Home ଜିଲ୍ଲା ପରିକ୍ରମା ଘରୋଇ ବିଜୁଳି କମ୍ପାନୀ ହାତରେ ପୌର ବିଜୁଳି ସେବା, ଖତ ଖାଉଛି ୧୮ ଲକ୍ଷ ଟଙ୍କାର...

ଘରୋଇ ବିଜୁଳି କମ୍ପାନୀ ହାତରେ ପୌର ବିଜୁଳି ସେବା, ଖତ ଖାଉଛି ୧୮ ଲକ୍ଷ ଟଙ୍କାର ହାଇଡ୍ରୋଲିକ ଲାଡର

12

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରୋଇ ବିଜୁଳି ଆବଂଟନକାରୀ ସଂସ୍ଥାଙ୍କ ହାତରେ ଭଦ୍ରକ ପୌରପାଳିକାର ବିଜୁଳି ସେବା । ତେଣେ ଖତ ଖାଉଛି ଭଦ୍ରକ ପୌରପାଳିକା ଦ୍ୱାରା କ୍ରୟ କରାଯାଇଥିବା ୧୮ ଲକ୍ଷ ଟଙ୍କାର ଅତ୍ୟାଧୁନିକ ହାଇଡ୍ରୋଲିକ ଲାଡର ଗାଡି । ପୌରପାଳିକାର ବିଜୁଳି ଯୋଗାଣ ବ୍ୟବସ୍ଥା ଘରୋଇ କମ୍ପାନୀ ଉପରେ ନ୍ୟସ୍ତ କରାଯାଇଥିବା ହେତୁ ପୌରପାଳିକା ଲାଡର ଗାଡି ବର୍ଷ ବର୍ଷ ଧରି ଅଚଳ ପଡିଛି । ଫଳରେ ବ୍ୟବହାର ହୋଇ ନପାରି ଖତ ଖାଇବାକୁ ବସିଛି ପୌରପାଳିକାର ଏହି ଅତ୍ୟାଧୁନିକ ଲାଡର ମେସିନ । ଭଦ୍ରକ ପୌରପାଳିକାକୁ ଅମୃତ ଯୋଜନାରେ ସାମିଲ କରାଯିବା ପରେ ସହର ଆଲୋକୀକରଣ ରେ ରାସ୍ତା ଘାଟରେ ଲଗାଯାଉଥିବା ଉଜ୍ଜଳ ଆଲୋକ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ସକାସେ ଗତ ପୌରପାଳିକା ସମୟରେ ପୌର କାଉନସିଲ ଅନୁମୋଦନରେ ଏହି ଅତ୍ୟାଧୁନିକ ଗାଡି କିଣାଯାଇଥିଲା । ଅଧିକ ଉଚତାରେ ଲଗାଯାଉଥିବା ଉଜ୍ଜଳ ଆଲୋକ ରକ୍ଷଣାବେକ୍ଷଣ ସକାସେ ବାରମ୍ଭାର ଭାରାବାନ୍ଧି କାମ କରିବା ବ୍ୟୟସାପେକ୍ଷ ହେବାରୁ ପୌରପାରିଷଦ ଅନୁମୋଦନ କ୍ରମେ ପୈାରପାଳିକା ପକ୍ଷରୁ ଗତ ୨୦୧୮ ମସିହାରେ ଏହି ଅତ୍ୟାଧୁନିକ ହାଇଡ୍ରୋଲିକ ସିଡିି କିଣାଯାଇଥିଲା । ତେବେ ଭଦ୍ରକ ପୌରପାଳିକାକୁ ଅମୃତ ଯୋଜନାରେ ସାମିଲ କରାଯିବା ସହିତ ସହର ଆଲୋକୀକରଣ ବ୍ୟବସ୍ଥା ପୌରପାଳିକା ବଦଳରେ ରାଜ୍ୟ ବାହାରର ଏକ ବିଜୁଳି ଯୋଗାଣ କାରୀ ସଂସ୍ଥା ଇଇସିଏଲଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଫଳରେ ପୌରପାଳିକା ପାଇଁ ଏହି ଅତ୍ୟାଧୁନିକ ଲାଡର ବେକାର ସାବ୍ୟସ୍ତ ହୋଇଥିଲା । ଯାହାକୁ ନା ପୌରପାଳିକା ନିଜସ୍ୱ ବ୍ୟବହାରରେ ବିନିଯୋଗ କରିପାରୁଛି ନା ଘରୋଇ କମ୍ପାନୀଙ୍କୁ ଭଡାସୁତ୍ରରେ ଦେଇ ପାରୁଛି । ଯାହାକି ଆଜି ସୁଦ୍ଧା ପୌରକାର୍ଯ୍ୟାଳୟରେ ପରିତ୍ୟକ୍ତ ହୋଇ ପଡି ରହିଛି । ସହରର ବିଜୁଳି ଯୋଗାଣ ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥାଙ୍କୁ ଏହିମେସିନ ଭଡା ସୁତ୍ରରେ ଦିଆଯାଇ ପାରିଲେ ପୌରପାଳିକାକୁ କେବଳ ରାଜସ୍ୱ ମିଳିପାରନ୍ତା ତା ନୁହେଁ ପରନ୍ତୁ ମେସିନଟି ସଚଳ ରହିପାରନ୍ତା । ହେଲେ ତାହା ହେଉନାହିଁ । ଫଳରେ ପୌରପାଳିକାରେ ଅବ୍ୟବହୃତ ଭାବେ ପଡି ପଡି ମେସିନଟି ଖତ ଖାଉଛି । ଅନ୍ୟପକ୍ଷରେ ପୌରପାଳିକା ସକାସେ ଜଦି ଏହି ଲାଡର ଗାଡିର କୌଣସି ଆବଶ୍ୟକତା ନଥିଲା ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ଏହି ଧରଣର ଅତ୍ୟାଧୁନିକ ମେସିନ କିଣାଯିବାର ଯଥାର୍ଥତା କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିନେଇ ଭଦ୍ରକ ପୌର କାର୍ଯ୍ୟନିବାର୍ହି ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କୁ ପଚାରିବାରେ ସେ କାହିଁକି ଏହି ମେସିନଟି କିଣାଯାଇଥିଲା ତାହା କହି ପାରିବେ ନାହିଁ କହିଛନ୍ତି । ତଥାପି ପୌରପାଳିକା ବିଜୁଳି ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଘରୋଇ କମ୍ପାନୀଙ୍କୁ ଏହାକୁ ଭଡା ସୁତ୍ରରେ ଦେବାକୁ କୁହାଯିବ ବୋଲି ସେ କହିଛନ୍ତି । ତେବେ ଭଡା ସୁତ୍ରରେ ଦିଆଗଲେ ମଧ୍ୟ ଏହି ମେସିନ ଚଳାଇବାକୁ ଆବଶ୍ୟକ ପଡୁଥିବା ସ୍ୱତନ୍ତ୍ର ପ୍ରଶିକ୍ଷିତ ଡ୍ରାଇଭର ନିଯୁକ୍ତିରେ ପୌରପାଳିକାକୁ ଯେତିକି ଅର୍ଥ ଖର୍ଚ କରିବାକୁ ପଡିବ ତାହା ଘୋଡା ଛ ଟଙ୍କାକୁ ଦାନା ନଅ ଟଙ୍କା ହେବ ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.