Home ଜିଲ୍ଲା ପରିକ୍ରମା ‘ସ୍ମାର୍ଟ ସିଟି’ ପାଇଁ ଜବରଦଖଲ ଉଚ୍ଛେଦ ଜରୁରି!

‘ସ୍ମାର୍ଟ ସିଟି’ ପାଇଁ ଜବରଦଖଲ ଉଚ୍ଛେଦ ଜରୁରି!

137

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକକୁ ‘ସ୍ମାର୍ଟ ସିଟି’ କରିବାର ପରିକଳ୍ପନା ରହିଛି । ତେବେ ଯେଉଁକାମ ସାଧାରଣ ଭାବେ ଜରୁରି ଥିଲା ବା ଯେଉଁ ମୌଳିକ ସମସ୍ୟା ରହିଛି ତା’ର ସମାଧାନ ପରେ ହିଁ ସ୍ମାଟ ସିଟି ଭଳି ଏକ ବିକଶିତ ସହରର ସ୍ୱପ୍ନ ଦେଖିବା ଯଥାର୍ଥ ବୋଲି କୁହାଯାଇପାରେ । ଏ ପରିପ୍ରେକ୍ଷୀରେ ଅମୃତ ଯୋଜନାରେ ହେଉ କି ବିଧାୟକଙ୍କ ଉଦ୍ୟମରେ ହେଉ ଭଦ୍ରକରେ କିଛି ବିକାଶମୂଳକ କାମ ଚାଲିଛି । ତେବେ କେଉଁଠି ନା କେଉଁଠି ବିକାଶରେ ବାଧକ ସାଜିଛି ଜବରଦଖଲ । ସହରର କଚେରୀ ବଜାରରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା । ମହତାବ ଛକରୁ ଉଚ୍ଛେଦ ଆରମ୍ଭ ହୋଇ ଘୋଷରା ବଜାରରେ ଅଟକିଯାଇଛି । ଏହି ଉଚ୍ଛେଦ ଅଭିଯାନ ଥଇଥାନ ପ୍ରକଳ୍ପ ଆରମ୍ଭ ହେବାଯାଏ ସ୍ଥଗିତ ରହିଛି ବୋଲି ଏବେ କୁହାଯାଉଛି । ଏପଟେ କିନ୍ତୁ ସହରର ଅର୍ଦ୍ଧାଧିକ ଅଞ୍ଚଳ କୁହାଯାଉଥିବା ପୁରୁଣାବଜାର ଇଲାକାରେ ବର୍ଷବର୍ଷ ଧରି ପରିଲକ୍ଷିତ ଜବରଦଖଲକୁ ଉଚ୍ଛେଦ ଲାଗି ସ୍ଥାନୀୟ ଲୋକେ ପ୍ରଶାସନକୁ ନିବେଦନ କରିବା ଉଲ୍ଲେଖନୀୟ ହୋଇଛି । ପୁରୁଣାବଜାର ମୁଖ୍ୟ ରାସ୍ତା କ୍ରମଶଃ ସଂକୁଚିତ ହୋଇଚାଲିଛି । ସନ୍ଥିଆପୋଲ ଠାରୁ ନଙ୍ଗାମହଲା, ପାଟଣାସାହି, ଶଙ୍କରପୁର, ପୁରୁଣାବଜାର ତିନି ଛକି ପର୍ଯ୍ୟନ୍ତ ଓ କଦମବେଡା ଠାରୁ ମୁଲନାସାହି, ଚନ୍ଦନବଜାର, ଶଙ୍କରପୁର, ହେଲାସାହି, ପୁରୁଣାବଜାର, ବାଙ୍କାବଜାର ଓ ସଙ୍ଗତ ଛକ ଯାଏ ଲମ୍ବିଥିବା ରାସ୍ତା ର ଅନେକ ସ୍ଥାନରେ ଜବରଦଖଲ ପରିଲକ୍ଷିତ ହେଉଛି । ରାସ୍ତାରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ଦୁଇଟି ଚାରିଚକିଆ ଯାନ ବି ପରସ୍ପରକୁ ପାରିହେବା କାଠିକର ପାଠ । ସହରର ରାସ୍ତାରେ ଆମ୍ବୁଲାନସ, ଦମକଳ ଗାଡି ବି ଯିବା କଷ୍ଟକର ହେଉଛି । ପୁରୁଣାବଜାର ଦେଇ ଯାଇଥିବା ରାସ୍ତାର ମରାମତି ପ୍ରତିବର୍ଷ ଚାଲିଛି । ରାସ୍ତା ଉପରେ ରାସ୍ତା ତିଆରି ହେଉଛି କିନ୍ତୁ ରାସ୍ତାକୁ ଓସାରିଆ କରିବାର ବ୍ୟବସ୍ଥା ହେଉନାହିଁ । ଏଥିରେ ବାଧକ ଜବରଦଖଲ । କେତେକ ସ୍ଥାନରେ ବ୍ୟବସାୟୀ, ଘରୋଇ ବ୍ୟକ୍ତିମାନେ ଜବରଦଖଲ କରିଛନ୍ତି । ଯାହାକୁ ବର୍ଷବର୍ଷ ଧରି ହଟାଇବା ଲାଗି ପ୍ରଶାସନର ସାହସ କୁଳଉନାହିଁ । ପୁଣି ଜବରଦଖଲ ଯୋଗୁ ଡ୍ରେନେଜ୍ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି । ପୂର୍ବତନ ପାରିଷଦ ଅସରଫ ଅଲ୍ଲୀ କୁହଂତି ‘ପୁରୁଣାବଜାର ରାସ୍ତା ଉପରେ ୧୫ଟି ଓାର୍ଡର ୬୦ ହଜାର ବାସିନ୍ଦାଙ୍କ ସମେତ ଖଣ୍ଡତଡା, ଗୁଜିଦରଡା, ବେନ୍ତାଳ, ମଉଦା ଆଦି ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରନ୍ତି । ଏବେ ସ୍ଥାନୀୟ ବହୁ ବ୍ୟକ୍ତିବିଶେଷ ଓ ସାମାଜିକ ସଂଗଠନ ଜବରଦଖଲ ହଟାଇବା ସପକ୍ଷରେ ପ୍ରଶାସନକୁ ନିବେଦନ କରିବା ଏକ ଭଲ ଖବର ନିଶ୍ଚିତ । ଚଉଦ ମହଲା ମୁସଲିମ ଜମାତ ସଭାପତି ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରିବା ସହ ବିଧାୟକଙ୍କୁ ମଧ୍ୟ ଏଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଏଣୁ ‘ ବିକାଶ ପାଇଁ ଜବରଦଖଲ ଉଚ୍ଛେଦ ଜରୁରି’ ନ୍ୟାୟରେ ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତି ହିଁ ବର୍ଷବର୍ଷର ଅସମ୍ଭବକୁ ସମ୍ଭବ କରିପାରିବ ବୋଲି ମତ ରଖିଛନ୍ତି ପୂର୍ବତନ ପାରିଷଦ ଅସରଫ ଅଲ୍ଲୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.