Home ଜିଲ୍ଲା ପରିକ୍ରମା ସାହିତ୍ୟିକ ଅପୂର୍ବ ରଞ୍ଜନ ରାୟଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ, ଭଦ୍ରକ ମାଟିର ଏକ ନିଆରା ବ୍ୟକ୍ତିତ୍ୱ...

ସାହିତ୍ୟିକ ଅପୂର୍ବ ରଞ୍ଜନ ରାୟଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ, ଭଦ୍ରକ ମାଟିର ଏକ ନିଆରା ବ୍ୟକ୍ତିତ୍ୱ ଥିଲେ ଅପୂର୍ବ ରଂଜନ ରାୟ , ଅପୂର୍ବ ଏକ ଉଚ୍ଛ୍ୱାସ, ସୃଜନର ଦିବ୍ୟ ନିର୍ମାଲ୍ୟ

41

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାହିତ୍ୟ ଜଗତର ଅମ୍ଳାନ ବ୍ୟକ୍ତିତ୍ୱ ମୁକୁଟବିହୀନ ସମ୍ରାଟ ବାଗ୍ମୀ, ସାହିତ୍ୟରତ୍ନ ଅପୂର୍ବ ରଞ୍ଜନ ରାୟଙ୍କ ଅବର୍ତ୍ତମାନରେ ସାହିତ୍ୟ ଜଗତରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ । ନିଜର ସାହିତ୍ୟ କଳାକୃତି ସହିତ ବହୁ ସାହିତ୍ୟିକଙ୍କୁ ନବ ଦିଗନ୍ତ ଦେଖାଇ ତାଙ୍କ ଅମ୍ଳାନ ପ୍ରତିଭାକୁ ନେଇ ଚିର ଅମର ରହିଛନ୍ତି ସାହିତ୍ୟରତ୍ନ ଅପୂର୍ବ ରଞ୍ଜନ ରାୟ । ତାଙ୍କର ସାଧନାମୟ ଜୀବନ ଯେ,କେତେ ଗଭୀରକୁ ଯାଇପାରିଥିଲା ତାହା ତାଙ୍କ ଅତି ନିକଟରୁ ଆତ୍ମୀୟତାର ସ୍ପର୍ଶ ଦେଇ ଏକାନ୍ତ ହୋଇଯିବା ବ୍ୟକ୍ତିମାନେ ହିଁ ବିଦିତ । ସମଗ୍ର ଓଡ଼ିଶାର ସାହିତ୍ୟ ଜଗତରେ ସ୍ୱର୍ଗତ ରାୟ ଏକ ସ୍ମରଣୀୟ ସ୍ପର୍ଦ୍ଧିତ ପ୍ରତିଭା । ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ପାଇଁ ସେ ଯେତିକି ଆଗ୍ରହୀ, ସାହିତ୍ୟର ଶ୍ରୀବୃଦ୍ଧି ପାଇଁ ଅନୁଷ୍ଠାନମାନ ଗଠନ କରିବା, ଅନୁଷ୍ଠାନମାନଙ୍କ ସହିତ ଜଡ଼ିତ ହେବାରେ ସେ ଆହୁରି ଉତ୍ସାହୀ । ବରିଷ୍ଠଙ୍କୁ ସମ୍ମାନ ଓ ନବୀନଙ୍କୁ ଶ୍ରଦ୍ଧା ଥିଲା ତାଙ୍କ ଚରିତ୍ରର ବୈଶିଷ୍ଟ୍ୟ ବୋଲି ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଅପୂର୍ବ ରଞ୍ଜନ ରାୟଙ୍କ ପଞ୍ଚମ ବାର୍ଷିକୀ ଶ୍ରାଦ୍ଧ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭାରେ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଅପୂର୍ବ ରଂଜନ ରାୟ ସ୍ମୃତି ସଂସଦ ଆନୁକୂଲ୍ୟରେ ଭାଗବତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ସ୍ମୃତି ସଭାରେ ସଂସଦର ସଭାପତି ଅଜୟ କୁମାର ନାୟକ ସଭାପତିତ୍ୱ କରିଥିଲେ । ବରେଣ୍ୟ ଅତିଥି ଭାବେ ‘ବେଦ ପୀୟୂଷ’ର ସଂପାଦକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଯୋଗଦେଇ ସ୍ୱର୍ଗତ ରାୟଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ବୈକୁଣ୍ଠ ବିଶ୍ୱାଳ ପ୍ରାକ୍ ସୂଚନା ପ୍ରଦାନ କରିଥିବା ବେଳେ, ଅତୀଶ କୁମାର ବେହେରା ମଞ୍ଚ ଆମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ମୃତି ସଂସଦର ସଂପାଦକ ପ୍ରବୀର କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ସାହିତ୍ୟିକ ଭଗବାନ ଚନ୍ଦ୍ର ନାୟକଙ୍କୁ ‘ଅପୂର୍ବ ରଂଜନ ରାୟ ସ୍ମୃତି ସମ୍ମାନ-୨୦୨୧’ରେ ସମ୍ମାନିତ କରାଯାଇଥିଲା । କବି ବିଜୟ ବହଳୀ ମାନପତ୍ର ପାଠ କରିଥିଲେ । ଡ.ହରିହର ନାୟକ,ଡ.ପଦ୍ମକାନ୍ତ ଧଳ,କରୁଣାକର ବେହୁରିଆ ପ୍ରମୁଖ ସ୍ୱର୍ଗତ ରାୟଙ୍କ ସ୍ମୃତି ଚାରଣ କରିଥିବା ବେଳେ କବୟିତ୍ରୀ ମନୋରମା ରାୟ ସ୍ମୃତି କବିତା ଆବୃତି କରିଥିଲେ । ସୁଧାକର ରାଉତ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମନୋଜ କୁମାର ଦାସ, ମନୋରଞ୍ଜନ ନାୟକ, ସଂଗ୍ରାମ ସାହୁ,ରାଜେଶ କୁମାର ଦାସ,ବିଶ୍ୱପ୍ରତାପ ମଲ୍ଲିକ,ସମୀର କାନ୍ତ ଦାସ, କିଶୋର କୁମାର ଲଢ଼ା,କ୍ଷିତିଶ କୁମାର ଦତ୍ତଏବଂ ଦୁଃଶାସନ ମହାନ୍ତି ପ୍ରମୁଖ ଉତ୍ସବ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.