Home ଜିଲ୍ଲା ପରିକ୍ରମା ୟଶ କ୍ଷୟକ୍ଷତି ରିପୋର୍ଟକୁ ନେଇ ଚାଷୀ ଅସନ୍ତୋଷ, ପ୍ରଦର୍ଶନୀ ମୁଗଚାଷର ଭୁଲ୍ ଆକଳନ , ଚାଷୀଙ୍କ...

ୟଶ କ୍ଷୟକ୍ଷତି ରିପୋର୍ଟକୁ ନେଇ ଚାଷୀ ଅସନ୍ତୋଷ, ପ୍ରଦର୍ଶନୀ ମୁଗଚାଷର ଭୁଲ୍ ଆକଳନ , ଚାଷୀଙ୍କ କ୍ଷତି ଭରଣା କରିବ କିଏ ! ଆନ୍ଦୋଳନ ପାଇଁ ସଜବାଜ

38

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ପୁରୁଷଣ୍ଡ ପଂଚାୟତ ନିର୍ମଳପୁର ଗ୍ରାମର ମୁଗ ଚାଷୀଙ୍କର ସମ୍ପୂର୍ଣ୍ଣ ଚାଷ ଗତ ୟାଶ ବାତ୍ୟାରେ ଉଜୁଡିଯାଇଥିଲେ ବି ବିଭାଗୀୟ ଅଧିକାରୀ ସଠିକ ରିପୋର୍ଟ ନ କରିବାରୁ ସରକାରୀ ସହାୟତାରୁ ବଂଚିତ ହୋଇଛନ୍ତି ଚାଷୀ । ଏନେଇ ଚାଷୀମାନେ ବ୍ଲକ କୃଷି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଆଗରପଡା ସହକାରୀ କୃଷି କାର୍ଯ୍ୟାଳୟ ଦ୍ୱାରା ୫୦ହେକ୍ଟର ଜମିରେ ବିରାଟ ନାମକ ଏକ ନୂତନ ପ୍ରକାରର ମୁଗ ଚାଷର ଡେମୋଷ୍ଟ୍ରେସନ ପ୍ରୋଗ୍ରାମ କରାଯାଇଥିଲା । ଏଥିରେ ୭୯ଜଣ ଚାଷୀ ବିହନ ଓ ଅନ୍ୟାନ୍ୟ ସାମଗ୍ରୀ ବିଭାଗଠାରୁ ନେଇଥିଲେ । ଠିକ ଅମଳ ସମୟରେ ହଠାତ ୟାଶ ବାତ୍ୟା ଆସିବାରୁ ମୁଗଚାଷରେ ପାଣି ଜମିଯାଇଥିଲା ଫଳରେ ସମ୍ପୂର୍ଣ୍ଣ ୫୦ହେକ୍ଟର ଚାଷ ନଷ୍ଟ ହୋଇଯାଇଥିଲା । କିନ୍ତୁ ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ବିଭାଗୀୟ ଅଧିକାରୀ ସରକାରଙ୍କୁ ଭୁଲ ରିପୋର୍ଟ ଦେବା ଯୋଗୁଁ ସେମାନେ କୌଣସି କ୍ଷତିପୂରଣ ପାଇପାରିଲେ ନାହିଁ । ଚାଷୀ ଅଶୋକ ନାୟକ କହିଛନ୍ତି, ସେମାନେ ଏହି ଚାଷରେ ପ୍ରାୟ ୪ଲକ୍ଷ ୫୦ ହଜାର ଟଙ୍କା ନିଜ ପକେଟରୁ ବିନିଯୋଗ କରିଥିଲେ । ଅମଳ ବେଳକୁ ମାତ୍ର ୪୦ ହଜାର ଟଙ୍କାର ମୁଗ ପାଇଥିବାବେଳେ ବାକି ସବୁ ବାତ୍ୟାରେ ନଷ୍ଟ ହୋଇଗଲା ।

