Home ଜିଲ୍ଲା ପରିକ୍ରମା ସାହିତ୍ୟ ପତ୍ରିକା ‘ଘାସଫୁଲ’ ର ପାର୍ବଣ ବିଶେଷାଙ୍କ ଲୋକାର୍ପିତ

ସାହିତ୍ୟ ପତ୍ରିକା ‘ଘାସଫୁଲ’ ର ପାର୍ବଣ ବିଶେଷାଙ୍କ ଲୋକାର୍ପିତ

55

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭାଷା ସାହିତ୍ୟର ଅଗ୍ରଣୀ ପତ୍ରିକା ଦୀର୍ଘ ୧୨ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଭଦ୍ରକରୁ ପ୍ରକାଶ ପାଇଆସୁଥିବା ସାହିତ୍ୟ ପତ୍ରିକା ‘ଘାସଫୁଲ’ ର ଲୋକାର୍ପଣ ଉତ୍ସବ ଆଜି ସନ୍ଧ୍ୟାରେ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଲୋକାର୍ପିତ ହୋଇଛି । ଏହି ସାରସ୍ୱତ ଉତ୍ସବରେ ପଣ୍ଡିତ ଦୈତ୍ୟାରି ମହାପାତ୍ର ସଭାପତିତ୍ୱ କରିଥିବାବେଳେ ବିଶିଷ୍ଟ ସ୍ତମ୍ଭକାର ତଥା ସାହିତ୍ୟିକ ଅଭୟ ଦ୍ୱିବେଦୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟକୁ ଓଡ଼ିଆ ଲିପିର ଆବଶ୍ୟକତା ସଂପର୍କରେ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟକୁ ବିଶିଷ୍ଟ ସାହିତ୍ୟିକମାନଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ‘ଘାସଫୁଲ’ ର ପ୍ରାଣ ପ୍ରତିଷ୍ଠାତା ତଥା ସଂପାଦକ ତଥା ବିରୋଧୀ ଦଳ ଉପନେତା ବିଧାୟକ ବିଷ୍ଣୁ ସେଠୀ ଘାସଫୁଲର ଇତିହାସ ଇତିବୃତ୍ତ ସଂପର୍କରେ ସୂଚାଇଥିଲେ । ସମାଜସେବୀ ବ୍ୟୋମକେଶ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ଅଧିବକ୍ତା ଗଦାଧର ବଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ନୃତ୍ୟ ଚନ୍ଦ୍ରିକା ଫାଉଣ୍ଡେସନର ସଂପାଦକ ପ୍ରଭାତ କୁମାର ମହାଳିକଙ୍କ ସଂଯୋଜନାରେ କୁନି କୁନି କଳାକାରମାନେ ନୃତ୍ୟ ପରିବେଷଣ କରି ମନ୍ତ୍ରମୁଗ୍ଧ କରିଥିଲେ । ସାଧନା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାକୁ ପରିଶେଷରେ ଗାଳ୍ପିକ ବିଭୂତି ଭୂଷଣ ସେନାପତି ଧନ୍ୟବାଦ ଅର୍ପଣ କରିବା ସହିତ ସଂଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ସୁଧାକର ନନ୍ଦ ଓ ନିର୍ମଳ ଚନ୍ଦ୍ର ରାଉତଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଏହି ସଭାରେ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ଗାଳ୍ପିକା ଗୀତାରାଣୀ ଆଇଚଙ୍କ ରଚିତ ପୁସ୍ତକ ‘ନୀଳଜ୍ୟୋସ୍ନା’ ଓ କବୟିତ୍ରୀ ଚିନ୍ମୟୀ ଚାନ୍ଦଙ୍କ ‘ବୀରୋହିଣୀ ନାୟିକା’ ପୁସ୍ତକ ଲୋକାର୍ପିତ ହୋଇଥିଲା । ନିରବିଚ୍ଛିନ୍ନ ଭାବେ ପ୍ରକାଶ ପାଇଆସୁଥିବା ଗବେଷଣାଧର୍ମୀ ସାହିତ୍ୟ ପତ୍ରିକା ‘ଘାସଫୁଲ’କୁ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଥିବାବେଳେ ନୃତ୍ୟ ଚନ୍ଦ୍ରିକା ଫାଉଣ୍ଡେସନର କଳାକାରମାନଙ୍କୁ ବିଧାୟକ ବିଷ୍ଣୁ ସେଠୀ ଓ ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ବିଶିଷ୍ଟ ସଂଗୀତଗୁରୁ ରୁଦ୍ରମାଧବ ବାରିକଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.