Home ଜିଲ୍ଲା ପରିକ୍ରମା ନୂତନ ବିଦେଶୀ ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ:ଆନ୍ଦୋଳନ ପାଇଁ ସଜବାଜ

ନୂତନ ବିଦେଶୀ ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ:ଆନ୍ଦୋଳନ ପାଇଁ ସଜବାଜ

98

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବିଦେଶୀ ଓ ଦେଶୀ ମଦ ଦୋକାନ ନିଲାମ ଲଟେରୀ ମାଧ୍ୟମରେ ଶେଷ ହୋଇଛି । ଏହି ଜିଲାର ନୂତନ ଭାବେ ୩୫ ବିଦେଶୀ ଓ ୧୯ଟି ଦେଶୀ ମଦ ଦୋକାନ ଖୋଲିବା ପାଇଁ ଲଟେରୀ କରାଯାଇଥିଲା । ସେଥିମଧ୍ୟରୁ ଧାମନଗର ବ୍ଲକ ଦୋବଲ ଠାରେ ଲଟେରୀ ମାଧ୍ୟମରେ ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଲଟେରୀ ଉଠିଛି । ସୂଚନା ଥାଉକି ପୂର୍ବରୁ କାଳୀ ବଜାରରେ ଏକ ବିଦେଶୀ ମଦ ଦୋକାନ ବଜାରର ମଧ୍ୟସ୍ଥଳରେ ରହିଛି । ସରକାରଙ୍କ ନୂତନ ନିୟମ ଅନୁଯାୟୀ ପୂର୍ବରୁ ଥିବା ବଜାର ଠାରେ ମଦ ଦୋକାନକୁ ଲାଇସେନ୍ସ ରଦ୍ଦ କରାଯାଇ ଲଟେରୀ ମାଧ୍ୟମରେ ନୂତନ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିଛି । ନିୟମ ଅନୁଯାୟୀ ଏବେ ନୂତନ ମଦ ଦୋକାନ ଖୋଲାଗଲେ ବିଭିନ୍ନ ବିଭାଗର ଅନୁମତି ଓ ସ୍ଥାନୀୟ ଲୋକଙ୍କ ଆପତି ଅଭିଯୋଗ ଗ୍ରହଣ କରିବା କଥା । ହେଲେ ଲଟେରୀ ମାଧ୍ୟମରେ ପାଇଥିବା ଯାଜପୁର ଜିଲାର ଜନୈକ ପ୍ରଭାବଶାଳୀ ବ୍ୟକ୍ତି ସରକାରଙ୍କ ସମସ୍ତ ନିତିନିୟମକୁ ଫୁ କରି ଦୋକାନ ତିଆରି କରିବାରେ ବ୍ୟସ୍ତ ଅଛନ୍ତି ।

ଧାମନଗର-ଦୋବଲ ମୁଖ୍ୟ ଚଳଚଂଚଳ ରାସ୍ତାରେ ମୁସ୍ତାଫାପୁର ପଂଚାୟତ ଠାରେ ଏହି ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଘରକାର୍ଯ୍ୟ ଜାରି ରହିଛି । ଦୋବଲ ବଜାର ନିକଟରେ ହୋଇଥିବା ବେଳେ ନିକଟରେ ଏକ ମଦ୍ରସା, ଏକ ସରକାରୀ ସ୍କୁଲ, ୟୁନାନି ଡାକ୍ତରଖାନା, ଧାମନଗର ମହାବିଦ୍ୟାଳୟ, ଘରୋଇ ଇଂରାଜୀ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସହିତ ବୈଦିକ ଯଜ୍ଞ ମଣ୍ଡପ ଓ କାଳୀ ମଣ୍ଡପ ଆଦି ରହିଛି । ଦୈନିକ ସ୍କୁଲ ଓ କଲେଜରେ ପଢୁଥିବା କୋମଳମତି ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ମଦ ଦୋକାନଟି ରାସ୍ତାକଢରେ ହୋଇଥିବାରୁ ମଦ୍ୟପ ମାନଙ୍କ ଆଡ୍ଡା ସ୍ଥଳି ସେଠାରେ ବଢିବାର ସମ୍ଭାବନା ଯଥେଷ୍ଟ ରହିଛି । ଏପରିକି ଏକ ସଂଖ୍ୟାଲଘୁ ସଂପ୍ରଦାୟର ବସ୍ତି ରହିଥିବାରୁ ସେମାନେ ମଧ୍ୟ ଏହି ନୂତନ ମଦ ଦୋକାନକୁ ଘୋର ବିରୋଧ କରୁଛନ୍ତି । ଆଗାମୀ ଦିନରେ ଏହି ମଦ ଦୋକାନକୁ ଯୋରଦାର ବିରୋଧ କରିବା ପାଇଁ ସ୍ଥାନୀୟ ଲୋକ ଏକତ୍ରିତ ହୋଇଛନ୍ତି । ଏଠାରୁ ଅନ୍ୟତ୍ର ଏହି ମଦ ଦୋକାନକୁ ଉଠାନଗଲେ ବାଧ୍ୟ ହୋଇ ସ୍ଥାନୀୟ ଲୋକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ନିୟମ ଅନୁଯାୟୀ ସ୍ଥାନୀୟ ସରପଂଚଙ୍କ କୌଣସି ମତାମତ ଗ୍ରହଣ କରାଯାଇନାହିଁ ବୋଲି ମୁସ୍ତାଫାପୁର ସରପଂଚ ବିଷ୍ଣୁ ଚରଣ ଦାସ ପ୍ରକାଶ କରିଛନ୍ତି । ଅପରପକ୍ଷେ ଏହି ନୂତନ ମଦ ଦୋକାନଟି ଦୋବଲ ପଂଚାୟତରେ ହେବାପାଇଁ ଅନୁମତି ମିଳିଥିବା ବେଳେ ସଂପୃକ୍ତ ଦୋକାନୀ ଦୋବଲ ବଦଳରେ ମୁସ୍ତାଫାପୁର ପଂଚାୟତରେ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତୁରନ୍ତ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ସାଧାରଣରେ ଅଭିଯୋଗ ହୋଇଛି । ଏସଂପର୍କରେ ଅବକାରୀ ବିଭାଗ ସହିତ ଯୋଗାଯୋଗ କରିବାରୁ ସେ କହନ୍ତି ନୂତନ ମଦ ଦୋକାନ ଖୋଲିବା ପାଇଁ ଆମକୁ କିଛି ସୂଚନା ନାହିଁ । ଆସିଲେ ଏହାର ସଠିକ ତଦନ୍ତ କରାଯାଇ ମଦ ଦୋକାନ ଖୋଲାଯିବ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.