Home ଓଡ଼ିଶା ଭଦ୍ରକବାସୀଙ୍କ ଜଳବନ୍ଦୀ ଦୁଃଖ ଘୁଞ୍ଚିବ କେବେ?

ଭଦ୍ରକବାସୀଙ୍କ ଜଳବନ୍ଦୀ ଦୁଃଖ ଘୁଞ୍ଚିବ କେବେ?

36

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଭଦ୍ରକରେ ସିନା ୟାସ୍ର ବିପଦ ଟଳିଛି, ହେଲେ ସମଗ୍ର ପୌରାଞ୍ଚଳରେ ବିପର୍ଯ୍ୟସ୍ତ ସ୍ୱରେଜ ବ୍ୟବସ୍ଥା ଯୋଗୁଁ ବାତ୍ୟା ଜନିତ ବର୍ଷା ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ପ୍ରଥମତଃ ବାତ୍ୟା ଜନିତ ବିଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ସଜଡା ହୋଇନଥିବାବେଳେ ପାନୀୟ ଜଳ ସଂକଟ ସହ ଅଧାପନ୍ତରିଆ ଡ୍ରେନେଜ୍ ସିଷ୍ଟମର ମରାମତି କାର୍ଯ୍ୟ ଲୋକଙ୍କ ଘରେ ବର୍ଷା ପାଣି ପୁରାଇ ସେମାନଙ୍କୁ ବେଘର କରିଛି। ତଳି ଅଂଚଳର ଲୋକେ ଏବେ ଅଖିଆ ଅପିଆ ଘରୁ କିପରି ଜଳ ନିଷ୍କାସନ କରିବେ ସେଥିପାଇଁ ମୁଣ୍ଡରେ ହାତଦେଇ ବସିଛନ୍ତି। ଏ ଦିଗରେ ଜିଲା ପ୍ରଶାସନ ଓ ରାଜନେତାମାନେ କେବଳ ଗଣମାଧ୍ୟମରେ ମିଛ କୁମ୍ଭୀର କାନ୍ଦଣା କାନ୍ଦି ଚାଲିଛନ୍ତି। କାହିଁକି ନା ଭଦ୍ରକ ପୌରାଞ୍ଚଳରେ ବହୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ବ୍ରିଟ୍ରିଶ ସମୟର ଦୀର୍ଘ ୪୦ ବର୍ଷ ତଳର ସ୍ୱରେଜ ବ୍ୟବସ୍ଥାକୁ ଜବରଦଖଲ କରି ତା’ ଉପରେ ଦୋକାନ ଘର ଓ ଅଟ୍ଟାଳିକାମାନ ନିର୍ମାଣ କରିଥିବାବେଳେ ପୌରପାଳିକା ମଧ୍ୟ ସେଥିରୁ ବାଦ୍ ପଡିନାହିଁ। ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ୍ରେନ୍ ନିର୍ମାଣ ବାବଦ ଆସୁଥିବା କୋଟି କୋଟି ଟଙ୍କାକୁ କେବଳ କେତେକ ଅସାଧୁ ଠିକାଦାର, ବିଭାଗୀୟ ଅଧିକାରୀ ଓ ରାଜନେତାମାନେ ମିଳିମିଶି ନିମ୍ନମାନର କାର୍ଯ୍ୟ କରି ସିଂହଭାଗ ଅର୍ଥ ହରିଲୁଟ କରିଚାଲିଛନ୍ତି। ଯାହାର ନଜିର ଭଦ୍ରକ ସହରର ପ୍ରବେଶ ପଥ ନେହେରୁ ଷ୍ଟାଡିୟମ୍ ଠାରୁ ଆରମ୍ଭ କରି ସହର ଭିତର ଦେଇ ପ୍ରସ୍ତାନ ପଥ ମହତାବ ଷ୍ଟେଚ୍ୟୁ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। କିଛିଦନ ତଳେ ସ୍ୱରେଜ ବ୍ୟବସ୍ଥାର ସୁଧାର ନିମନ୍ତେ ନିର୍ମାଣ ହୋଇଥିବା କୋଟି କୋଟି ଟଙ୍କାର ଡ୍ରେନ୍ଗୁଡିକ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ। ନିର୍ମାଣ ହୋଇଥିବା ନିମ୍ନମାନର ଡ୍ରେନ୍ ଗୁଡିକ ମଧ୍ୟରେ ଏବେ ନର୍ଦ୍ଦମା ଜଳ ଓ ବର୍ଜ୍ୟବସ୍ତୁ ଅବରୋଧ ଅବସ୍ଥାରେ ରହିଥିବାବେଳେ ସାମାନ୍ୟ ବର୍ଷାରେ ଉଦ୍ବୃତ୍ତ ବର୍ଷାଜଳ ବିପର୍ଯ୍ୟସ୍ତ ସ୍ୱରେଜ ବ୍ୟବସ୍ଥା ଯୋଗୁଁ ଘରେ ପଶି ଲୋକଙ୍କୁ ଜଳବନ୍ଦୀ କରି ରଖୁଛି। ସତରେ ଏ ସମସ୍ୟାର କେବେ ଅନ୍ତଃ ହେବ, ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.