Home Top News ହାୟରେ ଠିକା ଚାକିରୀ

ହାୟରେ ଠିକା ଚାକିରୀ

173

ବେକାରୀ ସମସ୍ୟା କାହାକୁ ଅଛପା ନାହିଁ। ଲୋକେ କୁହନ୍ତି ଆଜିକାଲିକା ପରିସ୍ଥିତିରେ ଭାଗ୍ୟରେ ଥିଲେ ଚାକିରୀ ଖଣ୍ଡେ ମିଳିବ। ଚାକିରୀ ପାଇବା ପାଇଁ କେତେ କଠିନ ପରଶ୍ରମ, ଧର୍ଯ୍ୟ ଓ ଏକାଗ୍ରତା ଦରକାର ଜଣେ ଚାକିରୀ ପାଇଥିବା ବ୍ୟକ୍ତି ହିଁ ଜାଣିଥିବେ। ଆଧୁନିକ ଯୁଗ ସହିତ ତାଳ ଦେଇ ଚାଲିବାକୁ ହେଲେ ସବୁରି ମୂଳରେ ଟଙ୍କା, ଯଦି ଟଙ୍କା ନାହିଁ ତ ସବୁ କାମ ବଙ୍କା। ରୋଜଗାର ନଥିଲେ ମାନସିକ ଦୁଶ୍ଚିନ୍ତା ବଢୁଛି ଯାହାପାଇଁ ପାରିବାରିକ ବିଶୃଙ୍ଖଳା ଓ ବିଭିନ୍ନ ପ୍ରକାରର ହିଂସା ଘଟଣା ମାନ ସବୁ ଘଟୁଛି। ରୋଜଗାର ପାଇଁ ଏକାଧିକ ମାର୍ଗ ଅଛି କିନ୍ତୁ ଅନେକ ଚାକିରୀ କରିବାକୁ ଇଛା କରିଥାନ୍ତି। ଦରମା କମ୍ ମିଳିଲେ ମଧ୍ୟ ଚଳିବ କିନ୍ତୁ ସ୍ଥାୟୀ ଚାକିରୀ ଖଣ୍ଡେ ଦରକାର। ବେକାରୀ ସଂଖ୍ୟାକୁ କମେଇବା ପାଇଁ ଆତ୍ମନିଯୁକ୍ତିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି କିନ୍ତୁ ଅଧିକାଂଶ ମାଆବାପାଙ୍କ ଇଛା ଥାଏ ମୋ ପିଲା ଗୋଟେ ଚାକିରୀ କରୁ।

ବିକଳି ଭଲ ପାଠ ପଢୁଥିଲା। ମନରେ ଆଶା ବାନ୍ଧିଥିଲା ଦିନେ ସେ ଗୋଟେ ବଡ଼ ଚାକିରୀ କରିବ ଓ ଲୋକମାନଙ୍କ ସେବା କରିବ। ପାଠପଢା ସରିଲା ପରେ ଚାକିରୀ ପାଇଁ ନିଜକୁ ପ୍ରସ୍ତୁତ କଲା। ଯେତେବେଳେ ସେ କୌଣସି ଚାକିରୀ ପାଇଁ ଲିଖିତ କିମ୍ବା ସାକ୍ଷାତକାର ପରୀକ୍ଷାରେ ଅସଫଳ ହୋଇଯାଏ, ଲୋକମାନେ କେତେ ପ୍ରକାର କଥା କହିଥାନ୍ତି। ଆଜିକାଲି ଦୁନିଆରେ ବିନା ଟଙ୍କାରେ କିଛି ମିଳେନି କିନ୍ତୁ ମାଗଣା ଉପଦେଶ ଦେବାକୁ ଲୋକଙ୍କର ଅଭାବ ନାହିଁ। କେହି କେହି ମାଗଣା ଉପଦେଶ ଦେଇ କୁହନ୍ତି କିଛି ଗୋଟେ ବେପାର ଆରମ୍ଭ କର, ତୋ’ ଦ୍ୱାରା ବେପାର ଭଲ ହେବ। କେହି କେହି କୁହନ୍ତି ସୁରଟ ଚାଲି ଯାଉନୁ, ସେଠାରେ ଚାକିରୀ ଯାହାକୁ ଯେତେ। ସେମାନଙ୍କ କଥା ଶୁଣି ଲାଗେ ଯେମିତି ବିକଳି ପାଇଁ ତାଙ୍କର ହୃଦୟ ଫାଟିପଡୁଛି। କିନ୍ତୁ ବିକଳି ତାଙ୍କ କଥାକୁ କେବେ ବି ଗୁରୁତ୍ୱ ଦେଇନଥାଏ କାରଣ ସେ ଜାଣିଥାଏ ସେମାନେ ହେଉଛନ୍ତି କୁହାଳିଆ।

