Home ଜିଲ୍ଲା ପରିକ୍ରମା ୨୦୨୦ ଖରିଫ ଧାନ ବିକ୍ରିରେ ଚାଷୀ ମାରଣ ନୀତି, ତାଳଧ୍ୱଜ ସ୍ୱୟଂ ସହାୟକ ଗୋଷ୍ଠୀକୁ ବରଖାସ୍ତ...

୨୦୨୦ ଖରିଫ ଧାନ ବିକ୍ରିରେ ଚାଷୀ ମାରଣ ନୀତି, ତାଳଧ୍ୱଜ ସ୍ୱୟଂ ସହାୟକ ଗୋଷ୍ଠୀକୁ ବରଖାସ୍ତ ଦାବିରେ ଚାଷୀ ଜିଲାପାଳଙ୍କୁ ଭେଟିଲେ

44

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ଆନ୍ଦୋଳା ଗ୍ରାମପଞ୍ଚାୟତବାସୀମାନେ ଧାନ ବିକ୍ରି ପାଇଁ ପଂଜିକରଣର ପ୍ରତିବନ୍ଧକ ଦୂର କରିବା ନେଇ ଜିଲାପାଳ ଡ. ଜ୍ଞାନ ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆନ୍ଦୋଳା ଗ୍ରାମପଞ୍ଚାୟତର ନିରଞ୍ଜନ ସାହୁ, ଶଶଧର ସାହୁ, ରତ୍ନାକର ବେହେରା, ମୁକ୍ତିକାନ୍ତ ସାହୁ ପ୍ରମୁଖ ଚାଷୀମାନେ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ସେମାନେ ଗତ ଖରିଫ ୨୦୨୦ ରେ ଧାନ ବିକ୍ରି ପାଇଁ ସୋସାଇଟିରେ ପଂଜିକରଣ କରିଥିଲେ । କିନ୍ତୁ ଧାନବିକ୍ରି ପାଇଁ ସେମାନଙ୍କ ପଂଚାୟତର ତାଳଧ୍ୱଜ ସ୍ୱୟଂ ସହାୟକ ଗୋଷ୍ଠୀକୁ ମଣ୍ଡି ଦାୟିତ୍ୱରେ ଧାନ ସଂଗ୍ରହର କ୍ଷମତା ପ୍ରଦାନ କରାଯାଇଥିଲା । କିନ୍ତୁ ଉକ୍ତ ଗୋଷ୍ଠୀ ନିଜ ମନଇଚ୍ଛାରେ ପ୍ରକୃତ ଚାଷୀଙ୍କ ଠାରୁ ଠିକ୍ ପରିମାଣରେ ଧାନ ନନେଇ ଅନୀତି ଉପାୟରେ ତା ସଂଗ୍ରହ କରିଥିଲା । ଏହି ଗୋଷ୍ଠୀ ଚାଷୀଙ୍କୁ ଏପର୍ଯ୍ୟନ୍ତ ତାଙ୍କର ପ୍ରାପ୍ୟ ଅର୍ଥ ପ୍ରଦାନ ନକରି ଧାନର ପ୍ରକୃତ ମୂଲ୍ୟ ଠାରୁ କମ୍ ଦାମ୍‌ରେ ନିଅଣ୍ଟିଆ ଭାବେ ପ୍ରଦାନ କରିବା ଦ୍ୱାରା ଚାଷୀଙ୍କର ଅପୂରଣୀୟ କ୍ଷତି ହୋଇଛି । ସରକାରୀ ଏମ୍‌ଏସ୍‌ପି ସର୍ବନିମ୍ନ ସହାୟକ ମୂଲ୍ୟକୁ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମାନ ନଦେଇ ଭେଣ୍ଡର ରସିଦ୍ ନଦେବା ଏବଂ ବହୁ ବିଳମ୍ବରେ କମ୍ ଦାମ୍‌ରେ ପରିଶୋଧ କରିବା, ରାଜନୀତି କରଣ କରାଇ ନିଜ ଲୋକଙ୍କର ଯେଉଁମାନଙ୍କର ଜମି ନାହିଁ କିମ୍ବା କମ୍ ଜମି ଅଛି, ସେମାନଙ୍କ ନାମରେ ଅଧିକାଂଶ ଧାନ ସଂଗ୍ରହ କରିଥିଲା । ଶେଷରେ ଧାନସଂଗ୍ରହର ଲକ୍ଷ୍ୟଧାର୍ଯ୍ୟ ମିଥ୍ୟାରେ ପୂରଣ ହେବାର ଘୋଷଣା କରି ପ୍ରକୃତ ଚାଷୀଙ୍କୁ ଟୋକନ ନଦେବା ଦ୍ୱାରା କଠନି ପରିଶ୍ରମ ଓ ଋଣ କରି ଯେଉଁଚାଷୀ ଧାନ ଫଳାଇଥିଲେ, ସେମାନେ ଏବେ ପେଟରେ ଓଦାକନା ଦେଇ ବସିଛନ୍ତି । ଗତ ଖରିଫ ୨୦୨୦ ରେ ଚାଷୀ ଧାନ ବିକ୍ରି କରିବାରୁ ବଂଚିତ ଥିବାବେଳେ ଯେଉଁ ନିରୀହ ଚାଷୀ ବିନା ଭେଣ୍ଡର ରସିଦ୍‌ରେ ଧାନ ବିକ୍ରି କରିଥିଲେ, ସେମାନଙ୍କୁ ତାଙ୍କର ପ୍ରାପ୍ୟ ଅଦ୍ୟାବଧି ମିଳିନଥିବା ସ୍ଥଳେ ପୁନଶ୍ଚ ୨୦୨୧ ଖରିଫ ପଂଜିକରଣ ପାଇଁ ସୋସାଇଟିକୁ ଗଲେ ସେ ଫେରାଇଦେବା ସହ ସଂପାଦକଙ୍କ ପରାମର୍ଶ କ୍ରମେ ତାଳଧ୍ୱଜ ମଣ୍ଡିରେ ପଂଜିକରଣ କରାଇନେବା ପାଇଁ କହୁଛନ୍ତି । ଯାହାଦ୍ୱାରା ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ପୁନର୍ବାର ଚାଷୀମାରଣ ନୀତି ଗ୍ରହଣ ପୂର୍ବକ ମନମୁଖୀ ନିଜର କାର୍ଯ୍ୟ କରିବା ଦ୍ୱାରା ବହୁ ଚାଷୀ ଧାନ ବିକ୍ରିରୁ ବଂଚିତ ହେବେ । ଏଣୁ ଚାଷୀଙ୍କୁ ସୁରକ୍ଷା ଓ ଧାନ ବିକ୍ରିର ସୁନିଶ୍ଚିତତା ପାଇଁ ତାଳଧ୍ୱଜ ସ୍ୱୟଂ ସହାୟକ ଗୋଷ୍ଠୀ ମଣ୍ଡିକୁ ଦରଖାସ୍ତ କରାଇ ଆନ୍ଦୋଳା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଦୁଇଟି ସୋସାଇଟି ବାଲିମେଦ ଓ ନାୟକାଣୀଡିହିରେ ପଂଜିକରଣ ସହ ଧାନ ବିକ୍ରି ପାଇଁ ଅନୁମତି ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.