଡିର ନେତା ଥିଲେ। ବିରୋଧି ଦଳର ନେତାଙ୍କୁ ମ୍ୟାନେଜ କରିବା ତାଙ୍କ ଦାୟିତ୍ୱ ଥିଲା। ତେଣୁ ମାସର ପ୍ରଥମ ସପ୍ତାହ ହେଲା କ୍ଷଣି ବିରୋଧି ଦଳର ନେତା ତାଙ୍କୁ ଫୋନ କରି ପଚାରୁ ଥିଲେ – ଦେବାଶିଷ କାହିଁକି ଆସିଲୁ ନାହିଁ ? ସେହି ସମୟରେ ଏହି ଘଟଣା ଉଭୟ ବିଜେଡି ଓ କଂଗ୍ରେସ ଦଳ ଭିତରେ ଆଲୋଚ୍ୟର ବିଷୟବସ୍ତୁ ଥିଲା। ସେହି ଦିନ ଠାରୁ ଏହି ପରମ୍ପରା ଆଜି ପର୍ଯ୍ୟନ୍ତ ଚାଲୁ ରହିଛି। ବିରୋଧି ଦଳର ମୁଖିଆମାନେ ବିଜେଡି ସରକାର ଠାରୁ ଏତେ ପରିମାଣରେ ଲାଭବାନ ହୋଇଛନ୍ତି ଓ ହେଉଛନ୍ତି ଯେ ସେମାନେ କ୍ଷମତାକୁ ଆସିଲେ ମଧ୍ୟ ଏତେ ପରିମାଣରେ ବ୍ୟକ୍ତିଗତ ସ୍ତରରେ ଲାଭବାନ ହୋଇ ପାରିବେ ନାହିଁ। ଦୀର୍ଘ ୨୨ ବର୍ଷ ଧରି ବିଜୁ ଜନତା ଦଳ କ୍ଷମତାରେ ରହି ଆସୁଛି। ନିଃସନ୍ଦେହ ବର୍ଷ ତମାମ ଦଳର କର୍ମୀ ଓ ନେତାମାନେ କ୍ଷମତାରେ ବଜାୟରହିବା ପାଇଁ ଅହରହ ପରିଶ୍ରମ କରୁଛନ୍ତି। ସେହି ତୁଳନାରେ ବିଜେପି ଓ କଂଗ୍ରେସର ଚିନ୍ତାଧାରା ସଂପୂର୍ଣ୍ଣ ଭିନ୍ନ। ନିର୍ବାଚନ ଘୋଷଣା ହେଲେ ଦଳ ଚଳଚଂଚଳ ହେବ ଓ ପରାଜୟ ପରେ ନେତାମାନେ ଯାଇ ଘରେ ଶୋଇବେ। ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟୀ ଓଡିଶାରେ ଅଭୁତପୂର୍ବ ସଫଳତା ହାସଲ କରିଥିଲା। କଂଗ୍ରେସକୁ କାଟି ଦଳ ୨ୟ ସ୍ଥାନକୁ ଆସିଥିଲା। ମୁଖ୍ୟ ବିରୋଧିଦଳର ମାନ୍ୟତା ମଧ୍ୟ ପାଇଥିଲା। ସେହି ସମୟରେ ଦଳର ମଙ୍ଗ ଧରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହାତରେ ତେଲ ବିଭାଗ ଥିଲା। ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରି ମୁଖ୍ୟମନ୍ତ୍ରୀ ହେବାର ନିଶା ଜୋର ଥିଲା। ମାତ୍ର୨୦୧୯ ପରେ ସେ ଏକ ପ୍ରକାର ରାଜ୍ୟ ରାଜନିତୀରୁ ପରୋକ୍ଷ ଭାବରେ ଦୂରେଇ ଯାଇଛନ୍ତି କହିଲେ ଚଳେ। ବିଜେପି ରାଜ୍ୟ ସଭାପତିଙ୍କଠାରୁ ଆରମ୍ଭ କରି ସମସ୍ତ ଦଳୀୟ ପଦାଧିକାରୀ ଧର୍ମେନ୍ଦ୍ରଙ୍କ ଲୋକ। ବିଜେପିର ଚେହେରା ବନି ଯାଇଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୧୯ ମସିହା ସାଧାରଣ ନିର୍ବାଚନରେ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରରୁ ବିଜେପି ସାଂସଦ ହେଲେ। ଦକ୍ଷ ପ୍ରଶାସନିକ ଅଧିକାରୀ ଥିଲେ ଅପରାଜିତା। ଇସ୍ତଫା ଦେଇ ରାଜନିତୀରେ ଯୋଗଦେଲେ। ଦିଲ୍ଲୀ ବିଜେପି ଦଳ ମଧ୍ୟରେ ତାଙ୍କ ଦବ୍‌ଦବା