Home ଜିଲ୍ଲା ପରିକ୍ରମା ହରମୋହନ ଦାଶଙ୍କର କବିତା ସଂକଳନ ‘ଶାଶ୍ୱତ ଝର’ ଲୋକାର୍ପିତ

ହରମୋହନ ଦାଶଙ୍କର କବିତା ସଂକଳନ ‘ଶାଶ୍ୱତ ଝର’ ଲୋକାର୍ପିତ

57

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସଂସ୍କୃତି ଭବନ ଠାରେ କବି ହରମୋହନ ଦାଶଙ୍କର କବିତା ସଂକଳନ ‘ଶାଶ୍ୱତ ଝର’ ଲୋକାର୍ପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଆଲୋଚକ ପ୍ରଫେସର ଡ. ବ୍ରଜମୋହନ ମିଶ୍ର କବିର ହୃଦୟରୁ କବିତା ସୃଷ୍ଟି ହୁଏ ଓ କବିଟିଏ ଯେତେବେଳେ ଆଧ୍ୟାତ୍ମିକବାଦୀ ହୋଇଯାଏ ମୁଖ୍ୟତଃ ଗୁରୁଙ୍କ ପଦାନୁସରଣ କରିଚାଲେ ବୋଲି କହିବା ସହ ସେ ହିଁ କେବଳ ଜଗତର ମଙ୍ଗଳ ପାଇଁ କବିତା ଲେଖିପାରେ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । କବିତା ଏକ ଝରଣା ପରି ଚିର ଶାଶ୍ୱତ ବୋଲି ଏହି ସଭାରେ ପୌରୋହିତ୍ୟ କରିଥିବା ପ୍ରଫେସର ଡ. ଶୈଳେନ୍ଦ୍ର ମହାପାତ୍ର କହିବା ସହ ସାମ୍ୟବାଦ୍ୟ ଚିନ୍ତାଧାରା ଓ ଈଶ୍ୱର ବିଶ୍ୱାସର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ ।ଏହି ଉତ୍ସବରେ ବରେଣ୍ୟ ଅତିଥି ଭାବେ ଡ. ରାଧାରାଣୀ ମହାପାତ୍ର କବିତାର ମୌଳିକ ଚରିତ୍ର ତଥା ଭାବନାର ମୌଳିକତାକୁ କେନ୍ଦ୍ର କରି କବି ହରମୋହନ ଦାଶଙ୍କର କବିତା ସଂକଳନ କୌଣସି ଦୃଷ୍ଟିରୁ ନ୍ୟୁନ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟତମ ବରେଣ୍ୟ ଅତିଥି ଡ. ସୁଦର୍ଶନ ବାରିକ ଶାଶ୍ୱତ ଝରର କେତେଗୋଟି କବିତା ଟି.ଏସ. ଏଲିଏଟ୍‌ଙ୍କ ୱେଷ୍ଟ୍ ଲ୍ୟାଣ୍ଡରେ ସ୍ଥାନ ପାଇଥିବା କବିତା ଗୁଡିକ ସହ ପରୋକ୍ଷରେ ସମାନତା ଥିବାର ଦୃଷ୍ଟିଗୋଚର ହେଉ ବୋଲି ନିଜ ଭାଷଣ ପ୍ରସଙ୍ଗରେ କହିଥିଲେ । କବିତା କାଳି କଲମରେ ସୃଷ୍ଟି ହୋଇଥିବା କେତେଗୋଟି ପଙ୍‌କ୍ତିର ସମାହାର ନୁହେଁ ବରଂ ତାର ଭାବନା ଓ ଚେତନାରେ କବି ହୋଇପାରେ । ଲକ୍ଷ୍ମୀପୁରାଣ କେତୋଗୋଟି ପୃଷ୍ଠା ମଧ୍ୟରେ ସୀମିତ ହୋଇଥିଲେ ମଧ୍ୟ ଜନ ମାନସରେ ଦୀର୍ଘସ୍ଥାୟୀ ହୋଇପାରିଛି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧିବକ୍ତା ମନୋରଂଜନ ଦାଶ ଅତିଥିମାନଙ୍କୁ ମଂଚକୁ ଆହ୍ୱାନ କରିଥିଲେ । କବି ହରମୋହନ ଦାଶ କବିତା ଲେଖିବାର ପ୍ରେରଣା, ପରିବେଶ ତଥା ପ୍ରଚ୍ଛଦପଟ ଉପରେ ନିଜସ୍ୱ ଅନୁଭୂତି ବର୍ଣ୍ଣନା କରିଥିଲେ । ଏଥିରେ ବିଶେଷ ଅତିଥି ଭାବେ ମନୋଜ କୁମାର ମହାପାତ୍ର, ବିପିନ ବିହାରୀ ପଣ୍ଡା ଓ ପ୍ରକାଶକ ସୂର୍ଯ୍ୟକାନ୍ତ ପ୍ରଧାନ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହି ସଭାରେ ଭଦ୍ରକର ବିଭିନ୍ନ ବର୍ଗର ବହୁ ବୁଦ୍ଧିଜୀବୀ, କବି, ଲେଖକ, ଡାକ୍ତର ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ଶେଷରେ ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.