Home ଓଡ଼ିଶା ସୂତା ଖିଅରେ ଝୁଲୁଛି ସ୍କୁଲ ପିଲାଙ୍କ ଜୀବନ!

ସୂତା ଖିଅରେ ଝୁଲୁଛି ସ୍କୁଲ ପିଲାଙ୍କ ଜୀବନ!

162

ରାଉରକେଲା ୩୧-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସ୍କୁଲ ଛାତ୍ରଛାତ୍ରଙ୍କ ସୁରକ୍ଷିତ ଯାତ୍ରାକୁ ନେଇ ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ରହିଛି ୧୦୦ରୁ ଉର୍ଦ୍ଧ ବିଦ୍ୟାଳୟ। ଏହି ବିଦ୍ୟାଳୟ ଗୁଡ଼ିକରେ ବହୁ ସରକାରୀ ସ୍କୁଲ ରହିଥିବା ବେଳେ ଆଉ କିଛି ବେସରକାରୀ ସ୍କୁଲ ରହିଛି। ଗରିବ ଓ ମଧ୍ୟବିତ ଶ୍ରେଣୀର ପିଲାମାନେ ପ୍ରତିଦିନ ପାଦରେ ଚାଲି କିମ୍ବା ସାଇକେଲରେ ସ୍କୁଲକୁ ଯିବା ଆସିବା କରିଥାନ୍ତି। ଏମାନଙ୍କ ବୟସ ୯ରୁ ୧୫ ବର୍ଷ ବୟସ ମଧ୍ୟରେ ହୋଇଥିବା ବେଳେ, ଏମାନଙ୍କୁ ମଧ୍ୟରୁ ଅଧିକାଂଶ ସାଇକେଲ ଚାଳନା ଉତମ ଭାବେ କରି ନପାରିବା ଦେଖିବାକୁ ମିଳେ। ଅପରପକ୍ଷରେ ସ୍କୁଲ ପିଲା ମାନେ ଦଳବାନ୍ଧି ରାସ୍ତା ଅତିକ୍ରମ କରୁଥିବାରୁ ଏହା ଅନ୍ୟ ଚାଳକ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ସମୟ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟିଥାଏ। ସାଧାରଣତଃ ସ୍କୁଲ ପିଲା ମାନଙ୍କୁ ଟ୍ରାଫିକ ନିୟମ ସମ୍ବନ୍ଧରେ ମଧ୍ୟ ଯଥେଷ୍ଟ ଜ୍ଞାନ ନଥାଏ। ଆଜିକାଲି ଦୁର୍ଘଟଣା ବହୁଳ ମାତ୍ରାରେ ବୃଦ୍ଧି ପାଇବା କାରଣରୁ ଅଭିଭାବକ ମାନେ ନିଜ ପିଲାଙ୍କୁ ସାଇକେଲ ଚାଳନାରୁ ବିରତ କରିବା ଆବଶ୍ୟକ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ସେହିପରି ରାସ୍ତାରେ ଯିବା ଆସିବା କରିବା ପାଇଁ ଟ୍ରାଫିକ ନିୟମ ସମ୍ବନ୍ଧରେ ବିଦ୍ୟାଳୟ ସମେତ ଘରେ ପିଲା ମାନଙ୍କୁ ସଚେତନ କରିବା ଆବଶ୍ୟକ ହୋଇପଡ଼ିଛି। ଏହାଦ୍ୱାରା ଦୁର୍ଘଟଣାରୁ କିଛି ମାତ୍ରାରେ ରକ୍ଷା ମିଳିପାରିବ। ବିଶେଷ କରି ବେସରକାରୀ ସ୍କୁଲ ଗୁଡ଼ିକୁ ଛାତ୍ରଛାତ୍ରୀ ମାନେ ନିୟମିତ ସ୍କୁଲ ବସ୍ ଓ ଅଟୋରେ ଯିବାଆସିବା କରିବା ଦେଖିବାକୁ ମିଳେ। ମାତ୍ର୍ର ସ୍କୁଲ ଛାତ୍ର ମାନେ ସ୍କୁଲ ବସ୍ ଓ ଅଟୋରେ ଯିବା କେତେଯେ, ସୁରକ୍ଷିତ ଏହାକୁ ନେଇ ବିଭିନ୍ନ ମହଲରେ ତର୍ଜମା ଆରମ୍ଭ ହୋଇଛି। ପୂର୍ବରୁ ରାଉରକେଲାରେ ବହୁବାର ସ୍କୁଲ ଅଟୋ ଦୁର୍ଘଟଣା ଘଟି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଅବା ଆହତ ହୋଇଥିବା ନଜିର ରହିଛି। ସ୍କୁଲକୁ ଅଟୋରେ ୧୦ରୁ ୧୨ ଜଣ ଛାତ୍ରଛାତ୍ରୀ ପରିବହନ ହେଉଥିବାରୁ ଏହା ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦକ୍ଷିଣ ରାଉରକେଲା ସମେତ ସାରନଗରୀର ବହୁ ଇଂରାଜୀ ମାଧ୍ୟମ ଛାତ୍ରଛାତ୍ରୀ ପ୍ରତିଦିନ ରାଉରକେଲାରେ ଥିବା ଇଂଲିସ ମିଡ଼ିୟମ ସ୍କୁଲ ଗୁଡ଼ିିକୁ ଜାତୀୟ ରାଜପଥ-୧୪୩ ଦେଇ ଯିବା ଆସିବା କରିଥାନ୍ତି। ବର୍ତମାନ ଜାତୀୟ ରାଜପଥ-୧୪୩ ମରଣଯନ୍ତା ପାଲଟି ଦୁର୍ଘଟଣାପ୍ରବଣ ହୋଇପଡ଼ିଥିବାରୁ ଏହାକୁ ନେଇ ଅଭିଭାବକଙ୍କ ମହଲରେ ଚିନ୍ତାର କାରଣ ସାଜିଛି। ସେହିପରି ରଙ୍ଗିଲା ଛକକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୪୩କୁ ପାର ହୋଇ ବହୁ ସ୍କୁଲ ପିଲା ପ୍ରତିଦିନ ସାରନଗରୀରେ ଥିବା ବିଭିନ୍ନ ସ୍କୁଲକୁ ଯିବା ଆସିବା କରିବା ଦେଖିବାକୁ ମିଳେ। ଏହି ଛକରେ ସଂଯୋଗ କରିଥିବା ଜାତୀୟ ରାଜପଥ-୧୪୩ରେ ବହୁ ଭାରୀଯାନ ପ୍ରତିଦିନ ଚଳାଚଳ କରିଥାଏ। ସ୍କୁଲ ପିଲା ମାନେ ବହୁ ସତର୍କତା ସହିତ ଏହି ଜାତୀୟ ରାଜପଥକୁ ପାଦରେ ଚାଲି ଓ ସାଇକେଲରେ ପାରିହୋଇଥାନ୍ତିା କେଉଁଦିନ ଏହି ଛକରେ ଦୁର୍ଘଟଣା ନଘଟିବ, ଏ ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ। ରଙ୍ଗିଲା ଛକ ଏକ ବ୍ୟସ୍ତବହୁଳ ଛକ ହୋଇଥିବା କାରଣରୁ ଏଠାରେ ଟ୍ରାଫିକ ପୁଲିସ ମୁତୟନ କରିବାକୁ ସାଧାରଣରେ ଦାବି ହୋଇଛି। ଅପରପକ୍ଷରେ ସ୍କୁଲ ପିଲାଙ୍କୁ ଅଟୋରେ ନେଉଥିବା ଅଟୋ ଚାଳକ ଗାଡ଼ି ଚାଳନାରେ କେତେ ପାରଙ୍ଗମ, ତାହା ମଧ୍ୟ ତଦନ୍ତସାପେକ୍ଷ! ପୂର୍ବରୁ ରାଉରକେଲା ପ୍ରଶାସନ ପକ୍ଷରୁ ଅଟୋରେ ୮ରୁ ଅଧିକ ସ୍କୁଲ ପିଲା ପରିବହନ କରାଯାଇ ପାରିବ ନାହିଁ ବୋଲି କଟକଣା ଲାଗୁ କରାଯାଇଥିଲେ ସୁଦ୍ଧା, ଏହି ନିୟମ ଏବେ ପାଣିର ଗାର ସଦୃଶ ହୋଇଛି। ଫଳରେ ଅଟୋରେ ସ୍କୁଲ ଯାତାୟତ କରୁଥିବା ସ୍କୁଲ ପିଲାଙ୍କ ଜୀବନ ଏକ ପ୍ରକାର ସୂତା ଖିଅରେ ଝୁଲୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.