Home ଜିଲ୍ଲା ପରିକ୍ରମା ସିପିଆଇ ଏମଏଲର ୫ମ ଜିଲ୍ଲା ସମ୍ମିଳନୀ, କରପୋରେଟ ଶାସନ ହଟାଇବାକୁ ଦାବି, ସମ୍ବିଧାନ ଓ ଗଣତନ୍ତ୍ର...

ସିପିଆଇ ଏମଏଲର ୫ମ ଜିଲ୍ଲା ସମ୍ମିଳନୀ, କରପୋରେଟ ଶାସନ ହଟାଇବାକୁ ଦାବି, ସମ୍ବିଧାନ ଓ ଗଣତନ୍ତ୍ର ସୁରକ୍ଷା ପାଇଁ ଆହ୍ୱାନ

27

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧିନତା, ଗଣତନ୍ତ୍ର ଓ ସମ୍ବିଧାନ ଆଜି ଘୋର ବିପଦରେ। ନରେନ୍ଦ୍ର ମୋଦି ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ଜନଗଣଙ୍କ ଉପରେ ଆକ୍ରମଣକୁ ଜୋରଦାର କରିବା ସହ କରପୋରେଟ ଲୁଟ ପାଇଁ ଦିନ ରାତି ଲାଗି ପଡ଼ିଛନ୍ତି। ରାଷ୍ଟ୍ରାୟତ ଉଦ୍ୟୋଗକୁ ସେମାନଙ୍କ ହାତରେ ଟେକିଦେବା, ବ୍ୟାଙ୍କ, ବୀମା, ରେଳ ଷ୍ଟେସନ, ଜାତୀୟ ରାଜପଥ, ବିମାନ ବନ୍ଦର ଆଦି ହସ୍ତାନ୍ତର କରିବାରେ ଲାଗିଛନ୍ତି। ଆଜି ୋଦଶରେ ନିଯୁକ୍ତି ନାହିଁ। ଲୋକଙ୍କ ଆୟ ନିମ୍ନଗାମୀ ହୋଇଛି। ହେଲେ ଦରଦାମ ବଢ଼ି ବଢ଼ି ଚାଲିଛି। ନିର୍ବାଚନ ବେଳର ପ୍ରତିଶ୍ରୁତି ପାଣିର ଗାରରେ ପରିଣତ ହୋଇଛି। କେନ୍ଦ୍ର ସରକାରଙ୍କ ଭୂଲ ନିଷ୍ପତ୍ତି ଯଥା ବିମୁଦ୍ରାୟନ ଆଇନ, ୩୭୦ ଧାରା, ଅଗ୍ନିପଥ ଯୋଜନା, ନିର୍ବାଚନ ବଣ୍ଡ ପ୍ରଚଳନ, କୃଷକଙ୍କ ଆନ୍ଦୋଳନକୁ ଦମନ, ଶ୍ରମିକଙ୍କ ଅଧିକାର ଉପରେ ଲଗାତର ହାମଲା ଗୋଟିଏ ଗୋଟିଏ ଐତିହାସିକ ଭୂଲ। ଏବେ ଗଣତନ୍ତ୍ରର ମୂଳପିଣ୍ଡ ଭିନ୍ନମତ ପୋଷଣର ଅଧିକାର ଉପରେ ପ୍ରଚଣ୍ଡ ପ୍ରହାର କରାଯାଇଛି। ସାମ୍ପ୍ରଦାୟିକ ସଦଭାବ ହେଉଛି ଏକତାର ମୂଳଭିତ୍ତି। ଆଜି ଉଗ୍ର ରାଷ୍ଟ୍ରବାଦ, ହିନ୍ଦୁ ରାଷ୍ଟ୍ରବାଦରେ ରୂପାନ୍ତରିତ ହୋଇଛି। ଆରଏସଏସ ନିର୍ଦ୍ଦେଶରେ ସରକାର ଉଠ ବସ୍ ହେଉଛି। ଦୁର୍ନିତୀକୁ ନୀତିରେ ପରିଣତ କରାଯାଉଛି। ଭୋଟ କିଣା, ବିଧାୟକ ଓ ସାଂଦମାନଙ୍କୁ କିଣିବା ସାଧାରଣ କଥା ହୋଇଛି।

