Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ଏବେ ପାଲଟିଛି ଧଳାଜହର ମାଫିଆଙ୍କ ଚରାଭୂଇଁ, ୧୨ ମାସରେ ୪ କୋଟିର ବ୍ରାଉନସୁଗାର...

ଭଦ୍ରକ ଜିଲା ଏବେ ପାଲଟିଛି ଧଳାଜହର ମାଫିଆଙ୍କ ଚରାଭୂଇଁ, ୧୨ ମାସରେ ୪ କୋଟିର ବ୍ରାଉନସୁଗାର ଜବତ, ଚର୍ଚ୍ଚାରେ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା

34

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଏବେ ଧଳାଜହର ରୂପୀ ବ୍ରାଉନସୁଗାର ଚୋରା ମାଫିଆଙ୍କ ହବ୍ ପାଲଟିଛି । ପୁଲିସ୍ ଠାରୁ ଆରମ୍ଭ କରି ଅବକାରୀ ବିଭାଗ, ଏସ୍‌ଟିଏଫ୍ ଟିମ୍‌ର ଯେତେ ଚଢାଉ ହେଲେ ମଧ୍ୟ ଏହା ଥମିବାରେ ନାଁ ଗନ୍ଧ ଧରୁନାହିଁ । ବିଶେଷକରି ପଡୋଶୀ ବାଲେଶ୍ୱର ଜିଲାର ଜଳେଶ୍ୱର ଅଂଚଳ ଏହି ଜହରର କେନ୍ଦ୍ରସ୍ଥଳୀ ପାଲଟିଥିବାବେଳେ ଏହା ଯେ ବାଲାଂଦେଶରୁ ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ଆସୁଛି, ଏହା ସମସ୍ତେ ଜାଣନ୍ତି । ମାତ୍ର ସମଗ୍ର ରାଜ୍ୟରେ ଏହି ଜହରର କିଙ୍ଗପିନ୍ କୁହାଯାଉଥିବା ମାଫିଆ ଜଣକ ଜଳେଶ୍ୱରକୁ ତାର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର କରିଥିବାବେଳେ ସେ ଆତ୍ମ ସମର୍ପଣ କରିଥିଲେ ମଧ୍ୟ ତାର ସଂପର୍କୀୟମାନେ ‘ଦାଉଦ’ ଭଳି ଉକ୍ତ ବ୍ୟବସାୟୀକୁ ବେଶ୍ ସକ୍ରୀୟ ରଖିଛନ୍ତି । ତେବେ ଭଦ୍ରକ ଜିଲାର ଗ୍ରାମାଞ୍ଚଳ ଥାନା ପକ୍ଷରୁ ମୋଟ ୩ କିଗ୍ରା ୨୩୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇ ୧୦ ଟି ମାମଲା ମୂଳେ ୨୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଏଥିରେ କାହାକୁ ଯଦି ସାବାସି ଦିଆଯିବ ତେବେ ସର୍ବାଗ୍ରେ ଦାୟିତ୍ୱରେ ଥିବା ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା ହିଁ ରହିବେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଜହରକୁ ରୋକିବାରେ ପୁଲିସ୍ ପକ୍ଷରୁ ବାରମ୍ବାର ଚଢାଉ ହେଉଥିଲେ ମଧ୍ୟ ଏହାର ଚେର ଏତେ ଗଭୀରକୁ ଚାଲିଯାଇଛି ଯେ ତାହାର ଆଦି ଅନ୍ତ କେହି ପାଉନାହାଁନ୍ତି । ଏହି ଜହର ସଂପର୍କରେ ଯାହା ଜଣାଯାଏ ଜିଲାରେ ଚଳିତବର୍ଷ ଜାନୁଆରୀ ୧ ତାରିଖରୁ ଆଜିଯାଏ ଭଦ୍ରକ ପୁଲିସ୍ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କଲାଣି । ଏନେଇ ଜିଲାର ୬ଟି ଥାନାରେ ୧୮ଟି ମାମଲା ରୁଜୁ ହୋଇଛି । ୪ କିଗ୍ରା ବ୍ରାଉନସୁଗାର ଜବତ ହୋଇଥିବାବେଳେ ଏଥିରେ ଲିପ୍ତ ଥିବା ୪୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ କେବଳ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ପକ୍ଷରୁ ୩ କିଗ୍ରା ବ୍ରାଉନସୁଗାର ଜବତ ହୋଇଥିବାବେଳେ ଏହାର ମୂଲ୍ୟ ପାଖାପାଖି ୩ କୋଟି ୨୫ ଲକ୍ଷ ଟଙ୍କା ହେବ । ତଥ୍ୟ ଅନୁଯାୟୀ ଗ୍ରାମାଞ୍ଚଳ ଥାନା ପୁଲିସ୍ ଗତ ୨୦୨୦ ମସିହା ସେପ୍ଟେମ୍ବର ମାସ ୭ ତାରିଖ ଭଦ୍ରକ ବଉଳାପୋଖରୀ ନିକଟରୁ ୩୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ।