ରହିଛି। ବିଜେପି କର୍ମୀ ଓ ନେତାମାନେ ତାଙ୍କ ଉପରେ ଭରସା କରିବା ଆରମ୍ଭ କଲେ। ତା ପର ଠାରୁ ଧର୍ମେନ୍ଦ୍ର ରାଜ୍ୟ ରାଜନିତୀ ଠାରୁ ଉଦ୍ଦ୍ୟେଶମୂଳକ ଭାବରେ ଅପସରି ଗଲେ। ଭାରତୀୟ ଜନତା ପାର୍ଟୀ ଗୋଟିଏ ରାଷ୍ଟ୍ରିୟ ଦଳ ଓ ଭାରତର ସବୁ ଠାରୁ ଧନୀ ଦଳ। କେନ୍ଦ୍ରରେ ସରକାର। ମାତ୍ର ଆଜି ଯେ କୌଣସି ନିର୍ବାଚନ ହେଉ ବିଜେପି ପ୍ରାର୍ଥୀ କହୁଛନ୍ତି ଦଳ ପାଖରେ ଅର୍ଥ ନାହିଁ ନିର୍ବାଚନ ଲଢେଇ କରିବାକୁ। ଏପରିକି ରାଜ୍ୟ ନେତୃବୃନ୍ଦ ମଧ୍ୟ ସେହି ଏକା କଥା ଦୋହୋରାଉଛନ୍ତି। ଏହା ଠାରୁ ବଳି ଲଜ୍ୟା ଜନକ କଥା ଆଉ କିଛି ହୋଇ ନପାରେ। ନିର୍ବାଚନ ପାଇଁ କେନ୍ଦ୍ରୀୟ ଦଳରୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆସୁନାହିଁ ନା ସେଠାରେ ଓଡିଶାକୁ ଅର୍ଥ ଆସିବାକୁ କେହି ବାଧକ ସାଜୁଛି ତାହା ଏବେ ବିଜେପି କର୍ମୀଙ୍କ ମନରେ ପ୍ରଶ୍ନ। ତେଣୁ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ହାବଭାବରୁ ଯାହା ଜଣା ପଡୁଛି ସେମାନେ ଓଡିଶାରେ ଲଢେଇ କରିବାକୁ ଚାହୁଁ ନାହାଁନ୍ତି। ଜନତା କହୁଛନ୍ତି ଭୋଟ ନିଅ ମାତ୍ର ଏମାନେ ନେବାକୁ ପ୍ରସ୍ତୁତ ନୁହଁନ୍ତି। କେବଳ ରାଜ୍ୟରେ ସ୍ଥାୟିତ୍ୱ ପ୍ରତିପାଦନ କରିବାକୁ ଏମାନେ ପ୍ରାର୍ଥୀ ଦେଉଛନ୍ତି ଓ ନିର୍ବାଚନ ହାରୁଛନ୍ତି। ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ରାଜ୍ୟର ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥର ପଲା ଏଠାରେ ଭାରି ପଡୁଛି।

ରାଜ୍ୟର ଅନ୍ୟତମ ବିରୋଧିଦଳ କଂଗ୍ରେସର କଥା ନ କହିବା ଭଲ। ଦଳର ପ୍ରତିଟି କର୍ମୀ ଚାହୁଁଛନ୍ତି ପିସିସି ସଭାପତି ପଦରୁ ନିରଂଜନ ପଟ୍ଟନାୟକଙ୍କୁ ହଟାଯାଉ। ମାତ୍ର ପୂର୍ବ ପରମ୍ପରା ଅତୁଟ। ରାଜ୍ୟବାସୀ କହୁଛନ୍ତି କଂଗ୍ରେସକୁ ସମୂଳେ ସଫା କରିବା ପାଇଁ ନିରଂଜନଙ୍କୁ ପିସିସି ପଦରେ ବସା ଯାଇଛି। କ୍ଷମତା କେନ୍ଦ୍ର କୁହାଯାଉଥିବା ରାଜ୍ୟ ସଚିବାଳୟର ତୃତୀୟ ମହଲାର ନିର୍ବାଚନ ମ୍ୟାନେଜମେଂଟ ଆଗରେ ବିରୋଧି ଏକ ପ୍ରକାର ପଳାୟନପନ୍ଥୀ। ତେଣୁ ଧରମା ପ୍ରଡକସନ୍‌, ପଟ୍ଟନାୟକ ଆଣ୍ଡ ସନ୍ସ, ଆଇଏସ ଆଇପିଏସ ସଂଘ, ଓଏସ ସଂଘ, ସଚିବାଳୟ କର୍ମଚାରୀ ସଂଘ, ଶିକ୍ଷକ ସଂଘ ସମସ୍ତଙ୍କ ସ୍ୱାଭିମାନ ଆଜି ୩ୟ ମହଲାରେ ବନ୍ଧା।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.