Home ଜିଲ୍ଲା ପରିକ୍ରମା ସୌନ୍ଦର୍ଯ୍ୟକରଣ ନାମରେ ସରକାରୀ ଅର୍ଥ ଅପବ୍ୟୟ

ସୌନ୍ଦର୍ଯ୍ୟକରଣ ନାମରେ ସରକାରୀ ଅର୍ଥ ଅପବ୍ୟୟ

133

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ସୌନ୍ଦର୍ଯ୍ୟକରଣ ନାମରେ ଏବେ ଚାଲିଛି କୋଟି କୋଟି ଟଙ୍କାର ଅପବ୍ୟୟ । ଗତ କିଛିଦିନ ତଳେ ସେତୁ ସଂପ୍ରସାରଣ ନାମରେ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୁଆଁସ ଅର୍ଜୁନ ସେତୁକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିବାବେଳେ ଏବେ ଆଇଲଭ୍ ଭଦ୍ରକ ଯୋଜନାରେ ଗତ ପ୍ରାୟ ଏକ ବର୍ଷ ତଳେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ମହତାବ ଛକ ନିକଟରୁ ଘୋଷରା ବଜାର ପର୍ଯ୍ୟନ୍ତ ନିର୍ମିତ କଂକ୍ରିଟ୍ ଡ୍ରେନ୍ ଭଙ୍ଗା ଆରମ୍ଭ ହୋଇଛି । ଭଦ୍ରକ ଜିଲାପାଳଙ୍କ ଅଫିସ୍ ଠାରୁ ମହତାବ ଛକ ପର୍ଯ୍ୟନ୍ତ ପ୍ରାୟ ୫୦ ମିଟର ଦୂରତାର କଂକ୍ରିଟ୍ ଡ୍ରେନ୍ ଭାଙ୍ଗି ସେଠାରେ ଆଇ ଲଭ୍ ଭଦ୍ରକ ନାମରେ ସୌନ୍ଦର୍ଯ୍ୟକରଣ ଯୋଜନା ଆରମ୍ଭ ହୋଇଛି । ଏଥିସକାଶେ ପ୍ରାୟ ୨୦ ଲକ୍ଷ ଟଙ୍କାର ଏକ ଯୋଜନା ଅଟକଳ କରାଯାଇ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିବା ଜଣାପଡିଛି । ଯାହାକି ସରକାରୀ ଅର୍ଥର ବ୍ୟାପକ ଦୁରୂପଯୋଗ ବୋଲି ଚର୍ଚ୍ଚା ହେଉଛି । ସହର ସୌନ୍ଦର୍ଯ୍ୟକରଣ କରାଯିବାରେ ମନା ନାହିଁ, ହେଲେ ଏଥିସକାଶେ ସୁଚିନ୍ତିତ ଯୋଜନା କରାନଯାଇ ଭଙ୍ଗା ଗଢାରେ କୋଟି କୋଟି ଟଙ୍କା ଅପଚୟ କରାଯିବା ସାଧାରଣ ଲୋକଙ୍କ ସ୍ୱାର୍ଥ ପରିପନ୍ଥି ବୋଲି ଚର୍ଚ୍ଚା ହେଉଛି । ଗତ କିଛିଦିନ ତଳେ ଅନୁରୂପ ଭାବେ ଭଦ୍ରକ ବାଇପାସ ନିକଟରେ ସେଲ୍‌ଫି ପଏଣ୍ଟ-ଫୁଡ କୋର୍ଟ ପ୍ରତିଷ୍ଠା ଆଳରେ ଲକ୍ଷ ଲକ୍ଷ ଟଙ୍କା ବରବାଦ କରାଯାଇଥିବା ଅଭିଯୋଗ ହୋଇଛି । ସେହିଭଳି ନିକଟରେ ସହର ସୌନ୍ଦର୍ଯ୍ୟକରଣ ଏବଂ ରାସ୍ତା ପ୍ରଶସ୍ତିକରଣ ନାମରେ ସହରରେ ଶହ ଶହ ଗଛ କାଟି ପଦା କରିଦିଆଯାଇଥିବା ବେଳେ ଏବେ କଂକ୍ରିଟ୍ ଡ୍ରେନ୍ ଭାଙ୍ଗି ଆରମ୍ଭ ହୋଇଛି ଆଇ ଲଭ୍ ଭଦ୍ରକ ଯୋଜନା ।