ସମୟକ୍ରମେ ବହୁ ଚେଷ୍ଟା ଫଳରେ ବିକଳି କୁ ଠିକା ଚାକିରୀ ଖଣ୍ଡେ ମିଳିଗଲା। ବିକଳି ଭାବିଲା ମାଆବାପାଙ୍କ ଠାରୁ ଆଉ କେତେ ଦିନ ଟଙ୍କା ଆଣି ଚଳିଥାନ୍ତି ? ଯାହା ହେଉ ଏବେ ବଞ୍ଚିବା ଟା ଟିକେ ସହଜ ହୋଇଗଲା। କଥା ପ୍ରସଙ୍ଗରେ ବିକଳି କହେ ଚାକିରୀ ସିନା ମୋର ଠିକା କିନ୍ତୁ ସବୁ କାର୍ଯ୍ୟ ସୁଚାରୁ ରୂପେ କରିବାକୁ ପଡେ। ଠିକା ଓ ନିୟମିତ ଚାକିରୀ ମଧ୍ୟରେ ପ୍ରଭେଦ କେବଳ ଦରମା। ଠିକା ଚାକିରିଆ ଭଲ କାମ କାରି ଥାଆନ୍ତି କାରଣ ଡର ଥାଏ, ଭଲ କାମ ନକଲେ କାଳେ ଚାକିରିରୁ ବାହାର କରିଦେବେ। ସବୁବେଳେ ଉପରିସ୍ଥ ଅଧିକାରୀଙ୍କୁ ଖୁସି କରିବାକୁ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପଡେ।

ବର୍ଷ ପରେ ବର୍ଷ ଠିକା ଚାକିରୀ କାର୍ଯ୍ୟରେ ବିକଳି ବ୍ୟସ୍ତ ରହୁଥାଏ। ଘର ଲୋକ ବ୍ୟସ୍ତ ହେଉଥାଆନ୍ତି ତା’ର ବାହାଘର ପାଇଁ କିନ୍ତୁ ବିକଳି କହେ ଆଉ କିଛି ଦିନ ଯାଉ, ମୋର ଚାକିରୀ ଅସ୍ଥାୟୀ ମୋତେ କିଏ ଝିଅ ଦେବ ? ଘର ଲୋକଙ୍କ କହିବା କଥା ଚାକିରୀ ଆଜି ସ୍ଥାୟୀ ହୋଇନି ହୁଏତ କାଲି ସ୍ଥାୟୀ ହୋଇପାରେ। କିନ୍ତୁ ବାହାଘର ବୟସ ଗଡି ଯାଉଛି, ୪୩ ବର୍ଷ ବୟସ ହେଲାଣି ଆଉ ବେଶୀ ଡେରି କରିବା ଠିକ୍ ନୁହେଁ। ବିକଳି ଭାବିଲା ମା’ବାପା ପିଲାଙ୍କର ସବୁବେଳେ ଭଲ ଚିନ୍ତା କରନ୍ତି, ସେମାନେ କେବେ ଭୁଲ କଥା କୁହନ୍ତିନି, ତେଣୁ ସେ ବାହା ହେବାକୁ ରାଜି ହୋଇଗଲା। ମଧ୍ୟସ୍ଥି ସହିତ ବିକଳି ଝିଅ ଦେଖିବାକୁ ଯାଇଥାଏ। ପ୍ରଥମ ଦେଖାରେ ବିକଳିର ଝିଅ ପସନ୍ଦ ହୋଇଗଲା, କେବଳ କଥା ରହିଲା ଝିଅ ଘର ଲୋକେ କ’ଣ କହୁଛନ୍ତି ? ସେହିଦିନ ରାତିରେ ମଧ୍ୟସ୍ଥି ଖବର ଦେଲା ଯେ ଝିଅ ଘର ଲୋକ କହିଲେ ପୁଅର ବୟସ ବହୁତ ହୋଇଗଲାଣି ପୁଣି ଠିକା ଚାକିରୀ ତେଣୁ ଅନ୍ୟ ଜାଗା ଦେଖନ୍ତୁ। ତା’ପର ଠାରୁ ବିକଳି ଅନେକ ଜାଗାକୁ ଝିଅ ଦେଖିବାକୁ ଯାଇଛି କିନ୍ତୁ ଫଳାଫଳ ଶୂନ। କେଉଁ ଜାଗାରେ ବିକଳିର ଝିଅ ପସନ୍ଦ ହୁଏ କିନ୍ତୁ ଝିଅ ତା’କୁ ପସନ୍ଦ କରନ୍ତି ନାହିଁ, ପୁଣି କେଉଁଠି ଝିଅ ତା’କୁ ପସନ୍ଦ କରନ୍ତି କିନ୍ତୁ ତା’ର ଝିଅ ପସନ୍ଦ ହୁଏନି। ତୁଣ୍ଡ ବାଇଦ ସହସ୍ର କୋଷ, ଗାଁ ଆଖପାଖରେ ଲୋକମାନଙ୍କୁ ବିକଳି ବିଷୟରେ ଚର୍ଚ୍ଚା କରିବାକୁ ଖୋରାକ ମିଳିଗଲା। ଗପିବାକୁ ଲାଗିଲେ ବିକଳି ର ବୟସ ଅଧିକ କୁ ଝୁଲା ଚାକିରୀ ତାକୁ ଆଉ କିଏ ବାହା ହେବ ? ବିକଳିର ଘର ଲୋକଙ୍କ ଚିନ୍ତା ମଧ୍ୟ ବଢିଗଲା ଯେ ପୁଅର ବାହାଘର ଠିକ୍ ହୋଇପାରୁନି। ଦିନେ ଜଣେ ମଧ୍ୟସ୍ଥି ବିକଳି ଘରେ ଖବର ଦେଲା ଗୋଟେ ଭଲ ପ୍ରସ୍ତାବ ଅଛି, ସେ ବାବୁଙ୍କର ୨ଟି ଝିଅ, ରୂପରେ ଗୁଣରେ କିଛି ବାଛିବାର ନାହିଁ। ବିକଳି ଝିଅ ଦେଖିବାକୁ ଗଲା କଥାବାର୍ତ୍ତା ହେଉ ହେଉ ଝିଅ ଘର ଲୋକ ଜାଣିଗଲେ ଯେ ବିକଳିର ଠିକା ଚାକିରୀ। ଯଦିଓ ସେମାନେ ବିକଳିର ଅଧିକ ବୟସ ଜାଣିଥିଲେ କିନ୍ତୁ ଚାକିରୀ ବିଷୟରେ ମଧ୍ୟସ୍ଥି ତାଙ୍କୁ ଭୁଲ ସୂଚନା ଦେଇଥିଲେ। ଝିଅର ବାପା କହିଲେ ବୟସ ଅଧିକ ହେଲେ ବି ଆମେ ରାଜି କିନ୍ତୁ ଠିକା ଚାକିରୀକୁ ଭରସା ନାହିଁ ? ଯେହେତୁ ବିକଳିର ଝିଅ ପସନ୍ଦ ହୋଇଯାଇଥାଏ ତେଣୁ ସେ କହିଲା ମୋର ଠିକା ଚାକିରୀ କିଛି ମାସ ଭିତରେ ନିୟମିତ ହୋଇଯିବ। ଆପଣ ଯଦି ଆଉ କିଛି ମାସ ଅପେକ୍ଷା କରିବେ ତେବେ ବାହାଘର ଟା ହୋଇଯାଆନ୍ତା। ଝିଅର ବାପା କହିଲେ ତୁମର ଚାକିରୀ ଆଗେ ସ୍ଥାୟୀ ହେଉ ତା’ପରେ ଦେଖିବା।