ସେପଟେ ଆଗରପଡା କୃଷି ଅଧିକାରୀ ତୁଷାରକାନ୍ତ ପତି କହିଛନ୍ତି, ରବିଚାଷର ସମୟ ସୀମା ମଧ୍ୟରେ ଚାଷୀମାନେ କାର୍ଯ୍ୟ ଆରମ୍ଭ ନ କରିବାରୁ ଅମଳ କମ୍ ହୋଇଛି । ଚାଷୀଙ୍କ ଅଭିଯୋଗ ସରକାର ମୁଗଚାଷ ଡେମୋନଷ୍ଟ୍ରେସନ ପାଇଁ ୫ ନଭେମ୍ବର ୨୦୨୦ରୁ କହିଥିଲେ ବି ବିଭାଗୀୟ ଅଧିକାରୀ ତାଙ୍କୁ ଜାନୁଆରୀ ଶେଷ ସପ୍ତାହରେ ବିହନ ଯୋଗାଇଥିଲେ । ବିହନ ଯୋଗାଣ ବେଳେ ଅଧିକାରୀ କହିଥିଲେ ଏହି ବିରାଟ ଭେରାଇଟର ମୁଗ ପ୍ରଥମ ଥର ପାଇଁ ଜିଲ୍ଲାରେ କରାଯାଉଛି ଏବଂ ୭୫ ଦିନ ମଧ୍ୟରେ ଅମଳକ୍ଷମ ହେବ, କିନ୍ତୁ ପ୍ରକୃତପକ୍ଷେ ଏହି ବିହନ ଅମଳ ଦେବାକୁ ୧୨୦ ଦିନ ଲାଗିଥିଲା । ଯେଉଁ ବିଷ ବିଭାଗଦ୍ୱାରା ଦିଆଯାଇଥିଲା ସେସବୁ କାମ କରିନଥିଲା । ଫଳରେ ଚାଷୀମାନେ ବାହାରୁ ବିଷ କ୍ରୟ କରିବାକୁ ବାଧ୍ୟ ହୋଇଥିଲେ । ଅନ୍ୟ ଜଣେ ଚାଷୀ ଅଭିଯୋଗ କରିଛନ୍ତି ନୂତନ କରି ଏକ ଭେରାଇଟର ଡେମୋଷ୍ଟ୍ରେସନ କରାଯାଉଥିବାବେଳେ ଜାଣଶୁଣି କୃଷି ଅଧିକାରୀ ଏହି ଚାଷ ପାଇଁ ବୀମା କରାଇନଥିଲେ । ଏପରିକି ଏହି ଚାଷକୁ ଦେଖିବା ପାଇଁ ରାଜ୍ୟ ଓ କେନ୍ଦ୍ରୀୟ ଟିମ୍ ଆସିଥିଲେ ବି ବୀମା କରାଇବାକୁ କେହି ଗୁରୁତ୍ୱ ଦେଇନଥିଲେ । ଫଳରେ ଚାଷୀମାନଙ୍କୁ ବହୁମୂଲ୍ୟ ଦେବାକୁ ପଡିଲା । ତେଣୁ ପୁଣି ଥରେ ତଦନ୍ତ କରି ରିପୋର୍ଟ ଦେବାସହ ସୋମନଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ । ଅନ୍ୟ ପକ୍ଷରେ କ୍ଷତିଗ୍ରସ୍ତ ଚାଷୀମାନେ ଆସନ୍ତା ମାସ ୫ ତାରିଖରେ ଅନ୍ଦୋଳନ କରିବାକୁ ସଜବାଜ ହେଉଥିବାର ଜଣା ଯାଇଛି । ଉପରୋକ୍ତ ଘଟଣା ନେଇ କୃଷି ଅଧିକାରୀ ତୁଷାରକାନ୍ତ ପତି କହନ୍ତି, ସରକାରୀ ପ୍ରୋତ୍ସାହନରେ ଏହି ମୁଗ ଚାଷ କରାଯାଇଥିଲା, ପାଗ ପ୍ରତିକୂଳ ହେତୁ ଚାଷୀମାନେ କ୍ଷତି ସହିଛନ୍ତି । ଅୠାମୀ ଦିନରେ ଅନ୍ୟ କାର୍ଯ୍ୟକ୍ରମ ଜରିଆରେ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ଲାଭାନ୍ୱିତ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.