ଗମନା ଗମନା କୁ ଦୃଷ୍ଟିରେ ରଖି ଗତ ପ୍ରାୟ ୧୫ ବର୍ଷ ତଳେ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭଦ୍ରକ କୁଆଁସ ଠାରେ ସାଳନ୍ଦୀ ନଦୀ ଉପରେ ପ୍ରତିଷ୍ଠା କରାଯାଇଥିବା ଅର୍ଜୁନ ସେତୁ ସଂପ୍ରସାରଣ ଆଳରେ ଭାଙ୍ଗି ମାଟିରେ ମିଶାଇ ଦିଆଯାଇ ସେଠାରେ ଏବେ ପ୍ରାୟ ସାଢେ ଛଅକୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଛି ନୂତନ ସେତୁ । କୁହାଯାଇଛି ଭଦ୍ରକ ପୌରପାଳିକା ଅଧୀନରେ ଥିବା ଏହି ଫୁଟ୍ ଓଭରବ୍ରିଜ୍‌କୁ ହଟାଇ ପୂର୍ତ୍ତ ବିଭାଗ ଜରିଆରେ ସେଠାରେ ଏକ ସଂପ୍ରସାରିତ କଂକ୍ରିଟ୍ ସେତୁ ନିର୍ମାଣ ଆରମ୍ଭ କରାଯାଉଛି । ତେବେ ଆବଶ୍ୟକତା ଅନୁଯାୟୀ ସଂକୀର୍ଣ୍ଣ ସେତୁକୁ ହଟାଇ ସେଠାରେ ସଂପ୍ରସାରିତ ତଥା ଅତ୍ୟାଧୁନିକ ସେତୁ ନିର୍ମାଣ କରାଯିବାରେ କୌଣସି ଅସୁବିଧା ନାହିଁ, ହେଲେ ତୃଟିପୂର୍ଣ୍ଣ ଯୋଜନା ଏବଂ ଦୂରଦୃଷ୍ଟି ଅଭାବରୁ ନୂଆ ସେତୁ ନିର୍ମାଣ ଆଳରେ ଅଧକୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅପବ୍ୟୟ ନିଶ୍ଚିତ ଭାବେ ଆପତି ଜନକ ମନେ କରାଯାଏ । ସବୁଠାରୁ ବଡକଥା ହେଲା ନିର୍ମାଣାଧୀନ ଏହି ସେତୁର ନାମକରଣକୁ ନେଇ ରାଜନୈତିକ ତିକ୍ତତା ବୃଦ୍ଧି ପାଇଛି । ପୁରୁଣା ସେତୁ ତତ୍‌କାଳୀନ ଭଦ୍ରକ ସାଂସଦ ଅର୍ଜୁନ ସେଠୀଙ୍କ ଅନୁଦାନରେ ନର୍ମିିତ ହୋଇଥିବା ହେତୁ ଏହାର ନାମକରଣ ଅର୍ଜୁନ ସେତୁ ରଖାଯାଇଥିଲା । ତେବେ ନୂଆ ସେତୁ ଶିଳାନ୍ୟାସ ବେଳେ ତାହାର ନାମକରଣ ଅର୍ଜୁନ ସେତୁ ବଦଳରେ କୁଆଁସ ସେତୁ ରଖାଯାଇଛି । ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେତୁ ନବୀକରଣ କରାଯାଇପାରେ ପୁରୁଣା ସେତୁକୁ ଭାଙ୍ଗି ଦେଇ ସେଠାରେ ନୂଆ ସେତୁ ନିର୍ମାଣ କରାଯାଇପାରେ, ହେଲେ ଏହା ଆଢୁଆଳରେ ସେତୁର ନାମ ପରିବର୍ତ୍ତନ କେବଳ ରାଜନୈତିକ ଅସହିଷ୍ଣୁତାର ପରିଚାୟକ, ତାହା ଅସ୍ୱୀକାର କରାଯାଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.