Home କେନ୍ଦୁଝର ୧୦ଏକରରୁ ଉର୍ଦ୍ଧ ଥିବା ଚାଷୀ ଧାନ ବିକିବେ କେଉଁଠି, ଆନ୍ଦୋଳନ ଚେତାବନୀ

୧୦ଏକରରୁ ଉର୍ଦ୍ଧ ଥିବା ଚାଷୀ ଧାନ ବିକିବେ କେଉଁଠି, ଆନ୍ଦୋଳନ ଚେତାବନୀ

53

ହାଟଡିହି-୧୫ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଦଶ ଏକରରୁ ଉର୍ଦ୍ଧ ଚାଷୀମାନେ ସତେ ଯେପରି ରାଜ୍ୟ ସରକାରଙ୍କ ପାଇଁ ଅଲୋଡା ହୋଇପଡିଛନ୍ତି । ଜାନୁୟାରୀ ମାସ ଅଧା ହେବାକୁ ବସିଥିବାବେଳେ ସରକାର ସେମାନଙ୍କ ଧାନ ବିକ୍ରୀ ବିଷୟରେ ଆଜିପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇପାରୁ ନାହାନ୍ତି । ଏହି ଚାଷୀମାନେ ସମବାୟ ସମିତି କିମ୍ବା ବିଭିନ୍ନ ବ୍ୟାଙ୍କରୁ କୃଷି ଋଣ କରି ଚାଷ କରିଥିବା ୧୦ଏକରରୁ ଉର୍ଦ୍ଧ ଚାଷୀମାନେ ଏବେ ସେମାନଙ୍କ ଧାନ ବିକି ନପାରି ମୁଣ୍ଡରେ ହାତଦେଇ ବସିଛନ୍ତି । ନଭେମ୍ବର ମାସରୁ ଧାନ କାଟି ଘରେ ପକାଇ ରଖିଥିବାବେଳେ ଏବେ ଜାନୁୟାରୀ ଅଧା ହେଲାଣି । ବିଭିନ୍ନ ମଣ୍ଡି ମାନଙ୍କରେ ମଧ୍ୟ ଫେବୃୟାରୀ ପର୍ଯ୍ୟନ୍ତ ଟୋକନ ଆସି ସାରିଥିବାରୁ ଏହି ଚାଷୀମାନେ କଣ କରିବେ ଓ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ହାଟଡିହି ବ୍ଲକ ନୁଆରମ୍ପାସ ଗ୍ରାମର ସୁଶାନ୍ତ କୁମାର ସେନାପତି ନାମକ ଜଣେ ବ୍ୟକ୍ତି ୧୦ଏକରରୁ ଉର୍ଦ୍ଧ ଜମି ମାଲିକ । ସେ ବଡରମ୍ପାସ ସମବାୟ ସମିତିର ଜଣେ ସଭ୍ୟ ଥବବାବେଳେ ଆଜକୁ ଦୀର୍ଘବର୍ଷ ହେଲା ବଡରମ୍ପାସ ସମବାୟ ସମିତିର ଧାନ ମଣ୍ଡିରେ ଧାନ ବିକ୍ରୀ କରିଥାନ୍ତି । ଏପରିକି ସେ ଚଳିତବର୍ଷ ଏହି ସମିତିରୁ ୪୯ହଜାର ଟଙ୍କା ଚାଷଋଣ ନେଇ ଚାଷ କରିଥିଲେ । କିନ୍ତୁ ଗତ ଡିସେମ୍ବର ପ୍ରଥମ ସପ୍ତାହରୁ ଧାନ ଅମଳ କରି ବାଡିରେ ରଖିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଧାନ ବିକିବାପାଇଁ ମଣ୍ଡିକୁ ଧାଉଁଛନ୍ତି । ତାଙ୍କ ନାମରେ ଟୋକନ ଆସିନଥିବାରୁ ସେ ଧାନ ବିକ୍ରୀ କରିପାରୁ ନାହାନ୍ତି । ଯାହାଦ୍ୱାରାକି ସେ କିପରି ସମିତିର ଋଣ ପରିଷୋଧ କରିବେ ସେନେଇ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । ସେହିପରି ତେମଳା ଗ୍ରାମର ପୁର୍ଣ୍ଣଚନ୍ଦ୍ର ମହାପାତ୍ର ଜଣେ ୧୦ଏକରରୁ ଉର୍ଦ୍ଧ ଚାଷୀ । ସେ ପ୍ରତିବର୍ଷ ବଡ ରମ୍ପାସ ସମିତିରେ ଧାନ ବିକ୍ରୀ କରୁଥିବାବେଳେ ଚଳିତବର୍ଷ ଧାନ ବିକ୍ରୀରୁ ବଞ୍ଚିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ତାଙ୍କ ନାମରେ ଟୋକନ ଆସିନଥିବାରୁ ସେ ଧାନ ବିକ୍ରୀ କରିପାରୁ ନାହାନ୍ତି । ଚଳିତବର୍ଷ ରୋଗପୋକ ଯୋଗୁଁ ସେ ଚାଷରେ ଅନେକ କ୍ଷତି ସହିଥିବାବେଳେ ଧାର କରଜ କରି ସାରବିଷ ଆଣି ଧାନଚାଷ କରିଥିଲେ । ଧାନ ବିକ୍ରୀକରିପାରୁ ନଥିବାରୁ କିପରି ଋଣକରଜ ସୁଝିବେ ସେନେଇ ମୁଣ୍ଡରେ ହାତଦେଇ ବସିଛନ୍ତି । ସେହିପରି ଏହି ସମିତି ଅଧିନରେ ଥିବା ନୁଆରମ୍ପାସ ଗ୍ରାମର ଶକୁନ୍ତଳା ସେନାପତି, ବଡରମ୍ପାସର ମୋହନ ସ୍ୱାଇଁ, ସୁଶାନ୍ତ ସେନାପତି, ବୀରକିଶୋର ସ୍ୱାଇଁ, ସରମଙ୍ଗା ଗ୍ରାମର ପ୍ରଶାନ୍ତ ସ୍ୱାଇଁ,ନିରାକାର ସାହୁଙ୍କ ସୋମତ ୩୬ଜଣ ଚାଷୀ ଧାନବିକ୍ରୀରୁ ବଞ୍ଚିତ ହୋଇଛନ୍ତି । ସେହିପରି ମରୈଗାଁ ସମିତିରେ ସନ୍ତୋଷ ରାଉତ, ଦାମୋଦର ଦେବତା, ରବିନ୍ଦ୍ର ଶାସିନି, ମନ୍ଦ୍ରେ ତ୍ରିପାଠୀ, ବିବେକାନନ୍ଦ ବେହେରା, ଶାନ୍ତନୁ ଜେନା, ସନ୍ତୋଷ ରାଉତଙ୍କ ସମେତ ଅନେକ ଚାଷୀ ଧାନକିକ୍ରୀରୁ ବଞ୍ଚିତ ହୋଇ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ବାହାରେ ୧୧ଶହରୁ ୧୨ଶହ ଦରରେ ଦଲାଲ ମାନେ ଧାନ କିଣୁଥିବାରୁ ସେମାନେ କିପରି ସେମାନଙ୍କ ଧାନକୁ ଉଚିତ ମୁଲ୍ୟରେ ବିକିବେ ତୁରନ୍ତ ପ୍ରଶାସନ ଏନେଇ କୌଣସି ପଦେକ୍ଷେପ ନେଉ ବୋଲି ସେମାନେ ଦାବି କରିଛନ୍ତି । ନଚେତ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.