ସେହିପରି ଚଳିତବର୍ଷ ଫେବୃୟାରୀ ୯ ତାରିଖରେ ଜାତୀୟ ରାଜପଥ ରାଣୀତାଲ ଛକ ନିକଟରୁ ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରି ୫୧୦ ଗ୍ରାମ, ଅପ୍ରେଲ ମାସ ୧୪ ତାରିଖରେ ରାଣୀତାଲ ଛକ ନିକଟରୁ ୧୦.୫ ଗ୍ରାମ, ସେହି ମାସ ୨୦ ତାରିଖରେ ୩୧୦ ଗ୍ରାମ, ୨୭ ତାରିଖରେ ପୁଲିସ୍ ୨୬୦ ଗ୍ରାମ, ଜୁନ୍ ମାସ ୨୩ ତାରିଖରେ ଜାତୀୟ ରାଜପଥ ଧାମରା ଓଭରବ୍ରିଜ୍ ନିକଟରୁ ୨୮୦ ଗ୍ରାମ, ୨୪ ତାରିଖରେ ୫୧୦ ଗ୍ରାମ, ଜୁଲାଇ ୧୬ ତାରିଖରେ ଜାତୀୟ ରାଜପଥ ଧାମରା ସଭରବ୍ରିଜ୍ ନିକଟରୁ ୧ କେଜି ୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏନେଇ ଗ୍ରାମାଞ୍ଚଳ ଥାନାରେ ୧୦ଟି ମାମଲା ରୁଜୁ ହୋଇଛି । ସେହିପରି ଜିଲାର ଅନ୍ୟ ୫ ଥାନାରୁ ମୋଟ ୬୯୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ସହରାଞ୍ଚଳ ଥାନା ୩ଟି ମାମଲାରେ ୨୮୪ ଗ୍ରାମ ବ୍ରାଉନସୁଗାର ଜବତ କରି ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ପୁରୁଣାବଜାର ଥାନା ପକ୍ଷରୁ ୨ଟି ଘଟଣାରେ ୧୪୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନୁରୂପ ଭାବେ ବନ୍ତ ଥାନା, ଧୁଷୁରୀ ଥାନା ପକ୍ଷରୁ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି । ଧୁଷୁରୀ ପୁଲିସ୍ ୨୫୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାବେଳେ ବନ୍ତ ପୁଲିସ୍ ୧୧ ଗ୍ରାମ ଜବତ କରିଛି । ଏହି ଦୁଇ ଥାନା ପକ୍ଷରୁ ଯଥାକ୍ରମେ ୩ ଜଣ ଓ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ତେବେ ଜିଲାରେ ଏତେ ପରିମାଣର ବ୍ରାଉନସୁଗାର ଜବତ ହେବା ଏକ ନୂଆ ରେକର୍ଡ । ଏହି ଜିଲାବାସୀଭ୍‌କୁ ବିଚଳିତ କରିଛି । ଲକଡାଉନ୍ ବେଳେ ବେଆଇନ୍ ନିଶା କାରବାର ବୃଦ୍ଧି ପାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କାରବାରରେ ମହିଳାଙ୍କ ସଂପୃକ୍ତି ପୁଲିସ୍ ପାଇଁ ଚିନ୍ତା ବଢାଇଛି । ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଚରଣ ସିଂ ମୀନା ଯୋଗଦେବା ପରେ ପୁଲିସ୍ ବ୍ରାଉନସୁଗାର କାରବାରରେ ଅନ୍ତ ଘଟାଇବାକୁ ଜୋରଦାର ପ୍ରୟାସ ଚଳାଇଛି । ଅପରପକ୍ଷରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଓ ଏସଟିଏଫ୍ ମଧ୍ୟ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି । ଏସବୁକୁ ମିଶାିଲେ ମୋଟ ଜବତ ବ୍ରାଉନସୁଗାର ପରିମାଣ ୬ କୋଟି ଟଙ୍କା ଟପିଯିବ । ତେବେ ଏହି ବେଆଇନ୍ କାରବାରର ଅନ୍ତ କେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଜିଲାର ଯୁବପିଢିଙ୍କୁ ଉଦ୍‌ଭ୍ରାନ୍ତ କରୁଥିବା ଏହି ବେଆଇନ୍ ଧଳାଜହରର କାରବାରର କେବେ ମୂଳୋତପାଟନ ହେବ, ତାହା ସମୟ କହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.