Home ଜିଲ୍ଲା ପରିକ୍ରମା ସ୍ମାର୍ଟ ସିଟି ପାଇଁ ତୋଷାମଦକାରୀଙ୍କ ସ୍ମାର୍ଟ ଠକେଇ : ପୁରୁଣାରେ ରଙ୍ଗ ମାରି ଅର୍ଥ ଆତ୍ମସାତ୍‌

ସ୍ମାର୍ଟ ସିଟି ପାଇଁ ତୋଷାମଦକାରୀଙ୍କ ସ୍ମାର୍ଟ ଠକେଇ : ପୁରୁଣାରେ ରଙ୍ଗ ମାରି ଅର୍ଥ ଆତ୍ମସାତ୍‌

176

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ମାର୍ଟ ସିଟି ପାଇଁ ସ୍ୱପ୍ନ ଦେଖିଥିବା ଭଦ୍ରକ ବିଧାୟକ ଅଂଚଳରେ ଆରମ୍ଭ ହୋଇଛି ସ୍ମାର୍ଟ ଠକେଇ । ସହରକୁ ନୂଆ ରୂପ ଦେବାକୁ ଯାଇ କେତେକ ଠିକାଦାର ଠକିବା ଆରମ୍ଭ କରିଛନ୍ତି । ପୁରୁଣା ବ୍ୟାରିକେଡ୍‌, ଡିଭାଇଡର ଆଦିରେ ରଙ୍ଗ ମାରି ନୂଆ ଲାଗିଥିବା ଦର୍ଶାଉଛନ୍ତି । ଏଥିପାଇଁ ମୋଟା ଅଙ୍କର ବିଲ୍ ନେଇ ଠକୁଛନ୍ତି । ଏହି ସ୍ମାର୍ଟ ଠକେଇ ପଛରେ କେତେକ ଛାମୁଆ ନେତାଙ୍କ ହାତ ରହିଥିବା ନେଇ ଦଳୀୟ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ସହରର ମୁଖ୍ୟ ରାସ୍ତାରେ ଡିଭାଇଡର ନିର୍ମାଣ ଚାଲିଛି । ବ୍ୟାରିକେଡ୍ ଜରିଆରେ ୱାନ୍ ୱେ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି । କିନ୍ତୁ ଏ ସମସ୍ତ କାର୍ଯ୍ୟର ଠିକା ନେଇଥିବା କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ ଚଳାଇଛନ୍ତି । ଅପତ୍ତିର୍ବିନ୍ଧା ଛକଠାରୁ ବାଇପାସ୍ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ମଝିରେ ଭାଙ୍ଗିଯାଇଥିବା ଡିଭାଇଡରକୁ ରାତି ଅଧିଆ ସିମେଣ୍ଟ ପ୍ଲାଷ୍ଟର କରିବା ସହ ପୁରୁଣା କଳଙ୍କି ଲଗା ଲୁହା ବ୍ୟାରିକେଡ୍ ଓ ପୁରୁଣା ଫୁଟପାଥରେ ରଙ୍ଗ ମାରି ସହରକୁ ସ୍ମାର୍ଟ କରିବାକୁ ଉଦ୍ୟମ କରୁଛନ୍ତି । ସେହିପରି କଚେରୀ ବଜାର ଠାରୁ ରାଜଘାଟ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ ରାତି ଅଧରେ ଏହାର ପ୍ୟାଚିଂ କାର୍ଯ୍ୟ ଚାଲିଛି । ଆଲୋକୀକରଣ ସମୟରେ ସଂପୃକ୍ତ ଠିକାଦାରଙ୍କ ନିକଟରେ କୌଣସି ନିର୍ଦ୍ଦିଷ୍ଟ ପ୍ଲାନ ବା ଯୋଜନା ନଥିବାରୁ ସହରର ମୁଖ୍ୟ ରାସ୍ତା ମଝିରେ ରହି ଛାଇ ପ୍ରଦାନ କରୁଥିବା ଗଛ ସବୁକୁ କାଟି ଦିଆଯାଇଛି । ଅନୁରୂପ ବିଧାୟକଙ୍କ ହାତପାଣ୍ଠିରୁ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ଅର୍ଥ ହାତେଇବା ପରେ ଏହାକୁ ଅନ୍ୟ କାର୍ଯ୍ୟରେ ମଧ୍ୟ ଲଗାଉଥିବା ଦୃଷ୍ଟିଗୋଚର ହେଉଛି । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ବିଭିନ୍ନ କାର୍ଯ୍ୟାଦେଶ ପାଇ କେତେକ ଦଳୀୟ କର୍ମୀ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିଚାଲିଛନ୍ତି ।

