Home Top News ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରସଙ୍ଗରେ : ହେଲ୍‌ଥ କାର୍ଡ ନୁହେଁ ଶାସକ ବିଜେଡିର ନିର୍ବାଚନୀ ପୁସିଙ୍ଗ...

ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରସଙ୍ଗରେ : ହେଲ୍‌ଥ କାର୍ଡ ନୁହେଁ ଶାସକ ବିଜେଡିର ନିର୍ବାଚନୀ ପୁସିଙ୍ଗ କାର୍ଡ : ଲେଖାଶ୍ରୀ

107

ଭୁବନେଶ୍ୱର, ୧୮/୦୮ (ଓଡ଼ିଆ ପୁଅ) : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂପୂର୍ଣ୍ଣ ଫେଲ୍ ମାରିଛି। ବର୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଯୋଜନା ସଠିକ୍ କାର୍ଯ୍ୟକାରୀ ହେବାରେ ବିଫଳ ହୋଇଛି। ନିଜ ବିଫଳତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାକୁ ଆଳ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ଆରମ୍ଭ କରିଦେଇଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ୨୮ ଲକ୍ଷ ଓଡିଶାବାସୀ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେଉଥିଲେ। ମୋଦି ସରକାର ଏହି ଯୋଜନାର ସୁଫଳ ଦେଶର ସାଧାରଣ ଗରୀବ ଓ ପ୍ରକୃତ ହିତାଧିକାରୀଙ୍କୁ ଯୋଗାଇ ଦେବା ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ବ୍ୟାପକ କରି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଥିଲେ। ଅସହିଷ୍ନୁ ରାଜ୍ୟ ସରକାର ଏହି ଯୋଜନାରେ ସାମିଲ ନହେବା କାରଣରୁ କେନ୍ଦ୍ରରୁ ଆସୁଥିବା ଅନୁଦାନ ଅର୍ଥ ଆସି ପାରିନାହିଁ। ରାଜ୍ୟ ସରକାର ନିଜର ବିଫଳତା ଓ ଅସହିଷ୍ନୁତା ମନୋଭାବ କାରଣରୁ ରାଜ୍ୟବାସୀଙ୍କୁ ପ୍ରତାରିତ କରିବାକୁ ଯାଇ ନିଜସ୍ୱ ବ୍ୟବସ୍ଥାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ, କିନ୍ତୁ ଯୋଜନା ପାଇଁ ଟଙ୍କାଟିଏ ମଧ୍ୟ ବ୍ୟୟବରାଦ କରିବାରେ ବିଫଳ ହେଲେ।

ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ବୈାଦ୍ଧ, ଦେବଗଡ, ମାଲକାନଗିରି ଆଦି ଜିଲ୍ଲାରେ ଗୋଟିଏ ହେଲେ ତାଲିକାଭୁକ୍ତ ହସ୍ପିଟାଲ ନଥିବା କାରଣରୁ ଉପାନ୍ତ ଅଂଚଳବାସୀ ସହରାଂଚଳକୁ ଆସି ଚିକିତ୍ସା ସୁବିଧା ପାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ ଭାବେ କଟକ କିମ୍ବା ଭୁବନେଶ୍ୱରକୁ ଆସି ଚିକିତ୍ସିତ ହେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବ ବକେୟା ଅର୍ଥ ନପାଇଥିବା କାରଣରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଦେଖିବା ମାତ୍ରେ କଟକ ଓ ଭୁବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଘୋଉଢେଇ ଦେଉଛନ୍ତି। ରାଜ୍ୟ ସରକାର ସବୁ ଜାଣିଶୁଣୀ ମଧ୍ୟ ନୀରବଦ୍ରଷ୍ଟା ସାଜି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କ୍ଷୋଭ ପ୍ରକାଶ କରବା ସହ ଗରୀବ ଲୋକମାନେ କେମିତି ସ୍ୱାସ୍ଥ୍ୟ ସେବା ପାଇବେ ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

ରାଜ୍ୟର ସମସ୍ତ ସରକାରୀ ଏବଂ ୨୦୮ଟି ବେସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେବା ସମୟରେ ରାଜ୍ୟ ସରକାର ଘୋଷଣା କରିଥିଲେ। ବିଧାନସଭା ତଥ୍ୟ ଅନୁଯାୟୀ କେବଳ ୧୮୩ଟି ହସ୍ପିଟାଲରେ ଚିକିତ୍ସା ସୁବିଧା ଉପଲବ୍ଧ ହେଉଥିବାବେଳେ ଘରୋଇ ହସ୍ପିଟାଲ ଗୁଡିକର ପାଖାପାଖି ୫୦ କୋଟି ଟଙ୍କା ବକେୟା ରଖିଥିବା କାରଣରୁ ବର୍ତମାନ ଅନେକ ଘରୋଇ ହସ୍ପିଟାଲ ଚିକିତ୍ସା ଯୋଗାଇ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ଏଥିରୁ ରାଜ୍ୟ ସରକାରଙ୍କ ବିଫଳତା ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି।

ରାଜ୍ୟ ଗ୍ରାମାଂଚଳର ପ୍ରାୟ ୩୩.୪୫ ପ୍ରତିଶତ ଲୋକ ବାହାରକୁ ଯାଇ କାମଧନ୍ଦା କରୁଛନ୍ତି। ପ୍ରାୟ ୨୫ ଲକ୍ଷ ଓଡିଆ ବାହାର ରାଜ୍ୟରେ କାର୍ଯ୍ୟ କରୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ରାଜ୍ୟ ଭିତରେ ବାସ କରୁଥିବା ଓଡିଆମାନେ ଉପକୃତ ହେଉଥିବାବେଳେ, ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟବାସୀଙ୍କ ସମେତ ପ୍ରବାସୀ ଓଡିଆ ସର୍ବାଧିକ ଉପକୃତ ହୋଇପାରିବେ। କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବାରମ୍ବାର ଅନୁରୋଧ କରୁଥିଲେ ସୁଦ୍ଧା, ରାଜ୍ୟ ସରକାର କାହିଁକି କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣି ଥରେ ସ୍ମାର୍ଟ ହେଲ୍‌ଥ କାର୍ଡ ନାମରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ନୂଆ ପ୍ରହସନ ଆରମ୍ଭ କରିଦେଇଛନ୍ତି। ଏହା ହେଲ୍‌ଥ କାର୍ଡ ନୁହେଁ ବରଂ ଶାସକ ବିଜେଡିର ନିର୍ବାଚନୀ ପୁସିଙ୍ଗ କାର୍ଡ ବୋଲି ଡ.ଲେଖାଶ୍ରୀ ତାତ୍ସଲ୍ୟ କରି କହିଛନ୍ତି। ରାଜ୍ୟ ଏବଂ ରାଜ୍ୟ ବାହାରେ ବାସ କରୁଥିବା ସାଢେ ୪ କୋଟି ଓଡିଆଙ୍କ ସ୍ୱାର୍ଥ ପାଇଁ କାଳବିଳମ୍ବ ନକରି ଯଥାଶୀଘ୍ର ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଡ.ଲେଖାଶ୍ରୀ ପୁଣି ଥରେ ଦାବି ଜଣାଇଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ ଏବଂ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.