Home ଓଡ଼ିଶା ହୀରାଖଣ୍ଡ ନାଗରିକ ପରିଷଦର ୨୯ତମ ବାର୍ଷିକ ଉତ୍ସବ : ବରିଷ୍ଠ ନାଗରିକ ରାଷ୍ଟ୍ରଗଠନ ଠାରୁ ସ୍ଥାନୀୟ...

ହୀରାଖଣ୍ଡ ନାଗରିକ ପରିଷଦର ୨୯ତମ ବାର୍ଷିକ ଉତ୍ସବ : ବରିଷ୍ଠ ନାଗରିକ ରାଷ୍ଟ୍ରଗଠନ ଠାରୁ ସ୍ଥାନୀୟ ଆଶା ଆକାଂକ୍ଷା ଦିଗରେ ବଳିଷ୍ଠ ଭାଗିଦାରୀ ସୁନିଶ୍ଚିତ କରନ୍ତୁ

83

ସମ୍ବଲପୁର, ୬/୧୧ – (ଓଡ଼ିଆ ପୁଅ) ବରିଷ୍ଠ ନାଗରିକ ସଂଘବଦ୍ଧ ଭାବରେ ସ୍ୱକୀୟ ଜ୍ଞାନ ଏବଂ ଅଭିଜ୍ଞତାକୁ ଆଧାର କରି ରାଷ୍ଟ୍ରହିତ ଠାରୁ ଆରମ୍ଭ କରି ସ୍ଥାନୀୟ ବିଷୟବସ୍ତୁ ଉପରେ ସାର୍ଥକ ଯୋଗଦାନ ଦେଇ ପାରିବେ ବୋଲି ପ୍ରସାରଭାରତୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଅଭୟ କୁମାର ପାଢ଼ୀ କହିଛନ୍ତି। ହୀରାଖଣ୍ଡ ନାଗରିକ ପରିଷଦର ୨୯ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସେ କହିଲେ ଯେ, ସଂଘୀୟ ପରମ୍ପରା ଅନାଦି ସମୟରୁ ଚଳିଆସିଛି। ବୌଦ୍ଧ ଧର୍ମରେ ସଂଘର ମହତ୍ତ୍ୱ ଖୁବ୍ ସ୍ପଷ୍ଟ ଭାବରେ ପ୍ରତିପାଦିତ ହୋଇଛି। ଭାରତ ଭଳି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସ୍ଥିତିର ଯଥାର୍ଥ ଆକଳନ ବୁଦ୍ଧିଜୀବୀ ବରିଷ୍ଠ ନାଗରିକମାନେ ସଠିକ ଭାବରେ କରିପାରିବେ। ନିର୍ବାଚନ ବେଳେ ଗୋଷ୍ଠୀ ଓ ପନ୍ଥ ଅନୁସାରେ ବିଭେଦ ଫୁଟିଉଠେ। ଜାତି, କୁଳ ପ୍ରସଙ୍ଗ ଉତଥାପିତ ହୁଏ। ବିଭିନ୍ନ ରାଜନୈତିକ ଦଳର ସଂକଳ୍ପ ପତ୍ର ବା ମାନିଫେଷ୍ଟୋରେ ଏହା ପ୍ରତିଫଳିତ ହୁଏ। ରାଷ୍ଟ୍ର ବିଭାଜିତ ହୋଇଥାଏ। ଯେ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିଛି ସେ ପର୍ଯ୍ୟନ୍ତ ସାର୍ବଭୌମ ସଂଘୀୟ ବ୍ୟବସ୍ଥା ଦୁର୍ବଳ ଏବଂ ପଙ୍ଗୁ ଅବସ୍ଥାରେ ରହିବା ସ୍ୱାଭାବିକ। ୯୦ କୋଟି ଲୋକଙ୍କ ଭାଗ୍ୟ ଲୋକସଭାରୁ ଆରମ୍ଭ କରି ଗାଁର ୱାର୍ଡ଼ମେମ୍ବର ପର୍ଯ୍ୟନ୍ତ ପ୍ରାୟ ୭ ଲକ୍ଷ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ନ୍ୟସ୍ତ ଅଟେ। ମାତ୍ର ବାସ୍ତବ କ୍ଷେତ୍ରରେ ଏହି ନିର୍ବାଚିତ ବ୍ୟକ୍ତିବିଶେଷ ଜନପ୍ରତିନିଧି ରୂପେ ଆଚରଣ ଓ କାର୍ଯ୍ୟ କରିଥାନ୍ତି କି- ଏହାର ମଧ୍ୟ ସମୀକ୍ଷା ହେବା ଆବଶ୍ୟକ। ବିଭିନ୍ନ ବୃତ୍ତିର ଶୀର୍ଷ ସ୍ତରୀୟ ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ନାଗରିକ୍ ମାନଙ୍କର ସଂଘରୂପୀ ହୀରାଖଣ୍ଡ ନାଗରିକ ପରିଷଦ ସମ୍ବଲପୁର ପାଇଁ ବାସ୍ତବବାଦୀ ପ୍ରସ୍ତାବଗୁଡ଼ିକ ଉଠାଇବା ଆବଶ୍ୟକ ଯାହାକି ଫଳବତୀ ହୋଇପାରିବ। ଯେଉଁ ଦାବି ବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇନାହିଁ ତା’ର କାରଣ ଖୋଜିବା ଆବଶ୍ୟକ। ନିରନ୍ତର ପ୍ରୟାସ ଏବଂ ପଶ୍ଚାତ ଅବଲୋକନ ତଥା ବିବେଚନା ଲୋଡ଼ା।

