Home ଜିଲ୍ଲା ପରିକ୍ରମା ୨୪ ଘଣ୍ଟାରେ ବିଦ୍ୟୁତ, ୭ ଦିନ ଭିତରେ ପୂର୍ବାବସ୍ଥା ଫେରାଇ ଆଣିବାକୁ ନିର୍ଦ୍ଦେଶ – ମନ୍ତ୍ରୀ...

୨୪ ଘଣ୍ଟାରେ ବିଦ୍ୟୁତ, ୭ ଦିନ ଭିତରେ ପୂର୍ବାବସ୍ଥା ଫେରାଇ ଆଣିବାକୁ ନିର୍ଦ୍ଦେଶ – ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

60

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ୟଶ୍‌’ ଜନିତ କ୍ଷୟକ୍ଷତି ଏବଂ ଏହାର ପରବର୍ତ୍ତୀ ସ୍ଥିତିର ସମୀକ୍ଷା ପାଇଁ ଆଜି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭଦ୍ରକ ଗସ୍ତରେ ଆସିଥିଲେ । ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ବାତ୍ୟା ଓ ବନ୍ୟା ସମ୍ପର୍କୀତ କ୍ଷୟକ୍ଷତିର ପ୍ରାଥମିକ ଆକଳନ ସମ୍ପର୍କରେ ସୂଚନା ଦେଇଥିଲେ । ବାତ୍ୟା ଓ ପରେ ବୈତରଣୀର ବନ୍ୟା ଏକକାଳୀନ ଜିଲ୍ଲାର ସମସ୍ତ ବ୍ଳକ ଓ ପୌରାଞ୍ଚଳକୁ ପ୍ରଭାବିତ କରିଛି । ବାତ୍ୟାରେ ଚାନ୍ଦବାଲି ଓ ବାସୁଦେବପୁର ବ୍ଳକରେ ସର୍ବାଧିକ କ୍ଷତି ହୋଇଥିବା ବେଳେ ବୈତରଣୀ ବନ୍ୟାରେ ଭଣ୍ଡାରିପୋଖରୀ, ଧାମନଗର ବ୍ଳକ ଅଧିକ ପ୍ରଭାବିତ ହୋଇଛି । ଏହା ବ୍ୟତୀତ ତିହିଡ଼ି, ବନ୍ତ, ଭଦ୍ରକ ବ୍ଳକ ଓ ପୌରାଞ୍ଚଳର ବହୁ ଚାଷ ଜମିରେ ଏବେ ମଧ୍ୟ ପାଣି ଭର୍ତ୍ତି ହୋଇ ରହିଛି । ବହୁ ସ୍ଥାନରେ ଏସ୍‌କାଭେଟର ଏବଂ କେତେକ ସ୍ଥାନରେ ବଡବଡ ପମ୍ପ ସାହାଯ୍ୟରେ ଜଳ ନିଷ୍କାସନ କରାଯାଉଛି । ସ୍ଥାନାନ୍ତରିତ ହୋଇଥିବା ଲୋକମାନେ ପ୍ରାୟତଃ ନିଜ ନିଜ ଘରକୁ ଫେରିଗଲେଣି । ଯେଉଁମାନେ ଏବେବି ଆଶ୍ରୟସ୍ଥଳୀରେ ଅଛନ୍ତି, ସେମାନଙ୍କୁ ଖାଦ୍ୟ ଯୋଗାଣ କରାଯାଉଛି । ସମସ୍ତ ବାତ୍ୟ ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ଘରଭଙ୍ଗାର ଆକଳନ ଆରମ୍ଭ ହୋଇଛି । ଚାନ୍ଦବାଲି ବ୍ଳକକୁ ୭ଜଣ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ପଠାଯାଇଛି । ଏହା ବ୍ୟତୀତ ଆର୍‌ଆଇ, ଅତିରିକ୍ତ ତହସିଲଦାର, ତହସିଲଦାର ଘରକୁ ଘର ବୁଲି ବାସ୍ତବିକ ଚିତ୍ର ଦେଖିବା ସହ ଘରଭଙ୍ଗାର ଆକଳନ କରିବା ଆରମ୍ଭ କରିଛନ୍ତିି । ବାତ୍ୟାରେ ହୋଇଥିବା ଚାଷ ସମ୍ପର୍କରେ ମଧ୍ୟ ଆକଳନ କରାଯାଉଛି ।

ରାସ୍ତଘାଟ ଯେଉଁସବୁ ସ୍ଥାନରେ ଅବରୋଧ ହୋଇଥିଲା, ପ୍ରାୟତଃ ସେସବୁ ଅବରୋଧକୁ ପରିଷ୍କାର କରାଯାଇ ସାରିଲାଣି । ମାତ୍ର କେତେକ ଯେଉଁ ସ୍ଥାନରେ ରାସ୍ତା କଟ୍‌ଅପ୍ ହୋଇଥିଲା, ସେସବୁ ମରାମତି ପାଇଁ କାର୍ଯ୍ୟ ଜାରି ରହିଛି ବୋଲି କହିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଓ ବନ୍ୟା ପୂର୍ବରୁ ଯେଉଁଭଳି ପଦକ୍ଷେପ ନେଇଥିଲେ, ଫଳ ସ୍ୱରୂପ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ବାର୍ତ୍ତା ଥିଲା ‘ଜିରୋ କାଜୁଆଲିଟି’ ତାହା ସଫଳ ହୋଇ ପାରିଛି । ଜିଲ୍ଲାରେ କେହି ମୃତ୍ୟୁ ବରଣ କରି ନାହାନ୍ତି । ସେଥିଲାଗି ମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । ବାତ୍ୟା ପରେ ଏବେ ମଧ୍ୟ ୮୧ଟି ଗ୍ରାମରୁ ଜଳ ନିଷ୍କାସନ ହୋଇ ପାରିନାହିଁ । ସେସବୁ ଗ୍ରାମରୁ ଜଳ ନିଷ୍କାସନ ପାଇଁ ଚେଷ୍ଟା ଜାରି ରହିଛି । ଲୋକେ ଯେପରି ଭୋକିଲା ନ ରହନ୍ତି ସେଥିଲାଗି ରାଜ୍ୟ ସରକାର ୭ଦିନର ରିଲିଫ୍ ଯୋଗାଣର ବ୍ୟବସ୍ଥା କରିଛନ୍ତି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ଅଞ୍ଚଳର ବିଧାୟକ, ସାଂସଦ ନିଜ ପ୍ରଚେଷ୍ଟାରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଉଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ଏହା ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଜିଲ୍ଲାରେ ବିଦ୍ୟୁତ୍ ସରବରାହକୁ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବିଭାଗୀୟ ଅଧିକାରୀ ଏହାକୁ ସମ୍ପନ୍ନ କରିବେ ବୋଲି ପ୍ରତିଶୃତି ଦେଇଥିବା ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ୨ ତାରିଖ ସୁଦ୍ଧା ପ୍ରକୃତ କ୍ଷୟକ୍ଷତିର ସବିଶେଷ ବିବରଣୀ ସରକାରଙ୍କୁ ଦେବା ସହିତ ୭ ଦିନ ମଧ୍ୟରେ ଜିଲ୍ଲା ଯେପରି ପୂର୍ବାବସ୍ଥାକୁ ଫେରି ଆସିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗରର ମାନ୍ୟବର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକର ମାନ୍ୟବର ବିଧାୟକ ସଂଜୀବ ମଳ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ପ୍ରଣୀତକାନ୍ତ ସାମଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.