Home କେନ୍ଦୁଝର ହାଟଡିହି ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି, ତାଲା ପକାଇଲେ ଲୋକେ

ହାଟଡିହି ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି, ତାଲା ପକାଇଲେ ଲୋକେ

37

ହାଟଡ଼ିହି, ୧୧/୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ଡାକ୍ତରଖାନାରେ ଗତ କିଛିବର୍ଷ ହେଲା ରୋଗୀମାନେ ଉପଯୁକ୍ତ ସେବା ପାଇପାରୁ ବଞ୍ଚିତ ହେଉ ଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁନେଇ ଗତକାଲି ସନ୍ଧ୍ୟାରେ କିଛି ଲୋକ ଡାକ୍ତରଖାନାରେ ତାଲା ପକାଇ ଦେଇଛନ୍ତି । ଆଜି ସକାଳେ ଡାକ୍ତରଖାନାର କର୍ମଚାରୀମାନେ ପହଞ୍ଚି ତାଲା ପଡିଥିବା ଦେଖି ବାହାରେ ବସିବସି ଘରକୁ ଫେରି ଯାଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ହାଟଡିହି ଡାକ୍ତରଖାନା ଉପରେ ହାଟଡିହି, ଶାସଙ୍ଗ, ପନ୍ଦାଡୋ, ମରୈଗାଁ, ବଞ୍ଚୋ ଆଦି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ଏହି ଡାକ୍ତରଖାନାଟି ପ୍ରତି ସବୁବେଳେ ଅଣଦେଖା କରିଆସୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଗତ କିଛିବର୍ଷ ହେଲା ନିୟମିତ ଡାକ୍ତର ନିଯୁକ୍ତି କରାଯାଉ ନାହିଁ । ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡିଏମଏଫରୁ ନିଯୁକ୍ତି ଦିଆଯାଇଥିବାବେଳେ ଗତ କିଛିମାସ ତଳେ ତାଙ୍କୁ ହଟାଇ ନିଆଯାଇଥିଲା । କିନ୍ତୁ ତାଙ୍କ ବଦଳରେ ଆଉ କାହାକୁ ନିଯୁକ୍ତି ଦିଆଯାଇ ନାହିଁ । ମୁଗୁପୁର ଡାକ୍ତରଖାନାର ଡାକ୍ତରଙ୍କୁ ସପ୍ତାହର ଦୁଇଦିନ ମଙ୍ଗଳବାର ଓ ଗୁରୁବାର ଏଠାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଦୁଇଦିନ ବ୍ୟତିତ ଅନ୍ୟ ଦିନରେ ଡାକ୍ତରଖାନାରୁ ସେବା ମିଳିପାରୁନି । ୫୩ନଂ ରାଜ୍ୟ ରାଜପଥ କଡରେ ଥିବା ଏହି ଡାକ୍ତରଖାନାକୁ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ଥ ରୋଗୀମାନେ ଧାଇଁ ଆସୁଥିବାବେଳେ ଡାକ୍ତର ନଥିବାରୁ ଫେରିବାକୁ ବାଧ୍ୟ ହେଉଛନ୍ତି । ଗତକାଲି ସନ୍ଧ୍ୟାବେଳେ ପୋଡାସିଙ୍ଗିଡିରୁ ଜଣେ ନାଁ ବାଳକ ଗୁରୁତର ଅସୁସ୍ଥ ହୋଇଥିବାରୁ ପରିବାର ଲୋକେ ତାକୁ ଏହି ଡାକ୍ତରଖାନାକୁ ଘେନି ଆସିଥିଲେ । ମାତ୍ର କେହି ଡାକ୍ତର କି ଫାର୍ମାସିଷ୍ଟ ନଥିବାରୁ ସାଧାରଣରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକମାନେ ଡାକ୍ତରଖାନାରେ ଚାବି ପକାଇ ଦେଇଥିଲେ । ସରକାର ଡାକ୍ତରଖାନାର ସୌନ୍ଦର୍ଯ୍ୟ କରଣ ଓ ଅନ୍ୟାନ୍ୟ ଗୃହ ସବୁ ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଯୋଗାଇ ଦେଉଥିବାବେଳେ ଏହାକଣ ସ୍ୱାସ୍ଥ୍ୟ ସେବା ଯୋଗାଇବ ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି । ଡାକ୍ତର ନଥିଲେ ଡାକ୍ତରଖାନା ରହି ଲାଭ କଣ ବୋଲି କହିବା ସହ ଲୋକମାନେ ତାଲା ପକାଇ ଦେଇଥିଲେ । ଆଜି ସକାଳେ ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀମାନେ ଡାକ୍ତରଖାନା ଆସିଥିବାବେଳେ ତାଲା ପଡିଥିବାରୁ ସେମାନେ ଗଛମୁଳେ ଠିଆ ହୋଇ ହୋଇ ଘରକୁ ପଳାଇଥିଲେ । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଅନେକ ଡାକ୍ତର ଏବେ ଡେପୁଟେସନରେ ବାହାର ଜିଲ୍ଲାକୁ ଯାଇଥିବାବେଳେ ନିଜ ଜିଲ୍ଲାର ଲୋକମାନେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେବା ପରିତାପର ବିଷୟ । ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟଡାକ୍ତର ପ୍ରଭାତ ନାୟକଙ୍କୁ ପଚାରିବାରୁ କିଏ ଚାବି ପକାଇଲା ଓ କଣ ପାଇଁ ପକାଇଲା ତାହା ଆମ ପାଖରେ ଖବର ନାହିଁ । ଆଜି ଅପରାହ୍ନରେ ଚାବି ଭଙ୍ଗଯାଇ ଡାକ୍ତରଖାନା ଖୋଲାଯାଇଛି । ଅଳ୍ପ ଦିନ ମଧ୍ୟରେ ଆଉ ଜଣେ ଡାକ୍ତରଙ୍କୁ ଡେପୁଟେସନରେ ନିଯୁକ୍ତି ଦେବାର ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.