Home ଓଡ଼ିଶା ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ଉଦ୍ଧାର ହତ୍ୟା ନେଇ ଅଭିଯୋଗ

ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ଉଦ୍ଧାର ହତ୍ୟା ନେଇ ଅଭିଯୋଗ

214

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୫-ରଣପୁର ଥାନା ମହତପଲ୍ଲା ଗ୍ରାମ ପଂଚାୟତ ବିରୁଡା ଗ୍ରାମ ନିିକଟରୁ ମେ ୨୬ ତାରିଖ ମଧ୍ୟାହ୍ନରେ ସନ୍ଦେହ ଜନକ ଅବସ୍ଥାରେ ଜଣେ ହତ୍ୟା ଅଭିଯୁକ୍ତଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣା ପଡିଛି । ମୃତକ ହେଉଛନ୍ତି ରାଇପଡା ଗ୍ରାମର ଆଦିତ୍ୟ ମହାପାତ୍ର । ଘଟଣାରୁ ପ୍ରକାଶ ଗତ ଦୁଇ ମାସ ତଳେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ରାଇପଡା ଗ୍ରାମ ପଂଚାୟତ ରାଣୀ ଗାଡିଆ କାଜୁ ଜଙ୍ଗଲକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ଗୋଷ୍ଠୀ ସଂଘର୍ଷରେ ଅନେକ ଆହତ ହେବା ସହ ୨ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିଦିନଠାରୁ ପୋଲିସ୍ ହତ୍ୟାକାଣ୍ଡର ୬ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜି ଚାଲିଥିଲା । ଗତ ମେ ୨୫ତାରିଖ ରାତିରେ ବିରୁଡା ଗ୍ରାମରେ ହତ୍ୟା ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢାଉ କରିଥିଲା । ରାଜିବ୍ ସାହୁ ନାମକ ଜଣେ ହତ୍ୟା ଅଭିଯୁକ୍ତକୁ ଗିରଫ କରିବା ପରେ ଅନ୍ୟ ଜଣେ ଦୌଡି ପଳାଇ ଯାଇଥିଲା ।

ତାଙ୍କ ସମ୍ପର୍କୀୟ ଲୋକମାନେ ଦୌଡି ପଳାଇଥିବା ଯୁବକର ଫୋନ୍ କୁ ଫୋନ କରିବା ସହ ରାତିସାରା ଖୋଜି ପାଇ ନଥିଲେ । ବହୁ ଖୋଜାଖୋଜି ପରେ ୨୬ ତାରିଖ ଦିନ ୧୧ଟା ବେଳକୁ ଜମିରେ ଏକ ଖାଲ ଧୋଡା ଭିତରେ ଆଦିତ୍ୟ ମୁହଁମାଡି ପଡିଥିବା ଦେଖିଥିଲେ । ସେତେବେଳକୁ ଦେଖାଣାହାରୀଙ୍କ କହିବା ଅନୁସାରେ ଆଦିତ୍ୟ ମୃତ୍ୟୁବରଣ କରିସାରିଥିଲେ । କୌଣସି ସୁତ୍ରରୁ ପୋଲିସ୍ ଖବର ପାଇ ଆଦିତ୍ୟଙ୍କ ଶବ ଜବତ କରି ରଣପୁର ସରକାରୀ ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ଆଣିଥିଲେ । ଆଦିତ୍ୟଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଆଦିତ୍ୟକୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଆଦିତ୍ୟଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ୍ ସୁତ୍ରରୁ ପ୍ରକାଶ । ଖବର ଲେଖାହେଲା ପର୍ଯ୍ୟନ୍ତ ଶବ ବ୍ୟବଛେଦ ସରି ନଥିଲା । ଡାକ୍ତରଖାନା ପରିସରରେ ଆଦିତ୍ୟଙ୍କ ପରିବାର ଓ ବନ୍ଧୁବାନ୍ଧବ କୋଳାହଳ ଜାରି ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.