Home ଜିଲ୍ଲା ପରିକ୍ରମା ୧୭ ରୁ ୧୯ ଜିଲ୍ଲା ପରିକ୍ରମା କରିବ ଅହିଂସା ରଥ

୧୭ ରୁ ୧୯ ଜିଲ୍ଲା ପରିକ୍ରମା କରିବ ଅହିଂସା ରଥ

15

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତାର ଅମୃତ ମହୋତ୍ସବ ଆଧାରରେ ଗତ ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୪ଟି ଅହିଂସା ରଥ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ମହାତ୍ମାଗାନ୍ଧୀଙ୍କ ଅହିଂସା ମନ୍ତ୍ର ସହ ଦେଶପ୍ରେମର ବାର୍ତ୍ତା ବଣ୍ଟନ ଆଭିମୁଖ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରିବା ପରିପ୍ରେକ୍ଷୀରେ ଚଳିତ ମାସ ୧୭ ତାରିଖ ଶନିବାର ରୁ ୧୯ ତାରିଖ ସୋମବାର ପର୍ଯ୍ୟନ୍ତ ୨ଟି ଅହିଂସା ରଥ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ ପରିକ୍ରମା କରିବ। ଏହି ପରିକ୍ରମା କାର୍ଯ୍ୟର ସୁପରିଚାଳନା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ଆଭାସି ବୈଠକରେ ସମସ୍ତ କାର୍ଯ୍ୟକ୍ରମର ରୂପରେଖ ନେଇ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି। ଜିଲ୍ଲା ପରିଷଦ, ଭଦ୍ରକର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ପ୍ରୀତିମୟଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରୀୟ ମୁଖ୍ୟ ନୋଡ଼ାଲ ଅଧିକାରୀ ଦାୟିତ୍ୱ ଅର୍ପଣ କରାଯାଇଥିଲା ବେଳେ ଜିଲ୍ଲାର ବି.ଡ଼ି.ଓ. ଓ ପୌରପାଳିକା / ଏନ୍‌.ଏ..ସିର ନିର୍ବାହୀ ଅଧିକାରୀମାନଙ୍କୁ ସଂପୃକ୍ତ ଅଞ୍ଚଳ ପାଇଁ ନୋଡ଼ାଲ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।

ରଥ ମଧ୍ୟରୁ ଗୋଟିଏକୁ ବାସୁଦେବପୁର ବ୍ଲକ ର ସୀମାନ୍ତ ବେତଡ଼ା ଠାରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଠାରୁ ସ୍ୱାଗତ ପୂର୍ବକ ଗ୍ରହଣ କରାଯିବ ଓ ଅନ୍ୟଟିକୁ ବନ୍ତ ବ୍ଲକର ଆପରପଡ଼ା ନିକଟବର୍ତ୍ତୀ ଜିଲ୍ଲା ସୀମାନ୍ତରେ ସ୍ୱାଗତ ପୂର୍ବକ ଗ୍ରହଣ କରାଯିବ। ୧ମ ରଥଟି ବାସୁଦେପୁର ଦେଇ ଇରମ୍ ରେ ପହଞ୍ଚିବ। ବାସୁଦେବପୁର ପୌରାଞ୍ଚଳରେ ରାସ୍ତା ପାର୍ଶ୍ୱ ସ୍ୱାଗତ ଶୋଭାଯାତ୍ରା ସହ ରକ୍ତତୀର୍ଥ ଇରମ୍‌ରେ ଭବ୍ୟ ସ୍ୱାଗତ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଅହିଂସା ରଥରେ ସ୍ୱାଧୀନତା ଆନ୍ଦୋଳନରେ ସଂଗ୍ରାମୀମାନଙ୍କ ବଳିଦାନ ସମ୍ପର୍କିତ ଭିଡ଼ିଓ ବାର୍ତ୍ତା, ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ଗାନ୍ଧୀଜୀ ଓ ଓଡ଼ିଶା ଶୀର୍ଷକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ ବ୍ୟବସ୍ଥା ରହିଛି। ସୂଚନା ଯୋଗ୍ୟ କି ଏହି ଅହିଂସା ରଥ ପରିକ୍ରମଣ ଅବସରରେ ରାସ୍ତା ପାର୍ଶ୍ୱ ସ୍ୱାଗତ ସମ୍ବର୍ଦ୍ଧନା ସହ ବିଶେଷ କରି ଶହୀଦ ପୀଠ, ଗାନ୍ଧୀ ସ୍ମାରକୀ ସ୍ଥଳ, ସମୟାନୁଯାୟୀ କେତେକ ସ୍କୁଲ ମାନଙ୍କରେ ସ୍ୱଳ୍ପ ରହଣି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି। ୧ମ ରଥ ଟି ଇରମ୍ ପରେ ଗାନ୍ଧୀସ୍ମୃତି ପୀଠ, ଚାରବାଟିଆ ପରିକ୍ରମା ପରେ ଦ୍ୱିତୀୟ ଦିନରେ ଚାନ୍ଦବାଲି ବ୍ଲକ ସଦର ମହକୁମାରେ ଦୁର୍ଗାପଡ଼ିଆ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ପରେ ତିହିଡ଼ି ବ୍ଲକ୍‌ର କାନ୍ତକବି ପୀଠ ତାଳପଦାରେ ପହଞ୍ଚିବ।