ନିଜର ସଭାପତିତ୍ୱ ଅଭିଭାଷଣରେ ପରିଷଦର ଅଧ୍ୟକ୍ଷ ଡ. ସୁରୁବାବୁ ମେହେର କହିଲେ ଯେ, ରାସ୍ତାଘାଟ, ପୋଲକୁ ପ୍ରଗତିର ମାପକାଠି ବୋଲି ଧରି ନେଇଥିବା ଅଧୁନାର ସମାଜ ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ବହୁ ପଛରେ ପକାଇଦେଇ ଦୁର୍ନୀତି, ଦୁରାଚାରର ଅନ୍ଧତ୍ୱ ମାର୍ଗରେ ଅଗ୍ରସର ହୋଇଚାଲିଛି। ଯୁବସମାଜର ଗତି ଅତ୍ୟନ୍ତ ଚିନ୍ତାଜନକ। ବିବେକବାନ ବରିଷ୍ଠ ନାଗରିକ ସକ୍ରିୟତାର ସହ ସମାଜକୁ ପ୍ରକୃଷ୍ଟ ରାସ୍ତା ଦେଖାଇଲେ ଦେଶ ଓ ସାମଜ ବଞ୍ଚିବ।

ହୀରାଖଣ୍ଡ ନାଗରିକ ପରିଷଦର ଦୁଇ ବରିଷ୍ଠ ସଦସ୍ୟ ଅବସରପ୍ରାପ୍ତ ଉପ ଶ୍ରମ ଆୟୁକ୍ତ ବିଜୟ କୁମାର ମହାପାତ୍ର ଏବଂ ସମ୍ବଲପୁର ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ଡ. ରେଣୁ ମିଶ୍ରଙ୍କୁ ଏ ଅବସରରେ ସମ୍ମାନିତ କରାଯାଇଥିଲା। ପ୍ର. ଗିରିଜା ଶଙ୍କର ଶର୍ମା ଏବଂ ଅରବିନ୍ଦ ମହାପାତ୍ର ପ୍ରଶସ୍ତି ପତ୍ର ପାଠ କରିଥିଲେ। ପରିଷଦର ସମ୍ପାଦକ ସଦାନନ୍ଦ ସୋନବର୍ଷା ବିବରଣୀ ପାଠ କରିଥିଲେ। ଉପସଭାପତି ଡ. ଜ୍ୟୋତିରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ଏବଂ ଯୁଗ୍ମ ସମ୍ପାଦକ ନିର୍ମଳ ମାଇତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.