ଏହି ତୋଷାମଦକାରୀଙ୍କ ଠାରୁ ନିରାପଦ ଦୂରତ୍ୱ ନରଖିଲେ ବିଧାୟକଙ୍କ ସ୍ମାର୍ଟ ସିଟି ପ୍ରକଳ୍ପ ସ୍ୱପ୍ନ ପାଲଟିବ ଏକ ପ୍ରକାର ନିଶ୍ଚିତ ବୋଲି ବହୁ ଦଳୀୟ କର୍ମୀ ମତପୋଷଣ କରୁଛନ୍ତି । ଭଦ୍ରକ ସହରକୁ ସ୍ମାର୍ଟ ସିଟି କରିବା ପାଇଁ ବିଧାୟକ ସଂଜୀବ ମଲ୍ଲିକ ନିଜ ନିର୍ବାଚନୀ ଇସ୍ତହାରରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାଙ୍କୁ ଅନ୍ଧାରରେ ରଖି କେତେକ ବିଭାଗୀୟ ଅଧିକାରୀ ଓ ତାଙ୍କ ଦଳର କେତେକ କର୍ମୀ ନିଜର ସ୍ୱାର୍ଥ ସାଧନ କରିବାକୁ ପଛାଉ ନାହାଁନ୍ତି । ସେମାନଙ୍କ ଏପରି ଅପଚେଷ୍ଟା ସାଧାରଣରେ ସମାଲୋଚନାର ପ୍ରସଙ୍ଗ ପାଲଟିଥିବାବେଳେ, ଏହା ପରୋକ୍ଷରେ ବିଧାୟକଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅପରପକ୍ଷେ କେତେକ ତୋଷାମଦକାରୀଙ୍କ ଚକ୍ରବ୍ୟୁହରେ ପଡି ଭଦ୍ରକ ବିଧାୟକ ବାସ୍ତବତା ଠାରୁ ଦୂରେଇ ଯାଉଛନ୍ତି ବୋଲି ବହୁ ପୁରୁଖା ଦଳୀୟ କର୍ମୀ ମତବ୍ୟକ୍ତ କରୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ବିଧାୟକ ସଂଜୀବ ମଲ୍ଲିକ ନିର୍ବାଚିତ ହୋଇଥିଲେ । ଜିଲା ସଦର ମହକୁମାକୁ ଏକ ସ୍ମାର୍ଟ ସିଟି ଭାବେ ଗଢି ତୋଳିବାର ନିଜର ଇଚ୍ଛା ଜାହିର କରିଥିଲେ । ଭଦ୍ରକ ସହରକୁ ଏକ ନୂତନ ରୂପରେଖ ଦେବାକୁ ମହତାବ ଛକ ଠାରୁ ଘୋଷରା ବଜାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଥିଲା । ଏହି ସ୍ଥାନରେ ସହର ମଧ୍ୟରେ ୬ ଲେନ୍ ବିଶିଷ୍ଟ ରାସ୍ତାକାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସମୟରେ ସହରରେ ଆଲୋକୀକରଣ ବ୍ୟବସ୍ଥା, ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା, ବିପର୍ଯ୍ୟସ୍ତ ରାସ୍ତା ଘାଟରୁ ପୁନରୁଦ୍ଧାର ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ତେବେ ସଂଜୀବଙ୍କ ଏହି ଭାବବେଗର ଫାଇଦା ନେଇ ଚାଲିଛନ୍ତି କେତେକ ଦଳୀୟ ତୋଷମଦକାରୀ ଓ ବିଭିନ୍ନ ବିଭାଗରେ ଦୀର୍ଘ ବର୍ଷ ଧରି ରଙ୍ଗ ବଦଳାଇ ଆସିଥିବା କେତେକ ବିଭାଗୀୟ ଅଧିକାରୀ । ସେମାନେ ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ସ୍ମାର୍ଟ ଠକେଇରେ ବ୍ୟସ୍ତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.