ସେଠାକାର କାର୍ଯ୍ୟକ୍ରମ ପରେ ଦହପାଣିଆସ୍ଥିତ ଏସ୍‌.ଏସି.ଏସ୍‌.ଟି ସ୍କୁଲର ଅନ୍ତେଃବାସୀମାନଙ୍କ ଦ୍ୱାରା ସ୍ୱାଗତ ଓ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଦିନର କାର୍ଯ୍ୟକ୍ରମ ଶେଷ ହେବ। ଅନ୍ତିମ ଦିନରେ ଏହି ରଥଟି ଧାମନଗର ବ୍ଲକ ପରିକ୍ରମା କରିବା ଅବସରରେ ଶହିଦନଗର ଲୁଣିଆପୀଠ, ବେତାଳି ଗାଁର ଗାନ୍ଧିଘାଟ, ଲୋକକଳା ଗାଁ ବନ୍ଧଟିଆରେ ଏହି ରଥର ସ୍ୱଳ୍ପ ରହଣି ବେଳେ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ବିପୁଳ ସ୍ୱାଗତ କରାଯିବ। ସେହିପରି ଦ୍ୱିତୀୟ ରଥଟିକୁ ବନ୍ତ ବ୍ଲକ୍‌ର ଆଗରପଡ଼ା ରେ ସ୍ୱାଗତ ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଦ୍ରକ ଜିଲ୍ଲା ସଦର ମହକୁମାକୁ ଗସ୍ତ କରିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରବେଶ ପଥ ନିକଟ “ଆଇ.ଲଭ୍‌. ଭଦ୍ରକ” ସ୍ଥାନରେ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ସେଠାରୁ ଭଦ୍ରକ ସହର ପରିକ୍ରମା କରି ଐତିହାସିକ ଗାନ୍ଧିପଡ଼ିଆ ପରିକ୍ରମା ପୂର୍ବକ ଗାନ୍ଧିବାଳାଶ୍ରମରେ ସ୍ୱାଗତ ସମ୍ବର୍ଦ୍ଧନା ଓ ଅନ୍ତେଃବାସୀଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ, ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିନରେ ସେହି ରଥ ଭଦ୍ରକ ବ୍ଲକ୍‌ର କଲେଇ ଗ୍ରାମ ପଞ୍ଚାୟତ ସ୍ଥିତ କ୍ଷେତ୍ରବାସୀ ହାଇସ୍କୁଲରେ ଆୟୋଜିତ ହେବାକୁ ଥିବା ଭଦ୍ରକ ବ୍ଲକ୍ ସ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପହଞ୍ଚି ଅପରାହ୍ନରେ ଭଣ୍ଡାରିପୋଖରୀ ବ୍ଲକର ଗାନ୍ଧିସ୍ମୃତି ପୀଠ କ୍ରାନ୍ତି ମଇଦାନ କହଁରାପୋଖରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଅନ୍ତିମ ଦିନରେ ଭଣ୍ଡାରିପୋଖରୀ ହାଇସ୍କୁଲରୁ ପରିକ୍ରମା ଆରମ୍ଭ କରି ଷୋଳମପୁର ସ୍ତିତ ବୌଦ୍ଧ ବିହାରରେ ପହଞ୍ଚିବ। ଅପରାହ୍ନରେ ରଣଜିତ ପଞ୍ଚାୟତର ଗାନ୍ଧୀ ସ୍ମାରକୀପୀଠ ମଞ୍ଜୁରି ରେ ଦ୍ୱିତୀୟ ରଥ ପରିକ୍ରମାର ଅନ୍ତିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୦ ତାରିଖ ଦିନ ସକାଳେ ଦୁଇଟିଯାକ ରଥକୁ ଯାଜପୁର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ। ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି, ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ସଦସ୍ୟା ବୃନ୍ଦ, ଅଙ୍ଗବାଡ଼ି କର୍ମୀ, ଆଶା, ସ୍କୁଲ କଲେଜର ଛାତ୍ରଛାତ୍ରୀ, ଅଞ୍ଚଳବାସୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସମସ୍ତେ ନିଜ ନିଜ ଅଞ୍ଚଳରେ ସାମିଲ ହୋଇ ଏହି ରଥକୁ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୧ମ ରଥ ସହିତ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କୁ ଦ୍ୱିତୀୟ ରଥ ସହିତ ଗସ୍ତ କରିବା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.