Home ଓଡ଼ିଶା ‘ନେସ୍କୋ’ସିକ୍ୟୁରିଟି ଗାର୍ଡ଼ଙ୍କ ଝୁଲନ୍ତା ମୃତଶରୀର ଉଦ୍ଧାର ମୃତ୍ୟୁର କାରଣ ଅସ୍ପଷ୍ଟ

‘ନେସ୍କୋ’ସିକ୍ୟୁରିଟି ଗାର୍ଡ଼ଙ୍କ ଝୁଲନ୍ତା ମୃତଶରୀର ଉଦ୍ଧାର ମୃତ୍ୟୁର କାରଣ ଅସ୍ପଷ୍ଟ

140

ବାଲେଶ୍ୱର, ୨୦ା୬ (ଓଡ଼ିଆ ପୁଅ/ଅଭୟ ଦାସ): ଶୋଇବା ଘରୁ ନେସ୍କୋ ସୁକ୍ୟୁରିଟି ଗାର୍ଡ଼ ଅନୋଜ କୁମାର ମିଶ୍ର(୪୭)ଙ୍କର ଝୁଲନ୍ତା ମୃତଦେହକୁ ପରିବାର ଲୋକେ ଆଜି ଉଦ୍ଧାର କରିଛନ୍ତି। ପତ୍ନୀ କଳ୍ପନା ମିଶ୍ର ଓ ୭ମ ଶ୍ରେଣୀରେ ପଢ଼ୁଥିବା ସାନପୁଅ ସହ ଅନୋଜ ଗତକାଲି ରାତିରେ ଟାଉନ ଥାନା ଅନ୍ତର୍ଗତ ମାନସିଂବଜାରର ନିଜଘରେ ଶୋଇଥିଲେ। ରାତି ପ୍ରାୟ ୨ଟା ୩୦ ସମୟରେ କଳ୍ପନା ହଠାତ ନିଦରୁ ଉଠି ଅନୋଜଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଶୋଇବା ଘର ଫ୍ୟାନରେ ରଶିଦେଇ ସେ ଆତ୍ମହତ୍ୟା କରିଥିବା କଳ୍ପନା ଦେଖିବାକୁ ପାଇଥିଲେ। ତେବେ ଏଭଳି ସ୍ଥିତିରେ କ’ଣ କରିବେ କିଛି ଭାବି ନପାରି ସେ ଭଦ୍ରକ ମାଉସୀଘରକୁ ଯାଇଥିବା ବଡ଼ପୁଅ ଓ ବାପା ବଟେଶ୍ୱର ଅଞ୍ଚଳର ଅରୁଣ ପଣ୍ଟାଙ୍କୁ ଫୋନ କରିଥିଲେ ବୋଲି କଳ୍ପନା କହିଛନ୍ତି। ତେବେ ୧୫ ମିନିଟ ମଧ୍ୟରେ ବାପଘର ଲୋକେ ପହଞ୍ଚିବା ପରେ ସମସ୍ତେ ମିଶି ଫ୍ୟାନରେ ଲାଗିଥିବା ଫାଶି ଦଉଡ଼ି କାଟି ଅନୋଜଙ୍କ ମୃତଦେହ ତଳକୁ ଓହ୍ଲାଇଥିଲେ। ଖବର ପାଇ ଆଜି ସକାଳେ ଟାଉନ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ୍ କରିବା ସହ ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ତେବେ ରାତି ସାଢ଼େ ୩ଟାରୁ ଖବର ପାଇ ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଅଞ୍ଚଳର ପୌତୃକ ଘରେ ରହୁଥିବା ଅନୋଜଙ୍କ ବଢ଼ଭାଇ, ପୁତୁରା ଓ ପଡ଼ୋଶୀମାନେ ଆଜି ଭୋର ମାନସିଂବଜାରରେ ପହଞ୍ଚିଥିଲେ। ସାନଭାଇ ଅନୋଜଙ୍କ ଆତ୍ମହତ୍ୟାକୁ ସେ ସହଜରେ ଗ୍ରହଣ କରିପାରି ନଥିଲେ। ତାଙ୍କୁ ମାରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ସେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଆସିବା ପୂର୍ବରୁ ଅନୋଜଙ୍କ ମୃତଦେହକୁ କାହିଁକି ତଳକୁ ଅଣାଯାଇଥିଲା ବୋଲି ଅଭିଯୋଗରେ ସେ ଦର୍ଶାଇଛନ୍ତି। ଏହି ଘଟଣାର ତଦନ୍ତ ସହ ପ୍ରକୃତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅନୋଜଙ୍କ ବଡ଼ଭାଇ ଦାବି କରିଛନ୍ତି। ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଅଞ୍ଚଳର ସ୍ୱର୍ଗତ ଶ୍ରୀକାନ୍ତ ମିଶ୍ରଙ୍କ ସାନପୁଅ ଅନୋଜ ମିଶ୍ର ୧୯ ବର୍ଷ ପୂର୍ବରୁ ଟାଉନଥାନା ଅନ୍ତର୍ଗତ ବଟେଶ୍ୱର ଅଞ୍ଚଳର ଅରୁଣ ପଣ୍ଡାଙ୍କ ଦ୍ୱିତୀୟ କନ୍ୟା କଳ୍ପନଙ୍କୁ ବିବାହ କରିଥିଲେ। ତେବେ ଗତ ୧୦ ବର୍ଷଧରି ଅନୋଜ୍ କାଳୀମନ୍ଦିରସ୍ଥିତ ନେସ୍କୋ ୟୁଟିଲିଟି ସେଣ୍ଟରରେ ସିକ୍ୟୁରିଟି ଗାର୍ଡ଼ ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟ କରିବା ସମୟ ମଧ୍ୟରେ ନିଜର ଶାଳକଠାରୁ ଜମିକିଣି ମାନସିଂବଜାରରେ ଘର କରି ରହିଆସୁଥିଲେ। ତାଙ୍କର ଏବେ ଦୁଇପୁଅ ଅଛନ୍ତି। ତେବେ ଦୀର୍ଘଦିନ ଧରି କଳ୍ପନା ଓ ଅନୋଜଙ୍କ ମଧ୍ୟରେ ପାରିବାରିକ କଳି ଲାଗି ରହୁଥିଲା ବୋଲି ପଡ଼ୋଶୀମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.