Home ଓଡ଼ିଶା ସ୍ୱଳ୍ପବୃଷ୍ଟିରେ ପ୍ରଭାବିତ ଖରିଫ୍ ଚାଷ – ବାଲେଶ୍ୱର ଜିଲ୍ଲାରେ ମରୁଡ଼ି ଆଶାଙ୍କା

ସ୍ୱଳ୍ପବୃଷ୍ଟିରେ ପ୍ରଭାବିତ ଖରିଫ୍ ଚାଷ – ବାଲେଶ୍ୱର ଜିଲ୍ଲାରେ ମରୁଡ଼ି ଆଶାଙ୍କା

71

ବାଲେଶ୍ୱର, ୧୯-୭ (ଓଡ଼ିଆ ପୁଅ/ଅଭୟ ଦାସ): ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବାଲେଶ୍ୱରରେ ଚଳିତ ବର୍ଷ ସ୍ୱଳ୍ପବର୍ଷା ଯୋଗୁଁ ଖରିଫ ଚାଷ ପ୍ରଭାବିତ ଆଶଙ୍କା ଏବେ ଘନୀଭୁତ ହେବାରେ ଲାଗିଛି। ଜୁନମାସର ଦ୍ୱିତୀୟାର୍ଦ୍ଧରେ ହୋଇଥିବା ଲଗାଣ ବର୍ଷା ପରେ ଧାନତଳି ପଡ଼ିଥିବା ବେଳେ ଏବେ ଏହି ତଳି କେମିତି ରୁଆଯିବ ତାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଜିଲ୍ଲାର ଚାଷୀ। କେଉଁଠି କେମିତି ଖାଲୁଆ ଜମିରେ ଲୋକେ ରଅଠଅ ଭାବେ ଅତିକଷ୍ଟରେ ବିଲକାମ କରୁଛନ୍ତି। ଆଷାଢ ମାସ ଶେଷ ହୋଇ ଏବେ ଶ୍ରାବଣ ମାସ ଚାଲିଥିବା ବେଳେ ଏବେ ବିଲରେ ଆଣ୍ଠୁଏ ପାଣିରେ ବିଲକାମ ଚାଲିବା ସହିତ ଚାଷୀକୁ ବିଶ୍ରାମ ନେବାକୁ ଫୁରସତ ମିଳେନି। ମାତ୍ର ସେହି ସମୟରେ ଚାଷୀ ଏବେ ବିଲକୁ ନ ଯାଇ ଘରେ ବସି ରହିଥିବା ବେଳେ ଚାଷଜମିରେ ଗୋରୁ ଛେଳି ଚରୁଛନ୍ତି। କାଁଭାଁ ଉଠା ଜଳସେଚନ ବ୍ୟତୀତ ଜିଲ୍ଲାର ଚାଷୀମାନେ ସମ୍ପୂର୍ଣ୍ଣ ମୌସୁମି ବର୍ଷା ଉପରେ ନିର୍ଭର କରିଥା’ନ୍ତି। ମାତ୍ର ବର୍ଷା ଅଭାବରୁ ବାଲେଶ୍ୱର ଜିଲ୍ଲାର ହଜାର ହଜାର ହେକ୍ଟର ଜମିକୁ ଏବେ ବି ହଳଲଙ୍ଗଳ ଯାଇନାହିଁ। ଗତ ସପ୍ତାହରେ ହୋଇଥିବା ସ୍ୱଳ୍ପବର୍ଷାରେ ଅଳ୍ପ ପାଣିଥିବା କେତେକ ଖାଲୁଅ ବିଲରେ ଲୋକେ ଧାନତଳି ପୋତୁଛନ୍ତି, ସେ ପୁଣି ଆଗକୁ ବର୍ଷା ହେବାର ଆଶାରେ। ତେବେ ଆଗକୁ ଯଦି ଆବଶ୍ୟକ ମୁତାବକ ବର୍ଷା ନହୁଏ, ତାହାଲେ ଚଳିତ ବର୍ଷ ଖରିଫ ଧାନଚାଷ ପାଇଁ ବଡ ସମସ୍ୟା ଉପୁଜିବାନେଇ ଚାଷୀ ମନରେ ଛନକା ପଶିଛି। କୃଷି ବିଭାଗର ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ୧ଲକ୍ଷ ୯୭ ହଜାର୮୭୧ ହେକ୍ଟର ଖରିଫ ଚାଷ ହୋଇଥାଏ। ତେବେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି କାରଣରୁ ଅଧା ଜମିରେ ଏବେ ବି ଚାଷ କାମ ଆରମ୍ଭ ହୋଇନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜୁନ ମାସରେ ଜିଲ୍ଲାରେ ଆବଶ୍ୟକଠାରୁ କିଛିଟା ଅଧିକ ଅର୍ଥାତ୨୨୧-୮୫ ମିଲିମିଟର ବର୍ଷା ହୋଇଥିଲା। କିନ୍ତୁ ଜୁଲାଇ ମାସରେ ୩୦୮-୬ ମିଲିମିଟର ବର୍ଷା ଆବଶ୍ୟକ ଥିବାବେଳେ ଏପର୍ଯ୍ୟନ୍ତ ମାତ୍ର ୮୪-୧୬ ମିଲିମିଟର ବର୍ଷା ହୋଇଛି ବୋଲି ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ଦିନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ଅଧିକାରୀ ସୀତାକାନ୍ତ ଭୋଇ ଆଶା ପ୍ରକାଶ କରିଛନ୍ତି। ତେବେ ଆଦୌ ଭୟଭୀତ ନହେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରସନ୍ନ ମହାପାତ୍ର ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ୫/୭ ଦିନ ମଧ୍ୟରେ ବର୍ଷା ନହେଲେ ବାଲେଶ୍ୱର ଜିଲ୍ଲାର ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଭଳି ସ୍ଥିତି ଦେଖାଗଲାଣି। ଏଭଳି ସ୍ଥିତିରେ ଜିଲ୍ଲାର ସମସ୍ତ ଉଠାଜଳ ସେଚନ ପଏଣ୍ଟଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଓ ପାଣିଞ୍ଚାୟତଗୁଡ଼ିକୁ ସକ୍ରିୟ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.