କିଛି ବର୍ଷ ପରେ ବିକଳିର ଚାକିରୀ ସ୍ଥାୟୀ ହୋଇଗଲା। ବିକଳି ଓ ତା’ର ମା’ବାପାଙ୍କ ଖୁସି କହିଲେ ନସରେ। ବିକଳି ର ବାପା ମଧ୍ୟସ୍ଥି ମାଧ୍ୟମରେ ଝିଅ ଘରକୁ ଖବର ପଠାଇଲେ ପୁଅର ଚାକିରୀ ସ୍ଥାୟୀ ହୋଇଯାଇଛି ତେଣୁ ବାହାଘର ତାରିଖ ଟା ସ୍ଥିର କରିବା ପାଇଁ ମନ୍ଦିରରେ ଆଲୋଚନା କରିବା। ଝିଅ ଘର ତରଫରୁ ଖବର ଆସିଲା ଆମ ଝିଅର ବାହାଘର ସରିଯାଇଛି। ବିକଳି ମନ ଦୁଃଖରେ ମଧ୍ୟସ୍ଥିକୁ କହିଲା ବଡ଼ ଝିଅ ସିନା ବାହା ହୋଇଯାଇଛି ସାନ ଝିଅ ତ ଅଛି। ମଧ୍ୟସ୍ଥି କହିଲା ସେ ବିଷୟ ମଧ୍ୟ ମୁଁ ବୁଝି ସାରିଛି। ଝିଅର ମା’ ଯାହା କହିଲେ ମୋତେ ବହୁତ ଖରାପ ଲାଗିଲା। ବିକଳି କହିଲା କ’ଣ କହିଲେ କି ? ମଧ୍ୟସ୍ଥି କହିଲା ତାଙ୍କ ସାନ ଝିଅର ବୟସ ବହୁତ କମ୍, ଝିଅର ମା’ କହିଲେ ମୋ ଝିଅର ଯୁବା ବୟସକୁ ବିକଳି ବାବୁଙ୍କ ଯିବା ବୟସ। ଏକଥା ଶୁଣି ବିକଳି ବାବୁ ବିକଳ ହୋଇ ଭାବୁଥାନ୍ତି, ହାୟରେ ଠିକା ଚାକିରୀ……..

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.