Home ଜିଲ୍ଲା ପରିକ୍ରମା ସାଳନ୍ଦୀ ନଦୀର ଶ୍ରୀରାମପୁର ବିଜୁ ସେତୁ ଲୋକଙ୍କ କାର୍ଯ୍ୟରେ ଲାଗିବ କେବେ! ସରକାରୀ ଅର୍ଥକୁ ବରବାଦ...

ସାଳନ୍ଦୀ ନଦୀର ଶ୍ରୀରାମପୁର ବିଜୁ ସେତୁ ଲୋକଙ୍କ କାର୍ଯ୍ୟରେ ଲାଗିବ କେବେ! ସରକାରୀ ଅର୍ଥକୁ ବରବାଦ ହେବାକୁ ଦିଆଯିବନି – ବଦ୍ରୀ ଧଳ

34

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତର ଶ୍ରୀରାମପୁର ବିଜୁସେତୁ ନିର୍ମାଣ ସରିଥିଲେବି ପ୍ରଶାସନିକ ଅବହେଳା ଓ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଆପ୍ରୋଜ ରୋଡ଼ ନିର୍ମାଣ ହୋଇ ନପାରି ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ଏନେଇ ଗ୍ରାମବାସୀଙ୍କ ଅଭିଯୋଗ ପାଇ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ତଥା ଭଣ୍ଡାରିପୋଖରୀ ବିଧାନସଭା ସ୍ତରୀୟ ନେତା ବଦ୍ରୀ ନାରାୟଣ ଧଳ ବିଜୁ ସେତୁ ପରିଦର୍ଶନ କରିଥିଲେ । ଏହି ସେତୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟ ଚାଲୁଥିବା ବେଳେ ୮ ହଜାରରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ ବୋଲି ଜଣା ଯାଇଛି । ଆଗରପଡ଼ା ସ୍ଥିତ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କାର ପ୍ରକଳ୍ପ ମଂଜୁର ହୋଇଥିଲା । ଏହାର ଲମ୍ବ ୬୦.୧୫ ମିଟର ଓ ପ୍ରସ୍ଥ ୮.୩୫ ମିଟର । ୨୦୧୬ ଫେବୃୟାରୀ ୪ ତାରିଖରେ ନିର୍ମାଣ ହୋଇ ୨୦୧୭ ଅକ୍ଟୋବର ୩ରେ କାର୍ଯ୍ୟ ଶେଷ ହେବାର ଥିଲା । କିନ୍ତୁ ଇତି ମଧ୍ୟରେ ଅବଧି ସରିବାର ପାଖାପାଖି ୫ ବର୍ଷ ମଧ୍ୟରେ ସେତୁ ନିର୍ମାଣ ଶେଷ ହୋଇଥିଲେ ବି ଆପ୍ରୋଚ ରୋଡ଼ ନିର୍ମାଣ ନ ହୋଇ ଅସଂପୂର୍ଣ୍ଣ ଅବସ୍ଥାରେ ଅଛି ।