ଆଇନ ଓ ସମ୍ବିଧାନର ଶାସକ ବଦଳରେ ଯୋଜନାବଦ୍ଧ ଜଙ୍ଗଲି ଶାସନ ଚାଲିଛି। ସ୍ୱାଧିନତାର ଅମୃତ ମହୋତ୍ସବ ଦିନ ଗୁଜୁରାଟର ବିଲକିସ ବାନୋ ମାମଲାରେ ଧର୍ଷଣ ଓ ହତ୍ୟା ଅପରାଧିମାନଙ୍କୁ ଖଲାସ କରି ସମ୍ମାନିତ କରିବା ଠାରୁ ଅଧିକ ଲଜ୍ୟାର କଥା ଆଉ କ’ଣ ହୋଇ ପାରେ? ଆଜି ଦେଶରେ ଗଣତନ୍ତ୍ର ପ୍ରେମୀ, ସମାଜିକ କର୍ମୀ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଜେଲରେ ମିଛ କେସରେ ଭର୍ତ୍ତି କରାଯାଉଛି। ଆମ ରାଜ୍ୟରେ ନବୀନ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଶାସନ ଚାଲିଛି। ପ୍ରଥମ ୨ ପାଳି ବିଜେପି ଓ ପରେ ଏକକ ବିଜେଡି ଶାସନରେ ଓଡିଶା କ’ଣ ପାଇଛି? କୃଷି ଆମ ରାଜ୍ୟର ମୁଖ୍ୟ ଆର୍ଥୀକ ଉତ୍ସ। ଜଳସେଚନ, ବନ୍ୟା ନିୟନ୍ତ୍ରଣ, ମଣ୍ଡିରେ ସମସ୍ତ ଫସଲ କିଣିବା, ଭାଗଚାଷ ଆଇନ, ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇ ପାରି ନାହିଁ। ଜଙ୍ଗଲ ଜମିର ଅଧିକାର ଆଦିବାସୀଙ୍କୁ ମିଳୁ ନାର୍ହି। ସିଲିଂ ବଳକା ଜମି ମଧ୍ୟ ବଣ୍ଟନ ହୋଇ ନାହିଁ। କେବଳ ଖଣି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଏତେ ଆଗ୍ରହ ଦେଖାଇବାର ଅସଲ ଉଦ୍ଦେଶ୍ୟ ହେଉଛି ଖଣିଜ ସମ୍ପଦର ବ୍ୟବହାର କମ୍ ଓ ଅଧିକ ଲୁଟର ଲୋଭ। କୃଷିଭତ୍ତିକ ଶିଳ୍ପ ଓ କୁଟୀର ଶିଳ୍ପ ପ୍ରତିଷ୍ଠା ହେଉ ନାର୍ହି। ବନ୍ଦ ହୋଇ ପଡ଼ିଥିବା ଶିଳ୍ପ ସଂସସ୍ଥାର ପୁନରୁଦ୍ଧାର ଉଦ୍ୟମ ମଧ୍ୟ ହେଉ ନାହିଁ।

ଠିକା ନିଯୁକ୍ତିର ଯୁଗ ଶେଷ ହେଲା। ଏହି ଘୋଷଣା ପରେ ଲକ୍ଷ ଲକ୍ଷ ଠିକା ଶ୍ରମିକଙ୍କ ବିକ୍ଷୋଭ କ’ଣ ପାଇଁ। ଏହିପରି କେତେକ ରାଜନୈତିକ ପ୍ରସଙ୍ଗ ଉପରେ ସିପିଆଇ ଏମଏଲର ୫ମ ଜିଲ୍ଲା ସମ୍ମିଳନୀରେ ପୁଖାଂନୁପୁଖଂ ଆଲୋଚନା ହୋଇଛି। ସୀତାରାମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅଖିଳ ଭାରତ ପ୍ରଗତୀଶୀଳ ମହିଳା ସମିତିର ରାଜ୍ୟ ସହ ସଂପାଦିକା ଜୟନ୍ତୀ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ, ସିପିଆଇ ଏମଏଲର ଜିଲ୍ଲା ସଂପାଦକ ସମର ବଳ ଏଥିରେ ସଂଯୋଜନା କରି ସାଂଗଠନିକ ଚିଠା ପ୍ରସ୍ତାବ ଆଗତ କରିଥିଲେ। ଉକ୍ତ ସମ୍ମିଳନୀରେ ସଂଗଠନର କେନ୍ଦ୍ରୀୟ କମିଟି ସଭ୍ୟ ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀ, ବିଶିଷ୍ଟ ଶ୍ରମିକ ନେତା ସିପିଆଇ ଏମଏଲ ରାଜ୍ୟ କମିଟି ସଭ୍ୟ ମହେନ୍ଦ୍ର ପରିଡ଼ା, ପ୍ର. ଅଟଳ ବିହାରୀ ନାୟକ, ସିପିଆଇ ଏମଏଲ ତିହିଡ଼ି ଅଞ୍ଚଳିକ କମିଟି ସଂପାଦିକା ଗାୟତ୍ରୀ ବେହେରା, ଭଦ୍ରକ ଏରିଆ କମିଟି ସଂପାଦକ ଗୟାଧର ସେଣ, ଚାନ୍ଦବାଲି ବ୍ଲକ କମିଟି ସଂପାଦକ ବିଶ୍ୱମ୍ଭର ମଲିକ ପ୍ରମୁଖ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିତୀ ବିରୋଧରେ ବର୍ଷିଥିଲେ। ଏହି ଅବସରରେ ସର୍ବସମ୍ମତ ଭାବେ ଜିଲ୍ଲା ସଂପାଦକ ଭାବେ ସମର ବଳଙ୍କୁ ମନୋନୀତ କରାଯାଇଥିଲା। ଏଥି ସହ ୨୫ ଜଣିଆ ଜିଲ୍ଲା କମିଟି ମଧ୍ୟ ଗଠନ ସହ ଏକ ୭ଜଣିଆ ପରିଚାଳନା କମିଟି ଗଠିତ ହୋଇଥିଲା। ଆଗାମୀ ଦିନରେ ସିପିଆଇ ଏମଏଲକୁ ଭଦ୍ରକ ଜିଲ୍ଲାରେ ଏକ ନମ୍ବର ଗରିବ, ଖଟିଖିଆ ପାର୍ଟି ଭାବେ ଗଠନ କରିବା ପାଇଁ ସମ୍ମିଳନୀରେ ସଂକଳ୍ପ ପାରିତ ହୋଇଥିଲା। ଉକ୍ତ ସମ୍ମିଳନୀର ସଫଳତା ପାଇଁ ଆରତୀ ଜେନା, ରମାକାନ୍ତ ଦାସ, ସୁବାଷ ମହାଳିକ, ବନମାଳୀ ମହାନ୍ତି, ରୂପା ପାତ୍ର, ବିବେକାନନ୍ଦ ମଲିକ, କିଶୋର ଜେନା, ସୀମା ନାୟକ, ମନ୍ମଥ ବାରିକ, ରତନାକର ମହାରଣା ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.