Home ଜିଲ୍ଲା ପରିକ୍ରମା ବିବାଦ ପିଛା ଛାଡୁନାହିଁ ଖପରପଦା ସରପଞ୍ଚଙ୍କର : ପୁଣି ବିଳମ୍ବିତ ରାତିରେ ପଞ୍ଚାୟତରୁ ରିଲିଫ ଚାଉଳ...

ବିବାଦ ପିଛା ଛାଡୁନାହିଁ ଖପରପଦା ସରପଞ୍ଚଙ୍କର : ପୁଣି ବିଳମ୍ବିତ ରାତିରେ ପଞ୍ଚାୟତରୁ ରିଲିଫ ଚାଉଳ ଚୋରି ଘଟଣାକୁ ନେଇ ଉତ୍ତେଜନା

302

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଟିଏ ପରେ ଗୋଟିଏ ଘଟଣା ଖପରପଦା ସରପଞ୍ଚଙ୍କ ବିବାଦ ପିଛା ଛାଡୁନାହିଁ । ପ୍ରଥମେ କୋଭିଡ ସମୟରେ ସରକାରଙ୍କ ପକ୍ଷରୁ ଘରେ ଘରେ ବୁଲି ଭତ୍ତା ବଣ୍ଟନ ପାଇଁ ନିର୍ଦ୍ଦେଶ ଥିବା ବେଳେ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପଞ୍ଚାୟତ ଜିଆରଏସ ହିତାଧିକାରୀ ମାନଙ୍କୁ କୋଭିଡ ନିୟମକୁ ଉଲଂଘନ କରି ଭତ୍ତା ବଣ୍ଟନ କରିଥିଲେ । ଏପରିକି ସେଠାରେ ସାମାଜିକ ଦୂରତ୍ୱ ରକ୍ଷା ନକରିବା ଏବଂ ହିତାଧିକାରୀଙ୍କ ସମ୍ମୁଖରେ ଚାହା ଓ ବିସ୍କୁଟ ଖାଇବା ଘଟଣା ବିବାଦରେ ଫସି ଥିଲେ । ପରେ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସଂପୃକ୍ତ ପଂଚାୟତ ଅଧିକାରୀଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ କୌଫତ ତଲବ କରାଯାଇଥିଲା । ପୁଣି କୋଭିଡ ନିୟମକୁ ନମାନି ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ କମ୍ୟୁନିଷ୍ଟ ସେଣ୍ଟର ଉଦଘାଟନ କରି ବିବାଦରେ ଛନ୍ଧି ହୋଇଥିଲେ ସରପଞ୍ଚ । ଏପରିକି ଜନୈକା ମହିଳାଙ୍କ ଘରେ ପଶି ଅସଦାଚରଣ କରିବା ଘଟଣା ସରପଞ୍ଚ ବିରୋଧରେ ଧୁଷୁରୀ ଥାନା ଅଭିଯୋଗ ହୋଇଥିଲା । ଏବେ ଗତକାଲି ରାତିରେ ରିଲିଫ ଚାଉଳ ହେରଫେର ଅଭିଯୋଗରେ ସରପଞ୍ଚଙ୍କ ଡ୍ରାଇଭର ଏବଂ ତାଙ୍କ ସମର୍ଥକ ବିବାଦରେ ଛନ୍ଧି ହୋଇ ପଡିଛନ୍ତି । ଘଟଣାରୁ ପ୍ରକାଶ ବନ୍ୟା ପରେ ଖପରପଦା ପଞ୍ଚାୟତକୁ ରିଲିଫ ଚାଉଳ ସରକାର ଯୋଗାଇ ଦେଇଥିଲେ । ପଞ୍ଚାୟତର ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ରିଲିଫ ଚାଉଳ ପଞ୍ଚାୟତ ଗୋଦାମ ଘରେ ନରହି ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ମହଜୁତ ରଖିଥିଲେ । ହେଲେ ପଞ୍ଚାୟତରେ ଗୋଦାମ ଘର ଥିବା ବେଳେ କେଉଁ ଉଦ୍ଦେଶ୍ୟରେ ଚାଉଳକୁ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ରଖାଯାଇଥିଲା ତାହାକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି ।

ଏହି ଚାଉଳ ଭର୍ତ୍ତି ଘରର ଗୋଟିଏ ଚାବି ପଞ୍ଚାୟତ ରିଲିଫ ଅଧିକାରୀ ଅନ୍ୟଟି ସରପଞ୍ଚଙ୍କ ପାଖରେ ରହିଛି । ହେଲେ ଗତକାଲି ବିଳମ୍ବିତ ରାତିରେ ଚାବି ଖୋଲାଯାଇ ଏକ ଚାଉଳ ବସ୍ତା ବାଇକରେ ଯାଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଦେଖିଥିଲେ । ଚୋରି ହେଉଥିବା ଚାଉଳକୁ ଜବତ କରିବା ସହିତ ଏହି ଚାଉଳ ନେଇ ଯାଉଥିବା ବାଇକକୁ ଧରିବା ବେଳେ ସଂପୃକ୍ତ ଦୁଇ ଅଭିଯୁକ୍ତ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଘଟଣା ପରେ ଲୋକେ ଧୁଷୁରୀ ପୁଲିସକୁ ଖବରଦେବାରୁ ପୁଲିସ ପହଞ୍ଚି ବାଇକ ସହିତ ଚୋରି ହେଉଥିବା ଚାଉଳକୁ ଜବତ କରିବା ସହିତ ମହଜୁତ ଥିବା ଚାଉଳ ଘରେ ଚାବି ପକାଇ ଦେଇଥିଲେ । ଆଜି ପୂର୍ବାହ୍ନରେ ପୁଲିସ ସହିତ ଅତିରିକ୍ତ ବିଡିଓ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ସମ୍ପର୍କରେ ସରପଞ୍ଚଙ୍କ ସମେତ ଅଭିଯୋଗକାରୀ ମାନଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଡକାଯାଇ ତର୍ଜମା କରାଯାଉଛି । ଏସଂପର୍କରେ ଏବିଡିଓ ସୁଶ୍ରୀ ଶର୍ମିଷ୍ଠା କହନ୍ତି, ପଞ୍ଚାୟତକୁ କେତେ ପରିମାଣର ଚାଉଳ ପଠାଯାଇଥିଲା ଓ ସେଥିମଧ୍ୟରୁ କେତେ ପରିବାରକୁ ପ୍ରଦାନ କରାଯାଇଛି ସେହି ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପ୍ରକାଶ କରିଛନ୍ତି । ଏହି ବିବାଦ ଘଟଣାକୁ ନେଇ ଆଜି ବନ୍ୟା ବିପନ୍ନ ପରିବାରକୁ ରିଲିଫ ଚାଉଳ ବଣ୍ଟନ କରାଯାଇ ପାରିନଥିଲା । ଏହି ଘଟଣାକୁ ନେଇ ଉକ୍ତ ପଞ୍ଚାୟତରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି । ଏସଂପର୍କରେ ସ୍ଥାନୀୟ ସରପଞ୍ଚ ଗୟାଧର ନାୟକ କହନ୍ତି, ମୋତେ ବଦନାମ କରିବା ପାଇଁ ବିରୋଧୀଙ୍କ ଏପରି ଚକ୍ରାନ୍ତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.