Home ଜିଲ୍ଲା ପରିକ୍ରମା ଭଦ୍ରକ ବସ୍‌ଷ୍ଟାଣ୍ଡର ହେବ ନବ କଳେବର, ପ୍ରକାଶ ପାଇଲା ବିଜ୍ଞପ୍ତି, ୫.୭୮ କୋଟି ମଂଜୁର

ଭଦ୍ରକ ବସ୍‌ଷ୍ଟାଣ୍ଡର ହେବ ନବ କଳେବର, ପ୍ରକାଶ ପାଇଲା ବିଜ୍ଞପ୍ତି, ୫.୭୮ କୋଟି ମଂଜୁର

23

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖୁବ୍‌ଶୀଘ୍ର ଭଦ୍ରକ ବସ୍‌ଷ୍ଟାଣ୍ଡର ନବ କଳେବର ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ବସ୍‌ଷ୍ଟାଣ୍ଡର ନବୀକରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିନିମିତ୍ତ ୫.୭୮ କୋଟି ପ୍ରଥମାବସ୍ଥାରେ ମଂଜୁର ହୋଇଥିବା ବିଭାଗୀୟ ପତ୍ରରୁ ସୂଚନା ମିଳିଛି। ଉକ୍ତ ମଂଜୁର ଅର୍ଥରେ ବସ୍ ଟର୍ମିନାଲ, ଅତ୍ୟାଧୁନିକ ଯାତ୍ରୀ ଆଶ୍ରୟସ୍ଥଳୀ, ଶୌଚାଳୟ, ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା, ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା, ଫୁଡ୍ କୋର୍ଟ ଭଳି ବହୁ ବ୍ୟବସ୍ଥା ରହିବ। ତେବେ ଏପରି ବିଭାଗୀୟ ନିଷ୍ପତ୍ତିକୁ ନେଇ ସହରବାସୀ ଉତ୍ସାହିତ ହୋଇଥିବାବେଳେ ନୂତନ ବସ୍‌ଷ୍ଟାଣ୍ଡର ପୁନରୁଦ୍ଧାର ପାଇଁ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲା ମାନ୍ୟତା ପାଇବାକୁ ଇତିମଧ୍ୟରେ ୨୮ ବର୍ଷ ବିତିଛି। ସହରର କଳେବର ବଢିବା ସହିତ ଲୋକସଂଖ୍ୟା ଓ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି। ହେଲେ ଦୀର୍ଘ ୧୫ ବର୍ଷ ହେଲା ଭଦ୍ରକ ବସ୍‌ଷ୍ଟାଣ୍ଡ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା। କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ନୂତନ ବସ୍‌ଷ୍ଟାଣ୍ଡ କିପରି କାର୍ଯ୍ୟକ୍ଷମ ହେବ, ସେଥିପ୍ରତି ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଠାରେ ଆନ୍ତରିକତା ଦେଖିବାକୁ ମିଳୁନଥିଲା।

କିନ୍ତୁ ବିଧାୟକ ଶ୍ରୀ ମଲ୍ଲିକଙ୍କ ଆଗ୍ରହ କ୍ରମେ ଉକ୍ତ ବସ୍‌ଷ୍ଟାଣ୍ଡ ନୂଆ ରୂପ ପାଇବାକୁ ଯାଉଛି। ଗତବର୍ଷ ମଇ ମାସ ଭୁବନେଶ୍ୱରର ଏକ ଆର୍କିଟେକ୍ଟ ସଂସ୍ଥାର ଅଧିକାରୀ ଭଦ୍ରକରେ ପହଞ୍ôଚ ବିଧାୟକ ଶ୍ରୀ ମଲ୍ଲିକଙ୍କ ସହ ବସ୍‌ଷ୍ଟାଣ୍ଡ ବୁଲି ଦେଖିବା ସହ ଏହାର ଆଧୁନିକୀକରଣ ପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ପରେ ଏହାର ଅନୁମୋଦନ ପାଇଁ ନଗର ଉନ୍ନୟନ ବିଭାଗକୁ ପଠାଯାଇଥିଲା। ଏବେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଭଦ୍ରକ ପୌରପାଳିକା ପକ୍ଷରୁ ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ସ୍ଥ ମଠସାହି ମୌଜାରେ ରାଜ୍ୟ ପରିବହନ ବିଭାଗର ୧ ଏକର ୫୮ ଡି. ଓ ରାଜସ୍ୱ ବିଭାଗର ୨ ଏକର ୪୧ ଡି. ସହ ମୋଟ ୩ ଏକର ୯୯ ଡି. ପରିମିତ ଜମି ଉପରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ଆରମ୍ଭ ହୋଇଥିଲା। ଏଥିପାଇଁ ଉଭୟ ରାଜ୍ୟସଭା ଏବଂ ଲୋକସଭା ସାଂସଦଙ୍କ ପାଣ୍ଠିରୁ ୭୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଥିଲା। ଏହି ପ୍ରସ୍ତାବିତ ନୂତନ ବସ୍‌ଷ୍ଟାଣ୍ଡକୁ ୨୦୦୫ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ବସ୍ ରହିବା ପାଇଁ ଟର୍ମିନାଲ, ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମଗାର ମଧ୍ୟ ନିର୍ମିତ ହୋଇଥିଲା। ଏତେ ଭିତ୍ତିଭୂମି ଥାଇ ମଧ୍ୟ ଉକ୍ତ ବସ୍‌ଷ୍ଟାଣ୍ଡ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନଥିଲା।

ଏହାକୁ କାର୍ଯ୍ୟକ୍ଷମ ପାଇଁ ତତ୍‌କାଳୀନ ସାଂସଦ ସ୍ୱର୍ଗତଃ ଅର୍ଜୁନ ସେଠୀ ଅନଶନ କରିବାର ଧମକ ଦେବାପରେ ୨୦୧୦ ଜାନୁଆରୀ ୨୬ ତାରିଖରେ ଏହାର ପୁନଃ କାର୍ଯ୍ୟକ୍ଷମ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍‌ଘାଟନ କରାଯାଇଥିଲା। ଏହା ସତ୍ୱେ ବସ୍‌ଷ୍ଟାଣ୍ଡ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନଥିଲା। ବରଂ ଏହା ବସ୍ ଗୁଡିକର ରାତ୍ର ରହଣି ସ୍ଥଳ ଓ କେତେକ ଗାଡି ମାଲିକଙ୍କ ଗ୍ୟାରେଜରେ ପରିଣତ ହୋଇଥିଲା। ସେହିପରି ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଯାତ୍ରୀ ବିଶ୍ରାମଗାର ଭୂତ କୋଠୀରେ ପରିଣତ ହୋଇଥିଲା। ଅନ୍ୟପକ୍ଷେ ଏହି ବସ୍‌ଷ୍ଟାଣ୍ଡର ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାକୁ ପୌର କର୍ତ୍ତୃପକ୍ଷ ବହୁ ଅର୍ଥ ଖର୍ଚ୍ଚ କରି ଚାଲିଥିଲେ ମଧ୍ୟ ଏଗୁଡିକ କାମରେ ଆସୁନଥିଲା। ଏ ପରିପ୍ରେକ୍ଷୀରେ ବସ୍‌ଷ୍ଟାଣ୍ଡର ନବ କଳେବର ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସବୁଜ ସଂକେତ ସହରବାସୀଙ୍କ ମଧ୍ୟରେ ନୂତନ ଆଶା ସଂଚାର କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.