Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଆବାସ ଚୟନରେ ଅର୍ଣ୍ଣପାଳ ଗ୍ରାମପଞ୍ଚାୟତର ଜିଆରଏସ୍‌ଙ୍କ ଅନିୟମିତତା, ପଂଚାୟତରୁ ଅନ୍ତର କରିବା ନେଇ ଜିଲାପାଳଙ୍କୁ...

ପ୍ରଧାନମନ୍ତ୍ରୀ ଆବାସ ଚୟନରେ ଅର୍ଣ୍ଣପାଳ ଗ୍ରାମପଞ୍ଚାୟତର ଜିଆରଏସ୍‌ଙ୍କ ଅନିୟମିତତା, ପଂଚାୟତରୁ ଅନ୍ତର କରିବା ନେଇ ଜିଲାପାଳଙ୍କୁ ଦାବିପତ୍ର

56

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ ଅର୍ଣ୍ଣପାଳ ଗ୍ରାମପଞ୍ଚାୟତର ଗ୍ରାମ ରୋଜଗାର ସେବକ ଏକ ନିର୍ଦ୍ଦିଷ୍ଟ ଦଳର ଦଳୀୟ କର୍ମୀ ଭାବେ କାର୍ଯ୍ୟ କରି ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ପ୍ରିୟାପ୍ରୀତି ତୋଷଣ ଓ ପାତର ଅନ୍ତର ନୀତି ଗ୍ରହଣ କରିବା ବିରୁଦ୍ଧରେ ଆଜି ଉକ୍ତ ପଂଚାୟତର ବହୁ ଗ୍ରାମବାସୀ ଆଦିକନ୍ଦ ନାୟକ ଓ ବିନୋଦ ନାୟକଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ମୂଳେ ଉକ୍ତ ପଂଚାୟତର ଗ୍ରାମ ରୋଜଗାର ସେବକ ନିଗମାନନ୍ଦ ପଣ୍ଡା ଖୋଲାଖୋଲି ଭାବେ ଲୋକଙ୍କୁ ଲାଞ୍ଚ ମାଗିବା ସହ ପ୍ରିୟାପ୍ରୀତି ତୋଷଣ ନୀତି ଗ୍ରହଣ ପୂର୍ବକ ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ବିରୋଧୀ ଦଳ ଭାରତୀୟ ଜନତା ପାର୍ଟିର କର୍ମୀଙ୍କୁ ସେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସମସ୍ତ ସୁବିଧାରୁ ବଂଚିତ ରଖି ରାଜନୈତିକ ଚଂଚକତାରେ ବାଧକ ସାଜୁଛନ୍ତି । ଶ୍ରୀ ପଣ୍ଡା ନିଜର ମୂଳ ପଂଚାୟତ ବିଷ୍ଣୁପୁର ବିନ୍ଧାରେ ଏହିଭଳି ଅନୀତି ମୂଳକ କାର୍ଯ୍ୟକରି ନିଲମ୍ବନ ହୋଇଥିଲେ । ଏବେ ସେ ମୂଳ ପଂଚାୟତ ସହିତ ଅର୍ଣ୍ଣପାଳ ପଂଚାୟତରେ କାର୍ଯ୍ୟ କରୁଛନ୍ତି । ଅନେକ ସମୟରେ ସେ ଉତ୍କୋଚ ମାଗିବା ସହ ମଦ ପିଇ ଗାଳିଗୁଲଜ କରିବା ନୀତିଦିନିଆ ଘଟଣା ହୋଇଗଲାଣି । ଅନୁରୂପ ଉକ୍ତ ପଂଚାୟତରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀଙ୍କୁ ସରକାରୀ ବାସଭବନ ମିଳିଥିଲେ ମଧ୍ୟ ସେ ସେଠାରେ ରହୁନାହାଁନ୍ତି । ପଂଚାୟତ ଅଫିସ୍ କେବେ ଖୋଲେ, କେହି ଜାଣିପାରନ୍ତି ନାହିଁ । ୟାସ୍ ମହାବାତ୍ୟା ସମୟରେ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ରହିବାର ନିର୍ଦ୍ଦେଶ ଥିଲେ ବି ସଂପୃକ୍ତ ନିର୍ବାହୀ ଅଧିକାରୀ ପଂଚାୟତରେ ନଥିଲେ ।

