Home ଜିଲ୍ଲା ପରିକ୍ରମା ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତକୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତକୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ

37

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଦେବଦତ୍ତ ପଟ୍ଟନାୟକ ମରଣାନ୍ତକ ଆକ୍ରମଣ ଜନିତ ହତ୍ୟା ମାମଲାର ବିଚାର କରି ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ସୟା ପଂଚାୟତର ପାଢୀସାହି ଗ୍ରାମନିବାସୀ ଭକ୍ତହରି ସାହୁଙ୍କ ପୁତ୍ର ଯୋଗେଶ ଓରଫ ବୁଲୁକୁ ୩୨୪ ଦଫାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପାଢୀସାହି ଗ୍ରାମର ଅନନ୍ତ ବିଶ୍ୱାଳଙ୍କର ଟ୍ରାକ୍ଟରକୁ ଯୋଗେଶ ଭଡାରେ ନେଇ ହଳ କରିବା ପରେ ଭଡା ଟଙ୍କା ବାକି ରଖିଥିଲା । ଏହି ଟଙ୍କା ମାଗିବାକୁ ନେଇ ଯୋଗେଶ ଅନନ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ଖବର ପାଇ ସ୍ଥାନୀୟ ମହାଦେବସାହି ନିବାସୀ ଅନନ୍ତର ଭିଣୋଇ ସୀତାରାମ କୁଅଁର ଯୋଗେଶର ଘରକୁ ଯାଇ ପଚାରିବାରୁ ସେ, ତା ଭାଇ ଲକ୍ଷ୍ମୀଧର, ବାପା ଭକ୍ତହରି, ମା କୁମୁଦିନୀ ପ୍ରମୁଖ ମିଶି ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ସୀତାରାମଙ୍କ ପତ୍ନୀ ବୀଣାପାଣି ତିହିଡି ଥାନାରେ ସେମାନଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ପରେ ଥାନା କେଶ୍ ନଂ ୩୫୪/୨୦୧୬ ଦଫା ୩୦୭ / ୩୨୩ / ୩୨୪ / ୫୦୬ / ୩୪ ଆଇପିସିରେ ଏକ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତମାନେ ଗିରଫ ହେବା ପରେ ମାନ୍ୟବର ଅଦାଲତ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ । ତଦନ୍ତ ପରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ମାମଲାଟି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ବିଚାରପତିଙ୍କ ଅଦାଲତରେ ଏସ୍‌ଟି ନଂ ୧୮/୧୭/୨୦୧୭ ରେ ବିଚାର ହୋଇ ଆଜି ଏହି ରାୟ ପ୍ରକାଶ ପାଇଛି । ମାନ୍ୟବର ଅଦାଲତ ଯୋଗେଶକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡବିଧାନ କରିଥିବାବେଳେ ତାଙ୍କ ଭାଇ ଲକ୍ଷ୍ମୀଧର, ପିତା ଭକ୍ତହରି ଓ ମା’ କୁମୁଦିନୀଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି । ସରକାରଙ୍କ ପକ୍ଷରୁ ଭଦ୍ରକର ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଯତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.