Home କେନ୍ଦୁଝର ହାଟଡିହି ପଞ୍ଚାୟତ ସମିତି ବୈଠକ, ମରୈଗାଁ ବଳିପୁର ରାସ୍ତାକୁ ପୁର୍ତ୍ତ ବିଭାଗକୁ ହସ୍ତାନ୍ତର ପାଇଁ ପ୍ରସ୍ତାବ

ହାଟଡିହି ପଞ୍ଚାୟତ ସମିତି ବୈଠକ, ମରୈଗାଁ ବଳିପୁର ରାସ୍ତାକୁ ପୁର୍ତ୍ତ ବିଭାଗକୁ ହସ୍ତାନ୍ତର ପାଇଁ ପ୍ରସ୍ତାବ

19

ହାଟଡିହି, ୩ / ୧୧ (ଓଡିଆପୁଅ /ବିକାଶ ବିଶ୍ୱାଳ) ହାଟଡିହି ପଞ୍ଚାତ ସମିତିର ଏକ ତ୍ରୟୋଦଶ ବୈଠକ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତ୍ରୟୋଦଶ ପଞ୍ଚାୟତ ସମିତି ବୈଠକରେ ବିଧାୟକ ଭାଗିରଥି ସେଠୀ, ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ସାଂସଦ ପ୍ରତିନିଧି ନନ୍ଦୁଚରଣ ଜେନା, ୩୫ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ଜୟାପ୍ରଦା ସା, ୩୬ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ୩୭ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ ପ୍ରମୁଖ ଯୋଗ ଦେଇବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ମରୈଗାଁ ବଳିପୁର ରାସ୍ତାଟି ଉପରେ ୭ଟି ପଞ୍ଚାୟତର ଲୋକମାନେ ନିର୍ଭର କରୁଥିବାବେଳେ ଏହି ରାସ୍ତାଟିକୁ ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରିବା ଉପରେ ସମସ୍ତ ସଦସ୍ୟମାନେ ମତଦେବା ସହ ଜିଲ୍ଲାପାଳଙ୍କ ନିକଟକୁ ପ୍ରସ୍ତାବ ଦେବାନେଇ ଆଲୋଚନା କରିଥିଲେ । ସେହିଭଳି ମେଗା ୱାର୍ଟର ପ୍ରୋଜେକ୍ଟ ନାଁରେ ଠିକା ସଂସ୍ଥା ରାସ୍ତା ଗୁଡିକ ଖୋଳି ପକାଇବା ଓ ଏହାକୁ ପୁନର୍ବାର ମରାମତି କରୁନଥିବାରୁ ସମସ୍ତ ପଞ୍ଚାୟତରେ ଏବେ ରାସ୍ତା ଗୁଡିକ ନଷ୍ଟ ହେବାକୁ ବସିଛି । ତେଣୁ ତୁରନ୍ତ ଏଗୁଡିକୁ ମରାମତି କରିବାକୁ ବିଭାଗୀୟ ଯନ୍ତ୍ରୀ ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା ହେବାସହ ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେବାକୁ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ ।
ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଜିପିଓ ନବୀନ ଚନ୍ଦ୍ର ନାୟକ ପୁର୍ବସଭାର ବିବରଣୀ ପାଠ କରିଥିଲେ । ଶିକ୍ଷା ବିଭାଗ ସମ୍ପର୍କରେ ହୋଇଥିବା ଆଲୋଚନାରେ ଏବିଇଓ ସୁରେଶ କୁମାର ଯେନା ବ୍ଲକରେ ମୋଟ ୫୫ଟି ଶିକ୍ଷକ ପଦବୀ ଖାଲି ପଡିଥିବା ସୁଚନା ଦେବାସହ ୩୦ଟି ବିଦ୍ୟାଳୟରେ ଫାଇଭ-ଟି କାମ ଚାଲୁଥିବା କହିଥିଲେ । ଗ୍ରାମ୍ୟ ଜଳଯୋଗାଣ କନିଷ୍ଠଯନ୍ତ୍ରୀ ଅବନ୍ତୀ ନାୟକ ବ୍ଲକରେ ୧୩୬୬ଟି ନଳକୁପ କାର୍ଯ୍ୟକ୍ଷମ ଥିବାବେଳେ ୩/୪ଟି ନଳକୂପ ଅଚଳ ଥିବା ଓ କେବାଲିପାଳ, ହଦଗଡ ଧନୁର୍ଜୟପୁର ପଞ୍ଚାୟତରେ ଜଳଯୋଗାଣକୁ ଗୁରୁତ୍ୱ ଦିଆଯାଇଛି ବୋଲି ସୁଚନା ଦେଇଥିଲେ । ସେହିପରି ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନା ହାଟଡିହି ବ୍ଲକରେ ଚାଲିଥିବା ଦୁଇଟି ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ଗୋଟିଏ ମାର୍ଚ୍ଚ ମାସ ସୁଧା ଶେଷ ହୋଇ ୧୯ଟି ଗ୍ରାମକୁ ଓ ଅନ୍ୟଟି ୨୦୨୨ ନଭେମ୍ବରରେ ସମାପ୍ତ ହୋଇ ୨୦୦ ଗ୍ରାମକୁ ଜଳଯୋଗାଣ କରାଯିବ ବୋଲି ସୁଚନା ଦେଇଥିଲେ । ପରେ ବ୍ଲକ ସହକାରୀ କୃଷି ଅଧିକାରୀ ସୁମିତ କୁମାର ସେଠୀ ବ୍ଲକରେ କାର୍ଯ୍ୟକାରୀ ହେଉଥିବା କୃଷି ବିଭାଗର ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ । ଶାସଙ୍ଗ ସରପଞ୍ଚ ବିମ୍ବାଧର ବିଶ୍ୱାଳ ହାଟଡିହି ବ୍ଲକର କେଉଁ ପଞ୍ଚାୟତରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଚାଷକାର୍ଯ୍ୟ ହୋଇପାରିନି ଓ ସେଥିନେଇ ବିଭାଗ ପକ୍ଷରୁ କିକି ପସଦକ୍ଷେପ ନିଆଯାଇ ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେବି ବିଭାଗୀୟ ଅଧିକାରୀମାନେ ଉତ୍ତର ଦେଇ ପାରିନଥିଲେ । ସେହିପରି ବ୍ଲକରେ ଅନେକ ସ୍ଥାନରେ ନୁଆକରି ନିର୍ମାଣ କରାଯାଉଥିବା ଅଙ୍ଗନବାଡି ଘର ଗୁଡିକୁ ଠିକ ଭାବରେ ବିଲ ଦିଆଯାଉ ନଥିବାରୁ ଠିକାଦାର ମାନେ ଏହାକୁ ଅଧାପନ୍ତରିଆ ଭାବେ ପକାଇ ରଖିଛନ୍ତି ବୋଲି ସିଡିପିଓ ସରସ୍ୱତୀ ସେଠୀ ଗୃହର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ବିଡିଓ ଏନେଇ ପଦକ୍ଷେପ ନେବାକୁ କହିଥିଲେ । ନଚେତ ଆଗାମି ଦିନରେ ଅଙ୍ଗନବାଡି ଗୁଡିକ ଖୋଲିବାପରେ ଛୁଆମାନେ ଅସୁବିଧା ଭୋଗ କରିବେ ବୋଲି ସେ ମତବ୍ୟକ୍ତ କରିଥିଲେ । ଅଙ୍ଗନବାଡି ମାନଙ୍କୁ ଦିଆଯାଉଥିବା ଛତୁଆ ନିମ୍ନମାନର ବୋଲି ଅଭିଯୋଗ ହେଉଥିବା ନେଇ ବିଧାୟକ ଅଭିଯୋଗ କରିବାପରେ ପରେ ଯୋଗାଣ ବିଭାଗ ପକ୍ଷରୁ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ପିଡିଏସ ସାମଗ୍ରୀର ସୁଶମ ବଣ୍ଟନ ଉପରେ ଆଲୋକପାତ କରିଥିଲେ । କେ ବାଲିପାଳ ପଞ୍ଚାୟତର ରାଇଘାଟିରେ ରେସନ ସାମଗ୍ରୀ ବଣ୍ଟନର ସୁବ୍ୟବସ୍ଥା କରାଇବା ପାଇଁ ବିଧାୟକ ଶ୍ରୀଯୁକ୍ତ ସେଠୀ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କ୍ଷୀରୋଦ ବେହେରା ସୁଚନା ଦେବାସହ ମାଷ୍ଟର ପ୍ଲାନରେ କିଛି ରାସ୍ତା ନିର୍ମାଣ କରାଯିବା ସମ୍ପର୍କରେ ସୁଚନା ଦେଇଥିଲେ । ଯେଉଁ ସବୁଦିନିଆ ରାସ୍ତା ଗୁଡିକ ବ୍ଲକ ପକ୍ଷରୁ ନିର୍ମାଣ କରାଯାଇ ପାରୁନି ସେଗୁଡିକୁ ଗ୍ରାମ୍ୟଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ଉପରେ ତୁରନ୍ତ ଚିଠା ଦେବାକୁ ସେ ସଭାକୁ ଜଣାଇଥିଲେ । କିଛି ସଭ୍ୟ ଡିମିରିଆ ଶାଳବଣୀ ରାସ୍ତା ନିର୍ମାଣରେ ବିଳମ୍ବ ସମ୍ପର୍କରେ ଅଭିଯୋଗ କରିବାରୁ ଯନ୍ତ୍ରୀ ଶ୍ରୀ ବେହେରା ଏହି ରାସ୍ତା ପାଇଁ ଏଷ୍ଟିମେଟ ଯାଇଥିଲା ମାତ୍ର ତାହା ନାକଚ ହୋଇଯାଇଛି ଯଦି ବିଧାୟକ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଚିଠି କରିବେ ତେବେ ରାସ୍ତାର ଏଷ୍ଟିମେଟ ଅନୁମୋଦନ ହେବ ବୋଲି ସେ କହିଥିଲେ । ସେହିପରି ମରୈଗାଁ ବଳିପୁର ନଦୀବନ୍ଧ ରାସ୍ତାକୁ ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାପାଇଁ ସମସ୍ତ ସଭ୍ୟମାନେ ମତଦେଇଥିଲେ । ଏନେଇ ଏକ ଚିଠା ପ୍ରସ୍ତାବ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତି ହୋଇଥିଲା । ଶେଷରେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ, ସଭ୍ୟା, ବିଭିନ୍ନ ବିଭାଗର ଅଧିକାରୀ ଓ ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.