Home Coronavirus Outbreak ୨୭୭ରେ ପହଞ୍ଚିଲା ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା – ତୃତୀୟ ସପ୍ତାହ ସଟ୍ ଡାଉନର ପ୍ରଥମ...

୨୭୭ରେ ପହଞ୍ଚିଲା ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା – ତୃତୀୟ ସପ୍ତାହ ସଟ୍ ଡାଉନର ପ୍ରଥମ ଦିନରେ ବାଲେଶ୍ୱର

121

ବାଲେଶ୍ୱର, ୨୦ା୬ (ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ୱର ସମେତ୧୧ଟି କରୋନା ପ୍ରବଣ ଜିଲ୍ଲାରେ ଲାଗୁ ହୋଇଥିବା ସାପ୍ତାହିକ ଦୁଇଦିନିଆ ସଟ୍ ଡାଉନ୍‌ର ଆଜି ଥିଲା ତୃତୀୟ ସପ୍ତାହର ପ୍ରଥମ ଦିନ। ପୂର୍ବର ଦୁଇ ସପ୍ତାହ ଭଳି ଆଜି ମଧ୍ୟ ବାଲେଶ୍ୱରରେ ଏହାର ପ୍ରଭାବ ବେଶ ପରିଲକ୍ଷିତ ହୋଇଥିଲା। ସହର ସମେତ ଜିଲ୍ଲାର ଜନସାଧାରଣ ଏହି ସଟ୍ ଡାଉନ୍ ନିୟମକୁ ବେଶ୍ ଗୁରୁତ୍ୱର ସହ ପାଳନ କରିଛନ୍ତି। ଅନ୍ୟ ସପ୍ତାହ ଭଳି ପ୍ରଶାସନ ପକ୍ଷରୁ ମାଇକ୍ ଜରିଆରେ ପ୍ରଚାର ମଧ୍ୟ କରାଯାଇଥିଲା। ସେହିକ୍ରମରେ ସକାଳଠାରୁ ବାଲେଶ୍ୱର ସହର ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ବାଲେଶ୍ୱର ଜିଲ୍ଲା କରୋନା ସଂକ୍ରମଣରେ ରାଜ୍ୟର ପଞ୍ଚମ ସ୍ଥାନରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୨୭୭ ଛୁଇଁଚି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାବାସୀ ସରକାରଙ୍କ ନିୟମକୁ ମାନି ସଟ୍ ଡାଉନ୍ ପାଳନ କରିଥିବା ପରିଲକ୍ଷିତ ହୋଇଛି। ସମସ୍ତେ ଘରେ ରହିବା ସହ ଅତି ଆବଶ୍ୟକ ନ ପଡ଼ିଲେ ବା ମେଡିକାଲକୁ ଯିବା ଭଳି ଜରୁରୀ ସ୍ଥିତିରେ କାଁ ଭାଁ ଲୋକେ ଘରୁ ବାହାରୁ ଥିଲେ। ତାହା ପୁଣି ପ୍ରଶାସନର ଅନୁମତି ନେଇ। ସେହିଭଳି ଏହି ଦୁଇଦିନିଆ ସଟ୍ ଡାଉନ୍‌ର ସଫଳତା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। ବାଲେଶ୍ୱର ସହର ସମେତ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ପୁଲିସ ପକ୍ଷରୁ କଡ଼ା ପହରା ଓ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବେ ସହରର ବିଭିନ୍ନ ଛକରେ ଦଳ ଦଳ ପୁଲିସ କର୍ମଚାରୀ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି। ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ସଟ୍ ଡାଉନ୍‌ରେ ଘରୁ ବାହାରିବାର କାରଣ ପଚାରିଛନ୍ତି। ଆବଶ୍ୟକ ପଡ଼ିଲେ ଯାଞ୍ଚ ବି କରୁଛନ୍ତି। ଏକାଧିକ ପୁଲିସ ପାଟ୍ରୋଲିଂ ଗାଡ଼ି ସହରରେ ପଇଁତିରା ମାରିବା ସହିତ ସଟ୍ ଡାଉନ୍‌ର ସ୍ଥିତି ଅନୁଧ୍ୟାନ କରୁଛି। ସେହିଭଳି ପଦସ୍ଥ ପୁଲିସ ଅଧିକାରୀମାନେ ମଧ୍ୟ ସହରର ବିଭିନ୍ନ ଅଞ୍ଚଳ ବୁଲିବା ସହିତ ସଟ ଡାଉନ୍ କାର୍ଯ୍ୟକାରିତା ଉପରେ ନଜର ରଖୁଛନ୍ତି। ମୋଟ୍ ଉପରେ ଜିଲ୍ଲାବାସୀଙ୍କ ସହଯୋଗରୁ ସରକାର ସଟ୍ ଡାଉନ୍ ନିୟମ ବାଲେଶ୍ୱରରେ ବେଶ ପ୍ରତିଫଳିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପକ୍ଷରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପୁଲିସ, ପ୍ରଶାସନ ଏମିତିକି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଯଦିଚଃ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ତଥାପି ଆହୁରି ୭୫ ଜଣ ଏକ୍ଟିଭ୍‌ଙ୍କର ଏବେ କୋଭିଡ୍ ହସପିଟାଲରେ ଚିକିତ୍ସା ଜାରି ରହିଛି। ସେହିଭଳି ଅନ୍ୟରାଜ୍ୟରୁ ଜିଲ୍ଲାକୁ ପ୍ରବାସୀ ଶ୍ରମିକଙ୍କ ଆଗମନ ବି ଜାରି ରହିଛି। ଅଦ୍ୟାବଧି ମୋଟ ୫୦ ହଜାର ୩୦୩ ଜଣ ପ୍ରବାସୀ ଜିଲ୍ଲାକୁ ଆସିଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାର ମୋଟ ୧୦୧୭ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଟିଏମସି)ରେ ୪୨ ହଜର ୩୮୪ ଜଣ ସଂଗରୋଧରେ ରହି ଡିସଚାର୍ଜ ହୋଇ ଘରକୁ ଚାଲି ଗଲେଣି। ଏବେ ଜିଲ୍ଲାରେ କାର୍ଯ୍ୟକ୍ଷମ ୩୮୪ଟିରେ ୮୮୧୩ ଜଣ ସଙ୍ଗରୋଧରେ ରହିଛନ୍ତି। ସେହିଭଳି ଜିଲ୍ଲାରେ ଅଦ୍ୟାବଧି ୩୩ ହଜାର ୧୯୭ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ ୧୧ ହଜାର ୧୧୮ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି ଏବଂ ୧୦ ହଜାର ୬୯୧ ଜଣଙ୍କର ରିପୋର୍ଟ ଆସିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ସତ୍ତ୍ୱେ ବି ଜିଲ୍ଲାରେ କରୋନାର କାୟା ବିସ୍ତାର ରୋକିବା ପାଇଁ।ମାଜିକ ଦୂରତ୍ୱ ରକ୍ଷା ସାଙ୍ଗକୁ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.