ଯଦ୍ୱାରା ଏହି ସେତୁ ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିବା ଶ୍ରୀରାମପୁର, ସାହୁପଡ଼ା, ଗୋପୀନାଥପୁର, ମାର୍କଣ୍ଡପୁର, ସନ୍ଦାଡ଼ୋ, ଇଟୁଆ, ନରିପୁର, ତାଜିପୁର, ବାଲିପୋଖରୀ ସମେତ ସିମୁଳିଆ ଓ ଖଇରା ବ୍ଲକର କେତେକ ଗ୍ରାମର ଗ୍ରାମବାସୀମାନେ ଯାତାୟାତ କରିବାରେ ନାନାଦି ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । ଏହି ପୋଲ କାର୍ଯ୍ୟକ୍ଷମ ହୋଇ ପାରି ନଥିବାରୁ ଲୋକମାନେ ପ୍ରାୟ ୮ କିମି ଦୂର ଗୋପିନାଥପୁର-ରାମପୁର କେନାଲ ରାସ୍ତାରେ ବୁଲିକରି ଯିବାଆସିବା କରୁଛନ୍ତି । ତେବେ ଖବର ନେବାରୁ ଜଣାଯାଇଛି ଯେ ଆପ୍ରୋଚ ରାସ୍ତା ସଂଯୋଗୀକରଣରେ ବାଧକ ସାଜିଛି ବ୍ୟକ୍ତିଗତ ଯାଗା । ପୋଲ ଓ ସରକାରୀ ରାସ୍ତା ମଝିର ଉଭୟପାଶ୍ୱର୍ରେ ଗ୍ରାମବାସୀଙ୍କ ବ୍ୟକ୍ତିଗତ ଜାଗା ଥିବାରୁ ଏହା ସର୍ବସାଧାରଣ ରାସ୍ତା ସହିତ ସଂଯୋଗ କରାଯାଇ ପାରୁନାହିଁ । ଗତବର୍ଷ ରାସ୍ତା ନିମନ୍ତେ ପଡ଼ିଥିବା ମାଟି ଗୁଡ଼ିକ ବର୍ଷାରେ ଧୋଇ ହୋଇ ନଦୀରେ ମିଶି ଯାଇଛି । ଯେଉଁ ସାମାନ୍ୟ ପାଦଚଲା ରାସ୍ତା ହୋଇଥିଲା ସେଥିରେ ବଡ଼ବଡ଼ ଗର୍ତ୍ତମାନ ସୃଷ୍ଟି ହୋଇ ଥିବାରୁ ପାଦରେ ଯିବା ଆସିବା ସମ୍ଭବ ହେଉନାହିଁ ବୋଲି ଗ୍ରାମବାସୀ ମହେଶ୍ୱର ଦାସ, ରମାକାନ୍ତ ପରୀକ୍ଷା, ଗୋପାଳ ପରିଡ଼ା, ଧବଳ ସେଠୀ, ସୀତାକାନ୍ତ ପରୀକ୍ଷା, ଅନାମ ସେଠୀ, ବୃନ୍ଦାବନ ଦାସ ପ୍ରମୁଖ ଅଭିଯୋଗ କରିଥିଲେ ।

ସରକାରୀ ସ୍ତରରେ କୋଟିକୋଟି ଟଙ୍କା ବ୍ୟୟବରାଦରେ ଲୋକଙ୍କ ସୁବିଧା ନିମନ୍ତେ ଯୋଜନା ପରେ ଯୋଜନା କରାଯାଉଛି । ମାତ୍ର ନିମ୍ନମାନର କାର୍ଯ୍ୟ, ବେପାରୁଆ ମନୋବୃତି ତଥା ସମନ୍ୱୟ ଅଭାବରୁ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ଏହି ଖାମଖିଆଲି ନୀତିକୁ ବରଦାସ୍ତ କରାଯିବ ନାହିଁ କି ସରକାରୀ ଅର୍ଥକୁ ବରବାଦ ହେବାକୁ ଦିଆଯିବ ନାହିଁ ବୋଲି ବ୍ରଦ୍ରୀନାରାୟଣ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ଏନେଇ ସେ ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମାଧାନ ଦିଗରେ ଚେଷ୍ଟା କରିବେ ବୋଲି ଗ୍ରାମବାସୀଙ୍କୁ ଆଶ୍ୱସନା ଦେଇଛନ୍ତି । ତୁରନ୍ତ ଏହି ପୋଲକୁ କାର୍ଯ୍ୟକ୍ଷମ କରା ନଗଲେ ଆଗାମୀ ଦିନରେ ଦଳ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି । ଏହି ପରିଦର୍ଶନ ସମୟରେ ଶ୍ରୀଧଳଙ୍କ ସମେତ ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ, ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ, ବିଜେପି ସାଧାରଣ ସମ୍ପାଦକ ରମାନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.