ଯାହାର ପ୍ରମାଣ ଏକ ଆରଟିଆଇ ଚିଠି ଡାକରେ ପଠାଯାଇଥିଲେ ମଧ୍ୟ ୭ ଦିନ ପରେ ସେ ଅନୁପସ୍ଥିତ ଥିବାର ଦର୍ଶାଯାଇ ଫେରିଆସିଥିଲା । ଏହି ଦୁଇ ଅଧିକାରୀ ବିରୋଧୀ ଦଳ ସମର୍ଥିତ ଜନସାଧାରଣଙ୍କୁ ଆଦୌ ସହଯୋଗ କରୁନାହାଁନ୍ତି । ଗତ ଫନି ମହାବାତ୍ୟା ପରବର୍ତ୍ତୀ ସମୟରେ ଆବାସ ଯୋଜନାରେ ପ୍ରାୟ ୨ ଶହରୁ ଉର୍ଦ୍ଧ୍ୱ ଲୋକଙ୍କର ସର୍ଭେ କରାଯାଇ ଜିଓ-ଟ୍ୟାଗ୍ ହୋଇଥିଲେ ମଧ୍ୟ ଶ୍ରୀ ପଣ୍ଡାଙ୍କ ଦ୍ୱାରା ଏବେ ପ୍ରକାଶିତ ଅନଲାଇନ୍ ତାଲିକାରୁ ସେମାନଙ୍କୁ ନାମ ବାଦ୍ ଦିଆଯାଉଛି । ଗତ ୨୦୨୦-୨୧ ମସିହାରେ ପ୍ରଧାନମନ୍ତ୍ରୀ ଆବାସର ଲକ୍ଷ୍ୟ ଫେରିଯାଇଥିଲା । ୨୦୧୪ ମସିହାରୁ ଅଦ୍ୟାବଧି ଆବାସ ଯୋଜନାରେ ସ୍ଥାୟୀ ଅପେକ୍ଷାରତ ତାଲିକା ପ୍ରକାଶ ପାଇଲାନାହିଁ । ପଂଚାୟତ ଅଫିସ୍ ବିଜ୍ଞାପନ ଫଳକ କିମ୍ବା କାନ୍ଥରେ ତାର ସୂଚନା ମଧ୍ୟ ଦିଆଗଲା ନାହିଁ । ଏବେ ଚାଲୁଥିବା ସର୍ଭେରେ ସେ ପୁନଃ ମାତ୍ରାରେ ପ୍ରିୟାପ୍ରୀତି ତୋଷଣ ନୀତି ଗ୍ରହଣ କରୁଛନ୍ତି । ସରକାରୀ ଦଳ ସମର୍ଥିତ ଲୋକଙ୍କୁ ସାଙ୍ଗରେ ନେଇ ସେ ସର୍ଭେ କରୁଛନ୍ତି । ଫଳରେ ଏହି ଟିମ୍‌ରେ ଥିବା ଶିକ୍ଷକ ଜଣକ କେବଳ ମୂକ ସାକ୍ଷୀ ପାଲଟୁଛନ୍ତି । ସେମାନେ ଜିଲାପାଳଙ୍କୁ ଦେଇଥିବା ତଥ୍ୟ ଅନୁସାରେ ଶ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ କ୍ର. ନଂ ୨୬୮ ରେ ସ୍ୱଚ୍ଛ ଭାରତ ମିଶନର ମୋଟିଭେଟର ତଥା ସରପଞ୍ଚଙ୍କ ଅବିବାହିତ ପୁତୁରା ସାରଦା ପ୍ରସାଦ ମହାନ୍ତି, କ୍ର.ନଂ. ୨୩୨ ରେ ସମିତିସଭ୍ୟା ଜୟଶ୍ରୀ ମହାପାତ୍ରଙ୍କର ସ୍ୱାମୀ ଶୁଭକାନ୍ତ ମହାପାତ୍ର, କ୍ର.ନଂ. ୫ ରେ ନାଏବ ସରପଞ୍ଚଙ୍କ ଭାଇ ଆଲୋକ ରଂଜନ ବେହେରା ଓ କ୍ର.ନଂ. ୮୬ ରେ ନାଏବ ସରପଞ୍ଚଙ୍କ ମା’ ସରସ୍ୱତୀ ବେହେରା ଓ କ୍ର.ନଂ. ୭୮ ରେ ନାଏବ ସରପଞ୍ଚଙ୍କ ଖୁଡି ରେଣୁକା ବେହେରାଙ୍କ ନାମ ବେଆଇନ୍ ଭାବେ ଚୟନ କରାଯାଇଛି । ଏଣୁ ଏହି ସର୍ଭେରେ କୌଣସି ସୁଫଳ ମିଳିବ ନାହିଁ ବୋଲି ସେମାନେ ଅନୁଭବ କରି ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଫଟୋ ସହିତ ସେମାନେ ପ୍ରଦାନ କରିଛନ୍ତି । ଏବଂ ଶ୍ରୀ ପଣ୍ଡାଙ୍କୁ ସେମାନଙ୍କ ପଂଚାୟତରୁ ଅନ୍ତର କରି ଯଥାଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏବଂ ଏହାର ଏକକିତା ନକଲ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଓ ଭଦ୍ରକ ବିଡିଓଙ୍କ ଅବଗତି ନିମନ୍ତେ ପ୍ରେରଣ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.