Home Top News ‘ୟାସ୍’ ଚାଲିଗଲା, ତଳିଆ ଅଂଚଳକୁ ଦେଇଗଲା ଦୁଃଖ, ପ୍ରଶାସନ ପକ୍ଷରୁ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ...

‘ୟାସ୍’ ଚାଲିଗଲା, ତଳିଆ ଅଂଚଳକୁ ଦେଇଗଲା ଦୁଃଖ, ପ୍ରଶାସନ ପକ୍ଷରୁ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଆରମ୍ଭ

33

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ସାମୁଦ୍ରିକ ବାତ୍ୟା ‘ୟାସ୍’ କେନ୍ଦ୍ରୀୟ ପାଣିପାଗ ବିଭାଗକୁ ଚକ୍ମା ଦେଇ ଅବପାତର ରୂପ ନେବାପରେ ଧାମରା ପରିବର୍ତ୍ତେ ବାଲେଶ୍ୱର ଜିଲାର ବାହାନଗାର ବରଜପୁର ଗାଁ ସ୍ଥଳଭାଗରେ ଧ୍ୱଂସର ତାଣ୍ଡବଲୀଳା ଘଟାଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଂଚଳ ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ତିହିଡି ସମେତ ଭଦ୍ରକ, ଧାମନଗର, ବନ୍ତ ଓ ଭଣ୍ଡାରିପୋଖରୀରେ ଯେତେ ଆଶା କରାଯାଉଥିଲା, ତା’ ଠାରୁ କମ୍ କ୍ଷତି କରିଛି। ତେବେ ସମୁଦ୍ର ଉପକୂଳବର୍ତ୍ତୀ ନଦୀକୂଳିଆ ଗ୍ରାମରେ ବସବାସ କରୁଥିବା କେତେକ ଗ୍ରାମ କ୍ଷତିଗ୍ରସ୍ତ ହେବା ସହ ଏବେବି ପାଣିଘେରରେ ରହିଛି। ପ୍ରଶାସନ ପକ୍ଷରୁ ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନ୍ତାନ୍ତରିତ କରାଯାଇଥିବାବେଳେ ଏବେ ବାତ୍ୟା ପରେ ସମସ୍ତେ ନିଜ ନିଜ ଘରକୁ ଫେରିଛନ୍ତି। ତେବେ ୟାସ୍ ଯେଉଁ ପରିମାଣରେ କରାଳ ରୂପ ଧାରଣ କରିବାର ଆଶା କରାଯାଉଥିଲା, ତାହା କରିପାରିନାହିଁ। ତଥାପି ଉପରୋକ୍ତ ଅଂଚଳ ଗୁଡିକରେ ବଡବଡ ଗଛ, କଚ୍ଚାଘର, ବିଦ୍ୟୁତ୍ ଖୁଣ୍ଟ ଗୁଡିକ ଭାଙ୍ଗିପଡିଥିଲା। ଏସବୁ ଅଂଚଳରେ ୧୨୦ କିମିରୁ ଉର୍ଦ୍ଧ୍ୱ ଗତିରେ ପବନ ବୋହି କ୍ଷୟକ୍ଷତି ଘଟାଇ ଏବେବି କେତେକ ରାସ୍ତାଘାଟ ୟାସ୍ ଜନିତ ବନ୍ୟା ପାଣି ଯୋଗୁଁ ବିଚ୍ଛିନ୍ନ ରହିଛି। ଏବେ ମଧ୍ୟ ଏନ୍ଡିଆରଏଫ୍, ଓଡ୍ରାଫ୍ଟ ଓ ଅଗ୍ନିଶମ ବାହିନୀ କ୍ଷତିଗ୍ରସ୍ତ ହୋଇଥିବା ଘର ରାସ୍ତାଗୁଡିକ ଉପରୁ ଭାଙ୍ଗିପଡିଥିବା ଗଛ, ବିଦ୍ୟୁତ୍ ଖୁଣ୍ଟ ଅପସାରଣ କରିଚାଲିଛନ୍ତି। ଜିଲାପାଳ ଡ.ଜ୍ଞାନ ଦାସଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଦ୍ୟାବଧି ପ୍ରାୟ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଇଥିବାବେଳେ ଜିଲାରେ ଥଇଥାନ କରାଯାଇଥିବା ସମୁଦାୟ ୨୨୪ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୬୯ ଜଣଙ୍କର ସୁଖପଦ୍ର ସନ୍ତାନ ଜନ୍ମ କରାଯାଇଛି। ଭଦ୍ରକ ପୌରପାଳିକାରେ ଲୋକଙ୍କୁ ଡିଜି ସେଟ୍ ଯୋଗେ ପାନୀୟ ଜଳ ଯୋଗାଣ ହେବା ସହ ୭୯ ଟି ପମ୍ପ ହାଉସ୍ ମଧ୍ୟରୁ ୩୬ ଟିକୁ ଜେନେରେଟର ମାଧ୍ୟମରେ କାର୍ଯ୍ୟକ୍ଷମ କରାଯାଇଛି। ତେବେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କେତେକ ସ୍ଥାନରେ ଯଦିଓ ବିଦ୍ୟୁତ୍ ସଂଯୋଗ କରାଯାଇଛି, ତଥାପି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ୍କୁ ସଜାଡିବା ଦିଗରେ ଦିନ ତମାମ୍ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଜିଲାପାଳଙ୍କ ସୂଚନା ମୂଳେ ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ କୌଣସି ଗୋ ପଶୁସଂପଦ ଓ ଜନଜୀବନ କ୍ଷୟକ୍ଷତି ଘଟିଥିବାର ଜଣାପଡିନାହିଁ। ତେବେ ପରିସ୍ଥିତିର ସୁଧାର ପରେ କ୍ଷତିଗ୍ରସ୍ତ ଗୃହ ଓ ଧନସଂପଦର ଆକଳନ କରାଯାଇ ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.